ଦିଲ୍ଲୀ : ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଆଣିଛନ୍ତି ବଡ଼ ସୁଯୋଗ | ଜାତୀୟ ଆୟ ଓ ଯୋଗ୍ୟତା ଆଧାରିତ ଛାତ୍ରବୃତ୍ତି ଯୋଜନା ୨୦୨୬-୨୭ ଅଧୀନରେ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଜାରି ରଖିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ, ଯାହାଫଳରେ ଆର୍ଥିକ ସମସ୍ୟା ଯୋଗୁଁ ସେମାନଙ୍କ ପଢ଼ାଶୁଣା ବାଧାପ୍ରାପ୍ତ ହେବ ନାହିଁ। ଏହି ଯୋଜନାରେ ନୂଆ ଆବେଦନକାରୀ ଏବଂ ନବୀକରଣ ଶ୍ରେଣୀର ଛାତ୍ରଛାତ୍ରୀ ଉଭୟ ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ଦାଖଲ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୬ ନିର୍ଦ୍ଧାରଣ କରାଯାଇଛି। ତେଣୁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଛାତ୍ରବୃତ୍ତି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା । ଏହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପାଠପଢା ଜାରି ରଖିବାରେ ସାହାର୍ଯ୍ୟ କରିବ ।

କ'ଣ ରହିଛି ଯୋଗ୍ୟତା ଓ ନିୟମ ?

ଜାତୀୟ ଆୟ ଓ ଯୋଗ୍ୟତା ଆଧାରିତ ଛାତ୍ରବୃତ୍ତି ଯୋଜନା (NMMSS)ର ସୁବିଧା ସେହି ଛାତ୍ରଛାତ୍ରୀମାନେ ପାଇପାରିବେ, ଯେଉଁମାନେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଭାବେ ଦୁର୍ବଳ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ପଢ଼ାଶୁଣା ଜାରି ରଖିବା ପାଇଁ ଆର୍ଥିକ ସହାୟତା ଯୋଗାଇବା। ଛାତ୍ରଛାତ୍ରୀମାନେ ଯଦି ନିର୍ଦ୍ଧାରିତ ସମସ୍ତ ସର୍ତ୍ତ ପୂରଣ କରି ଦିଅନ୍ତି, ତେବେ ଏହି ଛାତ୍ରବୃତ୍ତି ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ଜାରି ରହିପାରିବ। ଏହା ସହିତ, ଯୋଗ୍ୟ ଛାତ୍ରଛାତ୍ରୀମାନେ ଅନ୍ୟାନ୍ୟ ସରକାରୀ କଲ୍ୟାଣକାରୀ ଛାତ୍ରବୃତ୍ତି ଯୋଜନା ପାଇଁ ମଧ୍ୟ ଆବେଦନ କରିପାରିବେ, ଯଦି ସେମାନେ ସେହି ଯୋଜନାଗୁଡ଼ିକର ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି।

କିପରି କରିବେ ଆବେଦନ ?

  • ପ୍ରଥମେ 'ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ (NSP)'ର ଅଫିସିଆଲ ୱେବସାଇଟ୍ scholarships.gov.inକୁ ଯାଆନ୍ତୁ।
  • ପୋର୍ଟାଲରେ ପ୍ରଥମ ଥର ପାଇଁ ଆବେଦନ କରୁଥିଲେ ‘New Registration’ ଉପରେ କ୍ଲିକ୍ କରି ପଞ୍ଜୀକରଣ ସମ୍ପୂର୍ଣ୍ଣ କରନ୍ତୁ।
  • ପଞ୍ଜୀକରଣ ପରେ ମିଳିଥିବା ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ଲଗ୍ଇନ୍ କରନ୍ତୁ।
  • ଉପଲବ୍ଧ ଛାତ୍ରବୃତ୍ତି ଯୋଜନା ତାଲିକାରୁ National Means-cum-Merit Scholarship Schemeକୁ ଚୟନ କରନ୍ତୁ।
  • ଆବେଦନ ଫର୍ମରେ ରହିଥିବା ସମସ୍ତ ସୂଚନା ସଠିକ୍ ଭାବେ ପୂରଣ କରନ୍ତୁ।
  • ଆବଶ୍ୟକ ଦସ୍ତାବିଜଗୁଡ଼ିକୁ ନିର୍ଦ୍ଧାରିତ ଫର୍ମାଟରେ ଅପଲୋଡ୍ କରନ୍ତୁ।
  • ସମସ୍ତ ସୂଚନା ଯାଞ୍ଚ କରିସାରିବା ପରେ ଆବେଦନ ଫର୍ମକୁ ଅନଲାଇନ୍ରେ ଦାଖଲ କରନ୍ତୁ। ଆବେଦନର ଶେଷ ତାରିଖ ହେଉଛି ଆସନ୍ତା ୩୧ ଅଗଷ୍ଟ ୨୦୨୬।