ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଥରେ ଷ୍ଟାରଡମ ମିଳିଗଲା ପରେ ଖେଳାଳିଙ୍କ ଚାହିଦା କେତେ କଣ ବଢିଯାଏ। ବିସିସିଆଇର ଚୁକ୍ତିନାମାଠୁ ନେଇ ବିଜ୍ଞାପନ ପ୍ରାୟୋଜକ ଏବଂ ବ୍ରାଣ୍ଡ ଆମ୍ବାସଡର ପରି ସଫଳତା ପାଦ ଚୁମିଥାଏ। ଥରେ ତାରକା ଖେଳାଳି ହୋଇଗଲା ପରେ ଉକ୍ତ ଖେଳାଳିଙ୍କ ପଡ଼ିଆରେ ପ୍ରଦର୍ଶନଠୁ ନେଇ ପ୍ରାକ୍ଟିସ ଏବଂ ସାଧାରଣ ଜୀବନଚର୍ଯା ସବୁ କ୍ରିକେଟ୍ ପ୍ରେମୀଙ୍କ ନଜରରେ ରହିଥାଏ। ତାଙ୍କ ପସନ୍ଦର ଖେଳାଳି କଣ ଖାଇଲା, କଣ ପିଇଲା, କେଉଁ ପୋଷାକ ପିନ୍ଧିଲା, କେଉଁ ବ୍ରାଣ୍ଡର ହାତ ଘଣ୍ଟା, ଜୋତା ପିନ୍ଧିଲେ ସବୁକୁ ଟିକି ନିଖି ନଜର ରଖନ୍ତି ପ୍ରଶଂସକ ଓ କ୍ରୀଡ଼ା ସାମ୍ବାଦିକ। ସେ ସଚିନ ହୁଅନ୍ତୁ କି କୋହଲି ଅବା ରୋହିତ, ଏସବୁ ଖେଳାଳି ଏହି ପର୍ଯ୍ୟାୟ ଦେଇ ଗତି କରିଛନ୍ତି। ଏବେ ଟିମ୍ ଇଣ୍ଡିଆର ଯୁବ ଅଧିନାୟକ ଶୁଭମନ ଗିଲଙ୍କ ଗତିବିଧି ଉପରେ ସଭିଙ୍କ ନଜର। ଏହା ମଧ୍ୟରେ ଅଧିନାୟକ ଗିଲଙ୍କ ଅଭ୍ୟାସ ବେଳର ଏକ ଦୃଶ୍ୟ ଏବଂ ଚିତ୍ର ସାମ୍ନାକୁ ଆସିଛି। ଏଥିରେ ଗିଲଙ୍କ ମଥାର ଡାହାଣ ପାର୍ଶ୍ଵରେ କଣ ଗୋଟିଏ ଡିଭାଇସ ଲାଗିଥିବା ଦେଖିବାକୁ ମିଳିଛି। ତେବେ ଗିଲ୍ ଏହି ଡିଭାଇାସ୍ କାହିଁକି ଲଗାଇଛନ୍ତି ?  କଣ ଏହି ଡିଭାଇସର କାମ  ଏହି ପ୍ରଶ୍ନ ଏବେ କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି।

Also Read: IND vs NZ 1st ODI: ଚମତ୍କାର ଫିଲ୍ଡିଂ କରି ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଲେ RO-KO, ଦେଖନ୍ତୁ Video

ଏକ ସ୍ଵତନ୍ତ୍ର ଡିଭାଇସ୍ ମଥାରେ ଲଗାଇ ଅକଲାଣ୍ଡରେ ଅଭ୍ୟାସ୍ କରୁଥିବା ଶୁଭମନ ଗିଲଙ୍କୁ ଦେଖିବାକୁ ମିଳିଛି। ଏହା ପରେ ପ୍ରତିଟି କ୍ରିକେଟ୍ ପ୍ରେମୀ ଏହି ଟେକ୍ ଡିଭାଇସ୍ ବିଷୟରେ ଜାଣିବାକୁ ଉତ୍ସୁକ ହୋଇ ଉଠିଛନ୍ତି। ଗିଲଙ୍କ ପୂର୍ବରୁ ଦେଶର ଷ୍ଟାର ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ମଧ୍ୟ ଏହି ଡିଭାଇସ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଏହି ବିଷୟରେ ମଧ୍ୟ ଖୋଲି କି କହିଛନ୍ତି ଦୁଇ ଥରର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ତାଙ୍କ କହିବା କଥା ଗିଲ୍ ଏ ପର୍ଯ୍ୟନ୍ତ ଏହି ଡିଭାଇସରୁ ମିଳୁଥିବା ଡାଟା ବିଷୟରେ ବୁଝି ସାରିଥିବେ। ସେ ଜାଣିଛନ୍ତି ଏହି ଡିଭାଇସକୁ କେମିତି ଢଙ୍ଗରେ ଭଲ ଭାବେ ଉପଯୋଗ କରାଯାଇ ପାରିବ।

କଣ ଏହି ଡିଭାଇସ୍

ଭାରତୀୟ ଅଧିନାୟକଙ୍କ ମଥା ପାର୍ଶ୍ଵରେ ଯେଉଁ ଡିଭାଇସ୍ ଲାଗିଛି ତାହାକୁ ଟେମ୍ପଲ କୁହାଯାଏ। ଯାହା ଶାରୀରିକ ଏବଂ ସ୍ନାୟୁଗତ ତଥ୍ୟ ସଂଗ୍ରହ କରିବା ପାଇଁ ଅଧ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ଡିଭାଇସ୍। ଗିଲ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡରେ ଏକ ତାଲିମ ଅଧିବେଶନ ସମୟରେ ଏହାକୁ ବ୍ୟବହାର କରୁଥିବାର ଦେଖାଯାଇଥିଲା। ସାଧାରଣଃ ଖେଳାଳିମାନେ ନିଜ ଶରୀରର କାର୍ଯ୍ୟକଳାପ, ଶାରୀରିକ ସ୍ଥିତି ଏବଂ ପ୍ରଦର୍ଶନକୁ ଭଲ ଭାବେ କେମିତି ବୁଝିବା ପାରିବେ ଏହି ଡିଭାଇସ୍ ସାହାଯ୍ୟ କରିଥାଏ।

Also Read: ନିଜର ବିଶ୍ଵ ରେକର୍ଡ ଭାଙ୍ଗିଲେ କିଙ୍ଗ କୋହଲି, ODI କ୍ରିକେଟରେ ଦୁନିଆର ପ୍ରଥମ ବ୍ୟାଟର...

‘ଟେମ୍ପଲ୍’ ହେଉଛି ଏକ ଅତ୍ୟାଧୁନିକ ପିନ୍ଧିବା ଯୋଗ୍ୟ ଟେକ୍ନୋଲୋଜି ଡିଭାଇସ୍। ଏହା ମସ୍ତିଷ୍କକୁ ରକ୍ତ ପ୍ରବାହ ସହ ଜଡ଼ିତ ତଥ୍ୟ ଏବଂ ଶରୀରର ଅନ୍ୟାନ୍ୟ ଶାରୀରିକ ସଙ୍କେତ ସଂଗ୍ରହ କରିଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଖେଳାଳିମାନେ ଶାରୀରିକ ଓ ମାନସିକ ଚାପର କିପରି ସାମ୍ନା କରୁଛନ୍ତି, ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା। ଏହି ତଥ୍ୟକୁ ଆଧାର କରି ଖେଳାଳି ଏବଂ ସେମାନଙ୍କ ପ୍ରଦର୍ଶନ ବିଶେଷଜ୍ଞ ଦଳ ଶରୀରର ପ୍ରତିକ୍ରିୟାକୁ ଅଧ୍ୟୟନ କରିପାରିବେ।

ଅଭ୍ୟାସ ଓ ପ୍ରତିଯୋଗିତା ସମୟରେ ଖେଳାଳିଙ୍କ ମାନସିକ ଚାପ, ଏକାଗ୍ରତା ଉପରେ ପଡ଼ୁଥିବା ପ୍ରଭାବ ଏବଂ ଶାରୀରିକ ପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ଦେବା ପାଇଁ ଏହି ଡିଭାଇସ୍କୁ ଡିଜାଇନ୍ କରାଯାଇଛି। ଏହାଦ୍ୱାରା ଜଣେ ଖେଳାଳିଙ୍କ ଶାରୀରିକ ସ୍ଥିତିକୁ ଅଧିକ ଭଲ ଭାବେ ବୁଝିବାରେ ସହାୟତା ମିଳିପାରେ। ତେବେ ଏହି ଡିଭାଇସ୍କୁ ଖେଳାଳିଙ୍କ ପ୍ରଦର୍ଶନ ମାପିବାର ସିଧାସଳଖ ମାପକ ଭାବେ ଗ୍ରହଣ କରାଯାଇପାରିବ ନାହିଁ। କାରଣ ଡିଭାଇସ୍ ସିନା ତଥ୍ୟ ଦେଇ ଦେବ, କିନ୍ତୁ ପଡ଼ିଆରେ ତ ବ୍ୟାଟ୍ ଜରିଆରେ ପରିସ୍ଥିତି ଅନୁସାରେ ପ୍ରଦର୍ଶନ କରିବାକୁ ପଡ଼ିବ।

Also Read: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସକୁ ଯିବା କନଫର୍ମ ! MIରୁ ଖେଳିବେ ଅର୍ଶଦୀପ; ଟ୍ରେଡ ଡିଲ୍ ଉପରେ ଆସିଲା ବଡ଼ ଅପଡେଟ୍

ଡିଭାଇସ୍ ବିଷୟରେ କଣ କହିଛନ୍ତି ପିଭି ସିନ୍ଧୁ

କେବଳ ଗିଲ୍ ନୁହନ୍ତି, ବ୍ୟାଡମିଣ୍ଟନ ତାରକା ପିଭି ମଧ୍ୟ ଏହି ଡିଭାଇସ୍ ବ୍ୟବହାର କରୁଛନ୍ତି। ସିନ୍ଧୁ କହିଛନ୍ତି, ଏହି ଡିଭାଇସ୍ ଆପଣଙ୍କ କଗ୍ନିଟିଭ ପରଫରମାନ୍ସ ଅର୍ଥାତ ମାନସିକ ପ୍ରଦର୍ଶନ ସଂପର୍କିତ ସୂଚନା ଦେଇଥାଏ। କେବଳ ଏତିକି ନୁହେଁ ଏହା ଆପଣଙ୍କ ହାର୍ଟ ରେଟ୍ ଭେରିଏଟେବଲ ସ୍କୋର, ହାର୍ଟ ରେଟ୍ ଓ ଅନ୍ୟ ଶାରୀରିକ ପାରାମିଟର ମଧ୍ୟ ଟ୍ରାକ କରିପାରେ।

ଭାରତୀୟ ଷ୍ଟାର ସିନ୍ଧୁ କହିଛନ୍ତି, ଗିଲ୍ ଦୀର୍ଘ ସମୟ ଧରି ଖେଳି ଆସୁଛନ୍ତି। ତାଙ୍କ ପାଇଁ ଏହି ଟେମ୍ପଲ ଡିଭାଇସ୍ ବହୁତ ଉପଯୋଗୀ ରହିବ। ମୁଁ ତ ଏହାକୁ ବ୍ୟବହାର କରି ବହୁତ ଉପକାର ପାଉଛି। ଗିଲ୍ ଏହାର ଉପକାରିତା ବୁଝି ସାରିଥିବେ। ସେ ଏହା ମଧ୍ୟ ଜାଣି ସାରିଥିବେ ଯେ,ଖେଳିବା ସମୟରେ ହେଉ କି ବିଶ୍ରାମ ସମୟରେ ସେଥିରୁ ମିଳୁଥିବା ତଥ୍ୟକୁ କେମିତି ଉପଯୋଗ କରାଯିବ। ଖାସ୍ କରି ରାତି ଗଭୀର ନିଦରେ ଶୋଇବା ପରେ ପରବର୍ତ୍ତୀ ଦିନ ଶରୀର କେମିତି ଅନୁଭବ କରୁଛି, ତାହା ଟ୍ରାକ କରିବାରେ ଏହା ବେଶ ସହାୟକ ହେଉଛି।