ଭୁବନେଶ୍ୱର, ୧୮।୧୧ : ଆନ୍ଧ୍ରରେ ଭୀଷଣ ପ୍ରଭାବ ପକାଇବ ବାତ୍ୟା ‘ଅକଭାନ୍’। ୧୨୦ରୁ ୧୩୦ କିମି ବେଗରେ ପବନ ବହିବ। ବହୁ କ୍ଷୟକ୍ଷତି କରିବ। ଓଡ଼ିଶାରେ ବାତ୍ୟା ସେଭଳି ପ୍ରଭାବ ପକାଇବନି ସତ, କିନ୍ତୁ ମାଲକାନଗିରି ସୀମାନ୍ତ ମୋଟୁ ଦେଇ ଯିବ। ବିଶାଖପାଟଣା ପାଖରେ ଲ୍ୟାଣ୍ଡଫଲ ସମୟରେ ମାଲକାନଗିରିରେ ୭୦ କିମି ବେଗରେ ପବନ ବହୁଥିବ। ପୂରା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଢାଳିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି ) ବାତ୍ୟା ‘ଅକଭାନ୍’ର ସମ୍ଭାବ୍ୟ ଗତିପଥ ଓ ତୀବ୍ରତାକୁ ନେଇ ଏଭଳି ଆକଳନ କରିଛି।

ଆକଳନ ଅନୁସାରେ, ବାତ୍ୟା ମାଲକାନଗିରି ପାଖ ଦେଇ ଯିବ । ସମ୍ପୂର୍ଣ ବାହ୍ୟବଳୟ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲା ଉପର ଦେଇ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ପରେ ଓଡ଼ିଶାରେ ପବନ କମିଯିବ । ଓଡ଼ିଶାରେ ପହଞ୍ଚିବା ବେଳକୁ ଏହା ଦୁର୍ବଳ ହୋଇ ତୀବ୍ର ଅବପାତ ରୂପରେ ଥିବ। କିନ୍ତୁ ବାତ୍ୟାର କେନ୍ଦ୍ରୀୟ ବଳୟ ମାଲକାନଗିରି ଉପର ଦେଇଯିବ। ବାତ୍ୟାର ବେଗରେ ପବନ ବହିପାରେ। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷିବ। ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଆଶଙ୍କାକୁ ଏଡ଼ାଇ ଦେଇ ହେବନି। ସେହିପରି ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ ସୂଚନା ଜାରି କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତି ବେଳକୁ ଭୀଷଣ ବାତ୍ୟାରେ ପରିଣତ ହେବ। ସେବେ ପବନର ବେଗ ଘଣ୍ଟା ପ୍ରତି ୯୦ କିମି ରହିବ। ପବନର ଝଟକା ୧୦୦ କିମି ଛୁଇଁଯିବ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୯ ତାରିଖରେ ଅତି ଭୀଷଣ ବାତ୍ୟା ରୂପ ନେବ । ୧୯ ତାରିଖ ରାତିରୁ ୨୦ ତାରିଖ ଲ୍ୟାଣ୍ଡଫଲ ପର୍ଯ୍ୟନ୍ତ ପବନର ବେଗ ୧୨୦ରୁ ୧୩୦ କିମି ରହିବ। ଝଟକା ପବନ ୧୪୫ କିମି ଛୁଇଁବ। ୨୦ ତାରିଖ ମଧ୍ୟାହ୍ନରେ ଏହା ନେଲୋର ଓ ବିଶାଖପାଟଣା ପାଖ ଟୁନି ଭିତରେ ସ୍ଥଳଭାଗ ଅତିକ୍ରମ କରିବ।

ବୁଧବାରଠାରୁ ବର୍ଷା ଆରମ୍ଭ ହୋଇଯିବ। ଗଜପତି, ଗଞ୍ଜାମ ଓ ପୁରୀରେ ଭାରି ବର୍ଷା ହୋଇପାରେ। ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପ ବର୍ଷା ହୋଇପାରେ। ଗୁରୁବାର(୧୯ ତାରିଖ) କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ। ୨୦ ତାରିଖ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଢାଳିବ। ୨୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶାର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

Also Read :- ‘ବଞ୍ଚିଥିବା ବେଳେ ରହିବାକୁ ଦେଲନି, ଏବେ ଘର ବାହାରେ ରହିବ’, ସ୍ୱାମୀଙ୍କ ଘର ସାମ୍ନାରେ ଅନ୍ତିମ ସଂସ୍କାର କଲେ ପରିବାର ଲୋକ

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଭିନ୍ନ ଆକଳନ କରିଛନ୍ତି। ସେ କହିଛନ୍ତି, ବାତ୍ୟା ସ୍ଥଳଭାଗ ଅତିକ୍ରମ ଛୁଇଁବା ପରେ ଏହାର ପ୍ରଭାବ କମିଯିବ। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ୭୦ରୁ ୮୦ କିମି ରହିପାରେ । ଏହା ପ୍ରଭାବରେ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ମଧ୍ୟ ଆଇଏମଡିଠାରୁ ଭିନ୍ନ ଆକଳନ କରିଛନ୍ତି। ୧୮ ତାରିଖ ସନ୍ଧ୍ୟାଠାରୁ ୧୯ ସନ୍ଧ୍ୟା ଭିତରେ ବାତ୍ୟାର ତୀବ୍ରତା ବଢ଼ିବ। ସେବେ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ୮୩ କିମି ପବନ ବହୁଥିବ। ବାତ୍ୟା ସାମାନ୍ୟ ଦୁର୍ବଳ ହୋଇ ୨୦ ତାରିଖ ସକାଳ ସାଢ଼େ ୭ଟାରୁ ଦିନ ସାଢ଼େ ୧୧ଟା ଭିତରେ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡ୍ଫଲ କରିବ। କଳିଙ୍ଗପାଟଣା-ଶ୍ରୀକାକୁଲମ୍ ଓ ବାରୁଆ-ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାକୁ ୭୪ କିମି ପବନ ବହିବ। ଝଟକା ପବନ ୯୩ କିମି ରହିପାରେ। ୨୦ ତାରିଖ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାୟଗଡ଼ା ଜିଲ୍ଲା ନିକଟରେ ଏହା ପହଞ୍ଚିପାରେ। ସେବେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ୫୬ କିମି ବେଗରେ ପବନ ବହୁଥିବ ବୋଲି ଆକଳନ କରାଯାଇଛି ।