ମୋରଡା ୪।୧୧: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ରାଇଶୋଳ ଗ୍ରାମରେ ଦିନ ଦ୍ୱିପ୍ରହରରେ ଏକ ବଡ଼ଧରଣର ଚୋରି ଘଟଣା ଘଟିଛି । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର ପଛପଟ ତାରବାଡ଼ ଖୋଲି ଭିତରକୁ ପଶିବା ସହ ତାଲା ଭାଙ୍ଗି ଆଲମିରା ଓ ଗଡ଼ରେଜ ଖୋଲି ସୁନା ଗହଣା ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ।

ସୂଚନା ଅନୁଯାୟୀ, ବାରିପଦା-ଅମର୍ଦ୍ଦା ମୁଖ୍ୟ ରାସ୍ତା କଡ଼ରେ ଲକ୍ଷ୍ମୀକାନ୍ତ ବେହେରାଙ୍କ ଘର । ବଡ଼ ଝିଅର ବିବାହ ପାଇଁ ସେ କଷ୍ଟ ଉପାର୍ଜିତ ଅର୍ଥରେ ଗହଣା କିଣି ରଖିଥିଲେ । ଏଥିପାଇଁ ତାଙ୍କୁ ଘର ସାମ୍ନାପଟ ଜମି ମଧ୍ୟ ବିକ୍ରି କରିବାକୁ ପଡ଼ିଥିଲା । ଝିଅ କଲେଜ ମେସ୍ରେ ରହୁଥିବାରୁ ପରିବାର ଲୋକେ ମେସ୍କୁ ଦେଖା କରିବାକୁ ଯାଇଥିଲେ । ଅନ୍ୟପଟେ ଲକ୍ଷ୍ମୀକାନ୍ତ ସାନ ଝିଅକୁ ସ୍କୁଲରେ ଛାଡ଼ି ଘରକୁ ଫେରିଥିଲେ । ଏହି ସମୟରେ ଘର ପଛପଟେ ଜଣେ ବ୍ୟକ୍ତିଙ୍କୁ ଦେଖିବା ସହ ରାସ୍ତାର ଅପରପାର୍ଶ୍ୱରେ ଏକ କଳା ରଙ୍ଗର କାର୍ ଛିଡ଼ା ହୋଇଥିବା ଦେଖିଥିଲେ । ତେବେ ସେତେବେଳେ କୌଣସି ସନ୍ଦେହ ନକରି ଦମ୍ପତି ଘରକୁ ପ୍ରବେଶ କରିଥିଲେ । ମାତ୍ର ଘରର କବାଟ ଭଙ୍ଗାଥିବା ଦେଖି ସେମାନଙ୍କର ସନ୍ଦେହ ହୋଇଥିଲା । ଭିତରକୁ ଯାଇ ଦେଖିବା ବେଳକୁ ଆଲମିରା ଓ ଗଡ଼ରେଜ ଭଙ୍ଗାରୁଜା ହୋଇ ପଡ଼ିଥିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କାର ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ୧୦ ହଜାର ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଥିଲା । ପରେ ଦେଖିବାକୁ ପାଇଥିଲେ ଘର ପଛପଟ ତାରବାଡ଼ ଖୋଲି ଭିତରକୁ ପଶିଥିଲେ ଚୋର । ପରେ ରାସଗୋବିନ୍ଦପୁର ଥାନାକୁ ଖବର ଦିଆଯାଇଥିଲା ।

Also Read:-ଗଞ୍ଜାମ ବନ୍ୟା ପରେ ତେଜିଲା ରାଜନୀତି, ବିରୋଧୀଙ୍କ ଅଭିଯୋଗକୁ BJPର ଖଣ୍ଡନ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦିନ ଦ୍ୱିପ୍ରହରରେ ମୁଖ୍ୟ ରାସ୍ତା କଡ଼ରେ ଏଭଳି ଚୋରି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଚୋରଙ୍କୁ ତୁରନ୍ତ ଗିରଫ କରିବା ସହ ଲୁଟ୍ ହୋଇଥିବା ଗହଣା ଫେରସ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି । କଳା କାର୍କୁ ନେଇ ତନାଘନା କରୁଛି ପୋଲିସ ।