ଭୁବନେଶ୍ୱର: ସୁନା ଓ ରୁପା କିଣିବାକୁ ଯାଉଥିବା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର। ଆଜି, ୧୯ ଜୁନରେ ବଜାରରେ ସୁନା ଓ ରୁପା ଦରରେ ବଡ଼ ହ୍ରାସ ରେକର୍ଡ କରାଯାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA)ର ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ରୁପା କେଜି ପ୍ରତି ୯,୨୦୯ ଟଙ୍କା ଶସ୍ତା ହୋଇଥିବାବେଳେ ସୁନା ଦରରେ ମଧ୍ୟ ହ୍ରାସ ଘଟିଛି।

ଦରରେ ପରିବର୍ତ୍ତନ:
ରୁପା: ଆଜି ରୁପା ଦର ୯,୨୦୯ ଟଙ୍କା ଶସ୍ତା ହୋଇ କେଜି ପ୍ରତି ଦର ୨.୩୧ ଲକ୍ଷ ଟଙ୍କାକୁ ଖସିଆସିଛି। ଏହା ପୂର୍ବରୁ ଗତକାଲି ରୁପା କେଜି ୨.୪୦ ଲକ୍ଷ ଟଙ୍କା ଥିଲା। ଚଳିତ ମାସର ମାତ୍ର ୧୯ ଦିନ ଭିତରେ ରୁପା ଦର ପ୍ରାୟ ୩୨,୦୦୦ ଟଙ୍କା ହ୍ରାସ ପାଇଛି।
ସୁନା: ସହିପରି ଆଜି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୩,୧୫୨ ଟଙ୍କା କମି ନୂଆ ଦର ୧.୪୫ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ଚଳିତ ମାସ ୧୯ ଦିନ ମଧ୍ୟରେ ସୁନା ମୂଲ୍ୟରେ ୧୧,୦୦୦ ଟଙ୍କାର ହ୍ରାସ ଦେଖିବାକୁ ମିଳିଛି।
ଦର କମିବାର ମୁଖ୍ୟ କାରଣ
ଅନ୍ତର୍ଜାତୀୟ ବଜାର ଓ ଆର୍ଥିକ ନୀତିରେ ପରିବର୍ତ୍ତନ ଏହି ଦର ହ୍ରାସର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଯୁଦ୍ଧ ଆଶଙ୍କା ହ୍ରାସ: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ନିବେଶକମାନେ ନିରାପଦ ନିବେଶ (Safe Haven) ଭାବେ ବିବେଚିତ ହେଉଥିବା ସୁନା ଓ ରୁପାରୁ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି।
ଫେଡେରାଲ୍ ରିଜର୍ଭର ନୀତି: ଆମେରିକୀୟ ଫେଡେରାଲ୍ ରିଜର୍ଭ ସୁଧ ହାର ବଢ଼ାଇବା ନେଇ ସଙ୍କେତ ଦେବା ପରେ ବଜାରରେ ଡଲାର ମଜବୁତ ହୋଇଛି, ଯାହା ସୁନା ଦର ଉପରେ ଚାପ ପକାଇଛି।ଲାଭ କାରବାର: ସୁନା ଓ ରୁପା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ବଡ଼ ବ୍ୟବସାୟୀ ଓ ନିବେଶକମାନେ 'ପ୍ରଫିଟ୍ ବୁକିଂ' ବା ଲାଭ କାରବାର କରିବା ଯୋଗୁ ହଠାତ୍ ଦର ହ୍ରାସ ପାଇଛି।

ଗ୍ରାହକଙ୍କ ପାଇଁ ସତର୍କତା
ବର୍ତ୍ତିମାନର ସ୍ଥିତିକୁ ଦେଖି ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା କିଣିବାକୁ ମନା କରିଥିଲେ, ତେବେ ବି ଆବଶ୍ୟକତା ଦୃଷ୍ଟିରୁ ଲୋକେ ସୁନା କିଣିବା ଜାରି ରଖିଛନ୍ତି। ସୁନା କିଣିବା ସମୟରେ ଜାଲିଆତିରୁ ବଞ୍ଚିବା ପାଇଁ ବିଶେଷଜ୍ଞମାନେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଆସନ୍ତୁ ସେଗୁଡ଼ିକୁ ବୁଝିବା।

୧. ହଲମାର୍କ ଯାଞ୍ଚ: ସର୍ବଦା BIS ହଲମାର୍କ ଥିବା ଗହଣା କିଣନ୍ତୁ। ସୁନାର ଶୁଦ୍ଧତା ପରଖିବା ପାଇଁ ଏଥିରେ ଥିବା ଆଲଫାନୁମେରିକ୍ କୋଡ୍ (ଯେପରିକି AZ4524) ଯାଞ୍ଚ କରିବା ଜରୁରୀ।୨. ଦର ତୁଳନା କରନ୍ତୁ: ଗହଣା କିଣିବା ପୂର୍ବରୁ IBJA ଭଳି ଅଧିକୃତ ସଂସ୍ଥାର ୱେବସାଇଟରୁ ସେହି ଦିନର ସଠିକ୍ ଦର ଜାଣିନିଅନ୍ତୁ।