ନୂଆଦିଲ୍ଲୀ, ୧୮।୧୧ :ମଧ୍ୟପ୍ରାଚ୍ୟ ଯୁଦ୍ଧ ପୁଣି ତେଜିବା ନେଇ ଆଶଙ୍କା ଉପୁଜିଛି। ଇରାନ ମଙ୍ଗଳବାର ଅଚାନକ ବାହାରିନ ଉପରେ ଡ୍ରୋନ ଆକ୍ରମଣ କରିଛି। ଏଠାରେ ଥିବା ଆମେରିକାର ସାମରିକ ଘାଟିକୁ ଟାର୍ଗେଟ କରି ଏହା ଅନେକ ଡ୍ରୋନ ମାଡ଼ କରିଥିଲା । ତେବେ କୌଣସି କ୍ଷତି ଘଟାଇବା ପୂର୍ବରୁ ଏଗୁଡ଼ିକୁ ଧ୍ବଂସ କରି ଦିଆଯାଇଥିବା ଆମେରିକୀୟ ସେନା ଦାବି କରିଛି।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି, ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି) ବାହାରିନ ଅଭିମୁଖେ ଅନେକ ଡ୍ରୋନ ମାଡ଼ କରିଥିଲା । ଶେଖ୍ ଇସା ବିମାନ ଘାଟିରେ ଥିବା ଆମର ରାଡାର ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଆଇଆରଜିସିର ଏହି ଯୋଜନା ପଣ୍ଡ ହୋଇଯାଇଛି। ପ୍ରାୟ ସମସ୍ତ ଡ୍ରୋନକୁ ଗତିରୋଧ କରାଯାଇ ନଷ୍ଟ କରି ଦିଆଯାଇଛି।

ଡ୍ରୋନ ଆକ୍ରମଣ ପରେ ପ୍ରଥମେ ଇରାନର ବିବୃତି ସାମ୍ନାକୁ ଆସିଥିଲା। ବାହାରିନରେ ଥିବା ଆମେରିକୀୟ ସେନାର ସାମରିକ ଭିଭିଭୂମି ଉପରେ ଆକ୍ରମଣ ହୋଇଥିବା ଏହା କହିଥିଲା। ବିଶେଷକରି ରାଡାର ବ୍ୟବସ୍ଥାକୁ ଟାର୍ଗେଟ କରାଯାଇଥିଲା। ପଶ୍ଚିମ ଏସିଆରେ ଆମେରିକାର ସାମରିକ କାର୍ଯ୍ୟକଳାପକୁ ସଙ୍କୁଚିତ କରିବା ଉଦ୍ଦେଶ୍ୟରେ ଏହି ହମଲା ହୋଇଥିବା ଆଇଆରଜିସି ଦର୍ଶାଇଥିଲା।

Also Read :- ପାଖେଇ ଆସିଲା ବାତ୍ୟା 'ଅକଭାନ୍' : ଆନ୍ଧ୍ରରେ କରିବ ଲ୍ୟାଣ୍ଡଫଲ୍, ଏହାପରେ ଓଡ଼ିଶାରେ ପଶିବ

ଇରାନର ଏହି ଆକ୍ରମଣ ଏଭଳି ସମୟରେ ହୋଇଛି, ଯେବେ କି ଶାନ୍ତି ଚୁକ୍ତି ପାଇଁ ଏକାଧିକ ଦେଶ ପକ୍ଷରୁ କୂଟନୈତିକ ଉଦ୍ୟମ ଜାରି ରହିଛି। ଆମେରିକାରେ ଅନୁଷ୍ଠିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ପାର୍ଟିର ପରାଜୟ ପରେ ସ୍ଥିତି ସ୍ବାଭାବିକ ହେବା ନେଇ ଆଶା କରାଯାଉଥିଲା । ଟ୍ରମ୍ପଙ୍କ ସ୍ବର ବି ନରମ ପଡ଼ିବାକୁ ଲାଗିଥିଲା।

ଏବେ ଇରାନ ପୁନର୍ବାର ଆକ୍ରମଣ କରି ବିବାଦ ବଢ଼ାଇ ଦେଇଛି। ଆଗକୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ତୀବ୍ରତର ହେବା ନେଇ ଆଶଙ୍କା ଦେଖାଦେଇଛି। ଇରାନର ଏହି ଆକ୍ରମଣକୁ ବାହାରିନ ସରକାର କଡ଼ା ନିନ୍ଦା କରିଛନ୍ତି। ଅନ୍ୟ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ମଧ୍ୟ ଇରାନକୁ ସମାଲୋଚନା କରିଛନ୍ତି । ଯୁଦ୍ଧ ବନ୍ଦ ଲାଗି କୂଟନୈତିକ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଆଇଆରଜିସି ଏହି ଆକ୍ରମଣ କରି ଭୁଲ କରିଥିବା ସେମାନେ ଯୁକ୍ତି ବାଢ଼ିଛନ୍ତି ।