ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିସୋଦିଆ ଏବଂ ଅନ୍ୟ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟ ୩ ସପ୍ତାହର ସମୟ ଦେଇଛନ୍ତି । ଅପରାଧିକ ଅବମାନନା ମାମଲାରେ ସେମାନେ ପକ୍ଷ ରଖୁନାହାନ୍ତି । ବାରମ୍ବାର ଏହି ମାମଲାରେ ଶୁଣାଣି ତାରିଖ ଧାର୍ଯ୍ୟ ହେଉଥିଲେ ବି ସେମାନେ ନିଜର ପକ୍ଷ ରଖିବାରେ ଅସମର୍ଥ ହୋଇଛନ୍ତି । ତେଣୁ ହାଇକୋର୍ଟ ୩ ସପ୍ତାହର ଶେଷ ସୁଯୋଗ ଦେଇଛନ୍ତି ।  ମଙ୍ଗଳବାର ଦିନ ବିଚାରପତି ଅରୁଣ ଭରଦ୍ୱାଜ ଏବଂ ବିଚାରପତି ନବୀନ ଚାୱଲାଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ଦାଖଲ କରିନଥିବାରୁ ଆପ୍ ନେତାମାନଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଯଦି ଏହି ତିନି ସପ୍ତାହ ମଧ୍ୟରେ ସେମାନେ ନିଜର ପକ୍ଷ ନ ରଖନ୍ତି, ତେବେ ପରବର୍ତ୍ତୀ ସମୟରେ ଜବାବ ଦେବାର ଅଧିକାର ହରାଇବେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

ଶୁଣାଣି ସମୟରେ ମାମଲାରେ ହେଉଥିବା ଅଯଥା ବିଳମ୍ବକୁ ନେଇ ଖଣ୍ଡପୀଠ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟଙ୍କ ରେଜିଷ୍ଟ୍ରି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅଭିଯୁକ୍ତମାନଙ୍କୁ ମାମଲାର ସମ୍ପୂର୍ଣ୍ଣ ଦସ୍ତାବିଜ ପ୍ରଦାନ କରାଯାଇଛି। ଏହାକୁ ଆଧାର କରି ଖଣ୍ଡପୀଠ ଅଧିକ ସମୟ ଦେବାକୁ ମନା କରିଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ରେଜିଷ୍ଟ୍ରିର ରିପୋର୍ଟ ଅନୁଯାୟୀ ସମସ୍ତ କାଗଜପତ୍ର ଦିଆଯାଇସାରିଥିବାରୁ ଏବେ ଜବାବ ଦାଖଲ ନକଲେ ସେମାନଙ୍କର ଅଧିକାର ସମାପ୍ତ କରିଦିଆଯିବ। 

ଦିଲ୍ଲୀ ଅବକାରୀ ନୀତି ମାମଲାର ଶୁଣାଣି ଚାଲିଥିବା ସମୟରେ ସୋସିଆଲ ମିଡିଆ ଏବଂ ସାର୍ବଜନୀନ ମଞ୍ଚରେ ଦିଆଯାଇଥିବା କିଛି ମନ୍ତବ୍ୟକୁ ନେଇ ହାଇକୋର୍ଟର ବିଚାରପତି ସ୍ୱର୍ଣ୍ଣକାନ୍ତା ଶର୍ମା ୨୦୨୩ ମେ ୧୪ରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂହ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ବିନୟ ମିଶ୍ରଙ୍କ ବିରୋଧରେ ନିଜ ଆଡ଼ୁ ଅପରାଧିକ ଅବମାନନା ମାମଲା ଆରମ୍ଭ କରିଥିଲେ। ବିଚାରପତି ତାଙ୍କ ଆଦେଶରେ ଦର୍ଶାଇଥିଲେ ଯେ, ଏହି ପୋଷ୍ଟଗୁଡ଼ିକ ବିଚାରପତିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ଏବଂ ତାଙ୍କର କାର୍ଯ୍ୟଧାରାକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରିଛି। ଆଇନଗତ ପନ୍ଥା ଆପଣାଇବା ପରିବର୍ତ୍ତେ ଏହା ଏକ ସୁଚିନ୍ତିତ ବଦନାମ ଅଭିଯାନ ବୋଲି ସେ କହିଥିଲେ। 

ଏହାପରେ ମେ ୧୯ ତାରିଖରେ ଖଣ୍ଡପୀଠ ସମ୍ପୃକ୍ତ ନେତାମାନଙ୍କୁ ନୋଟିସ୍ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଥିଲେ ଏବଂ କୋର୍ଟଙ୍କୁ ସହାୟତା କରିବା ପାଇଁ ବରିଷ୍ଠ ଆଇନଜୀବୀ ରାଜଦୀପା ବେହୁରାଙ୍କୁ ଆମିକସ୍ କ୍ୟୁରି  ନିଯୁକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୨୭ ତାରିଖରେ ଏକ ନିମ୍ନ ଅଦାଲତ ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲ, ସିସୋଦିଆ ଏବଂ ଅନ୍ୟ ୨୧ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ।

ସିବିଆଇ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ପରେ ଆପ୍ ନେତାମାନେ ବିଚାରପତି ସୂର୍ଯ୍ୟକାନ୍ତା ଶର୍ମାଙ୍କୁ ଏହି ମାମଲାର ଶୁଣାଣିରୁ ଓହରି ଯିବାକୁ ଅନୁରୋଧ କରିଥିଲେ। ତେବେ ଏପ୍ରିଲ ୨୦ ତାରିଖରେ ବିଚାରପତି ସ୍ୱର୍ଣ୍ଣକାନ୍ତା ଶର୍ମା  ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହି ଟଣାଓଟରା ମଧ୍ୟରେ ଆପ୍‌ ନେତାମାନଙ୍କ ବିରୋଧରେ ଅପରାଧିକ ଅବମାନନା ମାମଲା ଆରମ୍ଭ କରିଥିଲେ ଜଷ୍ଟିସ୍‌ ଶର୍ମା । ପରେ ମଦ ନୀତି ମାମଲାର ଶୁଣାଣି ଦାୟିତ୍ବ ଅନ୍ୟ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରିଥିଲେ ।