ନୂଆଦିଲ୍ଲୀ: ଦୀପାବଳି ସରିବା ପରେ ଏବେ ପୁଣି ମହଙ୍ଗା ମାଡ଼ ଆରମ୍ଭ ହୋଇଯାଇଛି। କଞ୍ଜ୍ୟୁମର୍ସ ଗୁଡ୍ସ ତିଆରି କରୁଥିବା କମ୍ପାନୀ ସ୍ମାର୍ଟଫୋନ, ଟିଭି, ଫ୍ରିଜ୍ ଓ ଦୈନ୍ଦିନ ସାମଗ୍ରୀ ଦର ବଢ଼ାଇବା ଆରମ୍ଭ କରିଛନ୍ତି। ବଢ଼ୁଥିବା ଖର୍ଚ୍ଚ ପୂରଣ କରିବା ଏବଂ ନିଜ ମାର୍ଜିନକୁ ସୁରକ୍ଷା ଦେବାକୁ କମ୍ପାନୀଗୁଡ଼ିକ ଦର ବୃଦ୍ଧି କରିବା ସହ ସମଗ୍ରୀ ପ୍ୟାକେଟ ଛୋଟ କରୁଛନ୍ତି। ଏହି ଦର ବୃଦ୍ଧିର ପ୍ରଭାବ ସାଧାରଣ ପରିବାରର ବଜେଟକୁ ବିଗାଡିପାରେ।

ବିସ୍କୁଟ ପ୍ୟାକେଟ୍ ଛୋଟ ହେବ, ଲୁଣ ଓ ସସ୍ ମହଙ୍ଗା

ଏଫ୍ଏମସିଜି ସେକ୍ଟରରେ କମ୍ପାନୀଗୁଡ଼ିକ ଉପରେ ଖର୍ଚ୍ଚର ପ୍ରଭାବ ଲଗାତର ବଢ଼ିବାରେ ଲାଗିଛି। ଗତ ତ୍ରୈମାସିକରେ ରିଫାଇଣ୍ଡ ପାମ ଅଏଲ, ଚିନି, ଦୁଗ୍ଧ ଓ ପ୍ୟାକେଜିଂ ଲାମିନେଟ୍ସର ମୂଲ୍ୟରେ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏହି ଖର୍ଚ୍ଚ ଭରଣା କରିବା ପାଇଁ କମ୍ପାନୀଗୁଡ଼ିକ ସାମଗ୍ରୀର ଦରବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହିସବୁ କମ୍ପାନୀ ବଢ଼ାଇପାରେ ଦର

ବ୍ରିଟାନିଆ ଇଣ୍ଡଷ୍ଟ୍ରୀଜ୍: କମ୍ପାନୀ ନିଜର ୫ ଓ ୧୦ ଟଙ୍କିଆ ପ୍ରଡ଼କ୍ଟସର ମୂଲ୍ୟ ବଢ଼ାଇବା କିମ୍ବା ପ୍ୟାକେଟର ସାଇଜ୍ ଛୋଟ କରିବା ନେଇ ସଂକେତ ଦେଇଛି।
ଟାଟା କଞ୍ଜ୍ୟୁମର ପ୍ରଡକ୍ଟ: କମ୍ପାନୀ ଲୁଣ, ସସ୍ ଓ ମସଲାର ଦାମ ବଢ଼ାଇ ଦେଇଛି। ବର୍ଦ୍ଧିତ ଦର ଖୁବଶୀଘ୍ର ବଜାରରେ ଲାଗୁ ହେବ।
ଅମୁଲ ଓ ଆଇଟିସି: ଏହା ପୂର୍ବରୁ ଗତ ସପ୍ତାହରେ ଅମୁଲ ଦୁଗ୍ଧ ଦର ବୃଦ୍ଧି କରିଥିଲା। ସେହିପରି ଆଇଟିସି ସିଗାରେଟ ମୂଲ୍ୟ ବଢାଇଥିଲା।ଏବେ କମ୍ପାନୀ ପୁଣିଥରେ ଦର ବୃଦ୍ଧି କରିପାରେ ବୋଲି ଖବର ରହିଛି।

ଦର ବୃଦ୍ଧି ନେଇ ବ୍ରିଟାନିଆ ସିଇଓ ରକ୍ଷିତ ହରଗାୱେ କହିଛନ୍ତି ଯେ ଗତ ତ୍ରୈମାସିକରେ କମ୍ପାନୀ ପ୍ରଡକ୍ଟ ଉପରେ ୩.୫ ପ୍ରତିଶତ ମୂଲ୍ୟ ବୃଦ୍ଧି କରିଥିଲା। ଏବଂ ଫିକ୍ସ ପ୍ରାଇସ୍ ପ୍ୟାକେଟଗୁଡ଼ିକର ପରିମାଣ କମ କରିଦେଇଥିଲା। ବିଶ୍ଳେଷକଙ୍କ ସହ ଆଲୋଚନା କଲା ବେଳେ ଆଗକୁ ଆହୁରି ଦରବୃଦ୍ଧି ହେବ ବୋଲି ରକ୍ଷିତ କହିଛନ୍ତି। ସେହିପରି ଇଲେକ୍ଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ, ସାଓମୀ ଓ ଗୋଦରେଜ ନିଜ ନିଜ ପ୍ରଡକ୍ଟର ଦର ବଢ଼ାଇଛନ୍ତି। ଚଳିତ ସପ୍ତାହ ଶେଷରେ ସାମସଙ୍ଗ ଓ ସାଓମୀ ମୋବାଇଲ ଓ ଟାବଲେଟର ଦର ୧୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଟିଭି ଦର ଅଲଗା ଭାବେ ୭ ପ୍ରତିଶତ ବଢ଼ାଇବାକୁ ସୋମବାର ସାଓମୀ ଘୋଷଣା କରିଛି।

Also Read- କମିଶନ ବୃଦ୍ଧି ପାଇଁ ପେଟ୍ରୋଲ-ଡିଜେଲ ଓ ଏଲ୍ପିଜି ଡିଲରଙ୍କ ବଡ଼ ଦାବି, ବଢ଼ିପାରେ ଚିନ୍ତା

ଘରୋଇ ସାମଗ୍ରୀ: ହାୟର ଓ ଗୋଦରେଜ୍ ବି ନିଜର ସବୁ ପ୍ରଡକ୍ଟର ଦର ୭ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ହାୟର ଇଣ୍ଡିଆ ସିଇଓ ସତୀଶ ଏନଏସ କହିଛନ୍ତି କଞ୍ଚାମାଲର ଦର ଉଚ୍ଚା ରହିଛି। ତେଣୁ ଲାଭ କରିବା କଷ୍ଟକର ହୋଇପଡ଼ିଲାଣି। ଯଦିଓ ବିକ୍ରି ୨୦ ପ୍ରତିଶତରୁ ଅଧିକ ଗତିରେ ବଢୁଛି ତଥାପି ଲାଭ ଉପରେ ଏହାର ପ୍ରଭାବ ପଡ଼ୁଛି।

ମିଡିଆ ରିପୋର୍ଟ ଅନୁସାରେ, ଅଧିକାଂଶ ଲିଷ୍ଟେଡ୍ କଞ୍ଜ୍ୟୁମର ଗୁଡ୍ସ କମ୍ପାନୀ ୨୦୨୭ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସାମଗ୍ରୀ ଦର ବଢ଼ିବା ଯୋଗୁ ମାର୍ଜିନ ଚାପ ସହିଥିଲେ। ହେଲେ ଡିମାଣ୍ଡ ଫ୍ଲୋ ବଢ଼ାଇବାକୁ ସେମାନେ ଦର ବୃଦ୍ଧି କରି ନଥିଲେ। ଏଥିପାଇଁ ଅଧିକାଂଶ ମେନୁଫେକ୍ଚରିଂ କମ୍ପାନୀ ଫେଷ୍ଟିଭି ସିଜନରେ ଜାଣିଶୁଣି ଦର ବୃଦ୍ଧି କରି ନଥିଲେ। ତେବେ ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ସବୁ ସେକ୍ଟରେ ଦର ବୃଦ୍ଧି ହୋଇଥିଲା।

ଆସନ୍ତା ୭-୧୦ ଦିନ ଭିତରେ ଦର ବୃଦ୍ଧି ସୁନିଶ୍ଚିତ

ମନି ଭାସ୍କରର ଏକ ରିପୋର୍ଟ ଅନୁସାରେ, ଇଣ୍ଡଷ୍ଟ୍ରୀ ଏଗଜିକ୍ୟୁଟିଭଙ୍କରର ଅନୁମାନ ହେଲା ଆସନ୍ତା ୭-୧୦ ଦିନ ଭିତରେ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡଗୁଡ଼ିକ ନିଜ ନିଜର ସାମଗ୍ରୀ ଦର ବୃଦ୍ଧି କରିବେ। ନୂଆ ଦର ବୃଦ୍ଧି ଲାଗୁ ହେବା ପରେ ଚଳିତ ବର୍ଷ ସ୍ମାର୍ଟଫୋନ ଉପରେ ମୋଟ ୪୦%ରୁ ଅଧିକ, ଟିଭି ଉପରେ ୨୦%ରୁ ଅଧିକ ଓ ଘରୋଇ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୧୫ ରୁ ୨୦ ପ୍ରତିଶତରୁ ବି ଅଧିକ ଦର ବୃଦ୍ଧି ହୋଇପାରେ।

ଦର ବୃଦ୍ଧି ଯୋଗୁ ଡିମାଣ୍ଡ କମ

ଏହି ମୂଲ୍ୟ ବୃଦ୍ଧି ବଜାର ଚାହିଦାକୁ ମଧ୍ୟ ପ୍ରଭାବିତ କରୁଛି। ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ସ ଆସୋସିଏସନର ଅଧ୍ୟକ୍ଷ କୈଳାସ ଲକ୍ଷାନିଙ୍କ ଅନୁସାରେ ମୂଲ୍ୟ ବୃଦ୍ଧି ଯୋଗୁ ସାମଗ୍ରୀ ବିକ୍ରି ହ୍ରାସ ପାଇଛି। ଗତ ବର୍ଷର ସମାନ ସମୟ ତୁଳନାରେ ଦୀପାବଳି ପରେ ମୋବାଇଲ୍ ଫୋନ୍ ବିକ୍ରି ୪୦% କମିଛି। ଏହା ପୂର୍ବରୁ ଚଳିତ ବର୍ଷ ଏକାଧିକ ଥର ଦର ବୃଦ୍ଧି ଯୋଗୁ ଦୀପାବଳି ସମୟରେ ବି ବାର୍ଷିକ ଆଧାରରେ ବିକ୍ରି ୨୦ ପ୍ରତିଶତ କମିଛି। ଆଉ ଏବେ ଯେଉଁ ନୂଆ ଦର ବୃଦ୍ଧି ହେବ ସେଥିରେ ଆଉ ୨୦ ହଜାର ତଳେ 5G ଫୋନ ଦେଖିବାକୁ ମିଳିବ ନାହିଁ। ଫଳରେ ବିକ୍ରି ଉପରେ ଖରାପ ପ୍ରଭାବ ପଡ଼ିପାରେ।