ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପରେ ଏବେ ଟେକ୍ ଜାଏଣ୍ଟ ଗୁଗଲ ବି ବଡ଼ଧରଣର ଛଟେଇ କରିବାକୁ ଯାଉଛି। କମ୍ପାନୀ ୫ଟି ଦେଶରେ ଛଟେଇ କରିବ। କାନାଡ଼ା, ଫ୍ରାନ୍ସ, ଜର୍ମାନୀ,ଜାପାନ ଓ ସ୍ୱିଜରଲାଣ୍ଡରେ କମ୍ପାନୀ ଛଟେଇ ପାଇଁ ବାୟଆଉଟ ଘୋଷଣା କରିଛି। କର୍ମଚାରୀ ଟଙ୍କା ନେଇ ନିଜ ଇଚ୍ଛା ଅନୁସାରେ ଇସ୍ତଫା ଦେବାକୁ କମ୍ପାନୀ ଏଗଜିଟ ପ୍ୟାକେଜର ଅଫର ଦେଇଛି।

ପ୍ରକୃତରେ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍‌ଫାବେଟ୍ ଏଆଇ ଉପରେ ବିପୁଳ ନିବେଶ କରିଛି। ତେଣୁ ଏଆଇ ଷ୍ଟ୍ରାଟେଜୀ ଉପରେ ଫୋକସ କରିବା ସହ ଗୁରୁତ୍ୱ ଅନୁସାରେ ସମ୍ଭଳର ପରିବର୍ତ୍ତନ କରିବାକୁ ଚାହୁଁଛି କମ୍ପାନୀ। ଏନେଇ ଗୁଗୁଲ ମୁଖପାତ୍ର ରଏଟର୍ସକୁ କହିଛନ୍ତି ଯେ କମ୍ପାନୀ ଜୁନ୍ ମାସରୁ କାନାଡା, ଫ୍ରାନ୍ସ, ଜର୍ମାନୀ, ଜାପାନ ଏବଂ ସ୍ୱିଜରଲ୍ୟାଣ୍ଡର କିଛି କର୍ମଚାରୀଙ୍କ ପାଇଁ ଏକ "ଭଲ୍ୟୁଣ୍ଟାରି ଏଗଜିଟ ପ୍ରୋଗ୍ରାମ" ଆରମ୍ଭ କରିଛି।

ତେବେ ଏଥିରେ ଭାରତୀୟ କର୍ମଚାରୀଙ୍କୁ ସାମିଲ କରାଯାଇ ନାହିଁ। ଏଆଇର ବ୍ୟବହାର ଯୋଗୁ ଗୁଗଲ ଗତ ବର୍ଷଠାରୁ ଆମେରିକା ଏବଂ ୟୁକେର କିଛି ବିଭାଗରେ ଏଭଳି ଏଗଜିଟ କାର୍ଯ୍ୟକ୍ରମ ଚଳାଇ ଆସୁଛି ଓ କର୍ମଚାରୀଙ୍କୁ ଛଟେଇ କରୁଛି। ଯେଉଁ କର୍ମଚାରୀମାନେ କମ୍ପାନୀର ନବସୃଜନଧାରା ସହିତ ଖାପଖୁଆଇ ପାରୁ ନାହାନ୍ତି, ସେମାନଙ୍କୁ ଛଟେଇ କରାଯାଉଛି ବୋଲି ଗୁଗଲ କହିଛି। ସୂଚନା ଅନୁସାରେ କମ୍ପାନୀର ପୂରା ଫୋକସ ବର୍ତ୍ତମାନ ଏଆଇ ଓ କ୍ଲାଉଡ କମ୍ପ୍ୟୁଟିଂ ଉପରେ ରହିଛି। ତେଣୁ କମ୍ପାନୀର ରିକ୍ରୁଟମେଣ୍ଟ ପ୍ରାୟୋରିଟିରେ ମଧ୍ୟ ଏହି ସେକ୍ଟର ସବୁଠାରୁ ଆଗରେ ରହିଛି।

୨୨% କର୍ମଚାରୀ ଛଟେଇ କରିବ କାନଭା

କେବଳ ଗୁଗଲ ନୁହେଁ ଅନଲାଇନ ଡିଜାଇନ ଓ ପବ୍ଲିସିଂ ପ୍ଲାଟଫର୍ମ କାନଭା ମଧ୍ୟ ଛଟେଇ ଆରମ୍ଭ କରିଛି। କମ୍ପାନୀ ନିଜ ଶ୍ରମବଳର ୨୨% କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। କମ୍ପାନୀର ଏହି ନିଷ୍ପତ୍ତିରେ ପାଖାପାଖି ୧୨୭୧ କର୍ମଚାରୀଙ୍କ ଚାକିରି ଯିବ। ନହେଲେ ସେମାନଙ୍କର ଦାୟିତ୍ୱରେ ପରିବର୍ତ୍ତନ କରାଯିବ, କିମ୍ବା ସେମାନଙ୍କୁ ସେଣ୍ଟ୍ରାଲ ହବ୍ସକୁ ପଠାଇ ଦିଆଯାଇପାରେ।

Also Read- ଭାରତରୁ ଜବରଦସ୍ତ ଆୟ କଲା ଆପଲ: ଆଇଫୋନ ୟୁଜରଙ୍କ ପାଇଁ ଲଞ୍ଚ ହେଲା ଆପଲ ପେ

ତେବେ ଏହି ଛଟେଇ ପଛରେ କାରଣ ହେଉଛି ଏଆଇ। ଆନ୍ଥ୍ରୋପିକର 'କ୍ଲାଉଡ୍' ଭଳି ନୂଆ ଏଆଇ ଟୁଲ୍ସ ମାଧ୍ୟମରେ ଲୋକେ ଡିଜାଇନ ଆଦି କାମ କରିପାରୁଛନ୍ତି। ତେଣୁ ତାଙ୍କୁ କୌଣସି ସ୍ୱତନ୍ତ୍ର ଡିଜାଇନ ଆପର ଆବଶ୍ୟକ ପଡ଼ୁ ନାହିଁ। ଫଳରେ କାନଭାର ବ୍ୟବସାୟ ମାନ୍ଦା ହେବାର ଆଶଙ୍କା ଦେଖା ଦେଇଛି। ନିବେଶକମାନେ ମଧ୍ୟ କମ୍ପାନୀରେ ନିବେଶ କରିବାକୁ ଡରୁଛନ୍ତି। ତେଣୁ କାନାଭ ଶ୍ରମବଳ ହ୍ରାସ କରି ଛୋଟ ଛୋଟ ବ୍ୟବସାୟ ସହ ମିଶି କାମ କରିବାକୁ ଗୁରୁତ୍ୱ ଦେଇଛି।

ଛଟେଇ ନେଇ କର୍ମଚାରୀଙ୍କୁ ନୋଟିସ କରିଥିବା କାନଭା ସିଇଓ ମେଲାନି ପାର୍କିନ୍ସ କହିଛନ୍ତି ଯେ ନୂଆ ଟେକ୍ନୋଲୋଜୀ ଲୋକଙ୍କର କ୍ରିଏଟ କରିବାର ଶୈଳୀ ଓ ସେମାନଙ୍କର ଆଶାକୁ ବଢ଼ାଇ ଦେଉଛି। ତେଣୁ ୧୩ ବର୍ଷ ପରେ କମ୍ପାନୀ ଏଭଳି ଏକ ମାନ୍ଦା ସ୍ଥିତିର ସାମ୍ନା କରୁଛି। ତେଣୁ କମ୍ପାନୀର ଛଟୋ ପରିବର୍ତ୍ତନ ବି ଯଥେଷ୍ଟ ହେବ ନାହିଁ ବୋଲି ସିଇଓ କହିଛନ୍ତି।