ନୂଆଦିଲ୍ଲୀ: ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ଆଶଙ୍କା ମଧ୍ୟରେ, ଭାରତୀୟ ପରିବାର ନିଜର ପୁରୁଣା ସୁନା ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ପୁରୁଣା ସୁନା ବିକ୍ରି କରି ଏଗୁଡ଼ିକୁ ଟଙ୍କାରେ କନଭର୍ଟ କରୁଛନ୍ତି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ର ତଥ୍ୟକୁ ନେଇ ଇକୋନୋମିକ୍ ଟାଇମ୍ସର ଏହି ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ଏପ୍ରିଲ-ଜୁନ୍ ତ୍ରୈମାସିକରେ ଭାରତୀୟ ପରିବାର ପ୍ରାୟ ୫୦ ଟନ୍ ପୁରୁଣା ସୁନା ବିକ୍ରି କରିଛନ୍ତି। ଯାହା ପୂର୍ବ ବର୍ଷର ପୁରୁଣା ସୁନା ବିକ୍ରି ପରିମାଣ ତୁଳନାରେ ୪୩ ପ୍ରତିଶତ ଅଧିକ।

କାହିଁକି ସୁନା ବିକି ଟଙ୍କା ନେଉଛନ୍ତି ଭାରତୀୟ ପରିବାର ?

ଏନେଇ ଆବିଜେଏର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି ଯେ, ବର୍ତ୍ତମାନ ସୁନାର ମୂଲ୍ୟ ବହୁତ ଅଧିକ ରହିଛି। ତେଣୁ ଏହି ସମୟରେ ଭାରତୀୟ ପରିବାର ନିଜ ପୁରୁଣା ସୁନାକୁ ଉଚ୍ଚମୂଲ୍ୟରେ ବିକ୍ରି କରି ଅଧିକ ଟଙ୍କା ପାଇବା ଆଶାରେ ଅଛନ୍ତି। ତେଣୁ ବିକ୍ରି ବଢ଼ୁଛି। ଏହା ପଛରେ ଏକ ଭୟ ବି ରହିଛି। ତାହା ହେଲା ବର୍ଷ ଆରମ୍ଭରେ ସୁନା ଦର ୧୦ ଗ୍ରାମ ପିଛା ୧.୮ ଲକ୍ଷ ଟଙ୍କାରୁ ଖସି ବର୍ତ୍ତମାନ ୧.୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ତେଣୁ ଗ୍ରାହକଙ୍କ ମନରେ ଭୟ ରହିଛି ଯେ ଦର ଆହୁରି ହ୍ରାସ ପାଇ ୧.୨ ଲକ୍ଷ ଟଙ୍କାକୁ ଖି ଆସିପାରେ। ତେଣୁ ଅଧିକ ଲାଭ ପାଇବା ଆଶାରେ ଭାରତୀୟ ଚଢ଼ା ଦରରେ ସୁନା ବିକ୍ରି କରୁଛି ବୋଲି ଶ୍ରୀ ମେହେଟ୍ଟା ଇଟିକୁ କହିଛନ୍ତି। ସୁନା କିଣୁଥିବା କମ୍ପାନୀଗୁଡ଼ିକ ମଧ୍ୟ ସମାନ ଟ୍ରେଣ୍ଡ ଲକ୍ଷ୍ୟ କରିଛନ୍ତି।

ଯେହେତୁ ସୁନାର ପ୍ରଡକ୍ସନ ଭାରତରେ ବହୁତ କମ ତେଣୁ, ଆମେ ସୁନା ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇ ରହିଛି। ଇଟି ରିପୋର୍ଟ ଅନୁଯାୟୀ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୨.୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସୁନା ଆମଦାନୀ କରିଥିବାବେଳେ, ୨୦୨୫ ମସିହାରେ ପୁରୁଣା ସୁନାରୁ ପ୍ରାୟ ୧୨୫-୧୫୦ ଟନ୍ ସୁନା ମିଳିଥିଲା। ଇଣ୍ଡଷ୍ଟ୍ରି ଆକଳନରୁ ରିପୋର୍ଟ ନେଇ ଇଟି କହିଛି ଯେ ଯଦି ବର୍ତ୍ତମାନର ଟ୍ରେଣ୍ଡ୍ ଜାରି ରହେ, ତେବେ ୨୦୨୬ ମସିହାରେ ଏହି ପରିମାଣ ବୃଦ୍ଧି ପାଇ ୨୦୦-୨୫୦ ଟନ୍ ହୋଇପାରେ।

ସୁନା ଦର କ୍ରମାଗତ ଚତୁର୍ଥ ମାସ ପାଇଁ ହ୍ରାସ

ମଙ୍ଗଳବାର ଦିନ ସୁନା ଦରରେ ପୁଣି ଥରେ ହ୍ରାସ ଦେଖିବାକୁ ମିଳିଛି। ଆମେରିକୀୟ ଡଲାରର ମଜବୁତ ସ୍ଥିତି ଏବଂ ସୁଧ ହାର ବୃଦ୍ଧି ହେବାର ଆଶଙ୍କା କାରଣରୁ ସୁନା ଚାହିଦା କମିବାରେ ଲାଗିଛି, ଯାହା ଫଳରେ ଦର କ୍ରମାଗତ ଦ୍ୱିତୀୟ ଅଧିବେଶନ ପାଇଁ ଖସିଛି। ସକାଳ ୫:୪୦ ସୁଦ୍ଧା, ସ୍ପଟ୍ ଗୋଲ୍ଡ ୦.୨ ପ୍ରତିଶତ ବା ୯ ଡଲାର ହ୍ରାସ ପାଇ ଆଉନ୍ସ ପ୍ରତି ୪,୦୦୮.୨୪ ଡଲାରରେ ରହିଛି। କ୍ରମାଗତ ଚତୁର୍ଥ ମାସ ପାଇଁ ସୁନା ଦର ହ୍ରାସ ଜାରି ରହିଛି। ଜୁନ୍ ମାସରେ ଦର ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏପ୍ରିଲ ୨୦୨୬ ପରଠାରୁ ଏହା ସର୍ବାଧିକ ମାସିକ ହ୍ରାସ। ଜୁନ୍ ୩୦ ତାରିଖରେ MCX ରେ ଅଗଷ୍ଟ ଫ୍ୟୁଚର୍ସ କଣ୍ଟ୍ରାକ୍ଟ ପାଇଁ ସୁନା ଦର ୧.୩ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୧,୪୦,୯୫୦ ଟଙ୍କାରେ କାରବାର କରୁଥିଲା। ଅନ୍ୟପକ୍ଷରେ, ସକାଳ ୯:୧୩ ସୁଦ୍ଧା ଏମସିଏକ୍ସ ରୁପା ଫ୍ୟୁଚର୍ସ ଦର ପ୍ରାୟ ୧.୦୮ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପ୍ରତି ୨,୨୦,୬୭୦ ଟଙ୍କାରେ କାରବାର କରୁଥିଲା।