ଭୁବନେଶ୍ୱର, ୧୮।୧୧ : ପ୍ରେମ ବିବାଦକୁ କେନ୍ଦ୍ର କରି ପ୍ରେମିକ ସାମନାରେ ଜଣେ ଯୁବତୀ ନିଜକୁ ଜାଳି ଦେଇଛନ୍ତି। ରାଜଧାନୀର ଇନଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଅଞ୍ଚଳରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପଥରଗାଡ଼ିଆ ସ୍ଥିତ ଏକ କାଫେ ନିକଟରେ ମଙ୍ଗଳବାର ରାତିରେ ଏଭଳି ହୃଦୟ ବିଦାରକ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। କାଫେ ଭିତରେ କ’ଣ ଏଭଳି ଘଟଣା ଘଟିଲା ଯାହାକୁ ନେଇ ଯୁବତୀ ଜଣକ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ତା’ର ଅନୁସନ୍ଧାନ ଚଳାଇଛି ପୁଲିସ।

ଯୁବତୀ ଜଣଙ୍କ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପରେ ଏମସରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣକ ନୂଆପଲ୍ଲୀ ଥାନା ଅଞ୍ଚଳରେ ଏକ ନର୍ସିଂ ଇନଷ୍ଟିଚ୍ୟୁଟର କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସ୍ଥାନୀୟ ଲୋକେ ଉକ୍ତ ଯୁବକକୁ ଅଟକାଇ ପୋଲିସ୍ ଜିମା ଦେଇଥିଲେ। ଯୁବକର ଘର ଅନୁଗୋଳ ବୋଲି ପୋଲିସ କହୁଛି।

Also Read :- ପାଖେଇ ଆସିଲା ବାତ୍ୟା 'ଅକଭାନ୍' : ଆନ୍ଧ୍ରରେ କରିବ ଲ୍ୟାଣ୍ଡଫଲ୍, ଏହାପରେ ଓଡ଼ିଶାରେ ପଶିବ

ପୋଲିସ ସୂଚନା ମୁତାବକ, ଯୁବତୀଙ୍କର କିଛି ମାସ ତଳୁ ଉକ୍ତ ଯୁବକଙ୍କ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ମଙ୍ଗଳବାର ସେମାନେ ପଥରଗାଡ଼ିଆ ୨୦୦ ଫୁଟିଆ ରାସ୍ତାରେ ଥିବା ଏକ କାଫେରେ ପୁଣି ଏକାଠି ହୋଇଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ହଠାତ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କକୁ ନେଇ କୌଣସି ମତାନ୍ତର ଦେଖାଦେଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣଙ୍କ କାଫେ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଯନ୍ତ୍ରଣାରେ ଏଣେ ତେଣେ ଧାଇଁ ଶେଷରେ ତଳେ ପଡ଼ି ଛଟପଟ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ପୋଲିସ୍କୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନେଇଥିଲା।

ସ୍ଵାସ୍ଥ୍ୟବସ୍ଥା ଜଟିଳ ଥିବାରୁ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ବର୍ଣ୍ଣ ୟୁନିଟ୍ରେ ରଖାଯାଇଛି। ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ଡିସିପି ଶ୍ରବଣା ବିବେକ୍ ଏମଙ୍କୁ ପଚରାଯିବାରେ ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯୁବତୀ ଜଣଙ୍କ ପେଟ୍ରୋଲ ନିଜ ଦେହରେ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ କ’ଣ ପାଇଁ ସେ ଏମିତି ଚରମ ନିଷ୍ପତ୍ତି ନେଇଥିଲେ ତାହା ବିଷୟରେ ଠିକ୍ ତଥ୍ୟ ମିଳି ନାହିଁ। ପୁରୁଷ ବନ୍ଧୁକୁ ପଚରାଉଚରା କରାଯାଉଛି। ସେ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି କି ନାହିଁ ସେନେଇ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଯାଞ୍ଚ ଚାଲିଛି। ଖୁବ୍ଶୀଘ୍ର ଘଟଣାର ସବୁ ସତ୍ୟ ଜଣାପଡ଼ିଯିବ ବୋଲି ସେ କହିଛନ୍ତି ।