ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କୁ ମନି ଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ ମିଳିଛି । ଆହ୍ଲାବାଦ  ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ।  ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ନିଜର ଗିରଫଦାରୀକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆଜମ ଖାନ । ତାଙ୍କର ଏହି ଆବେଦର ଶୁଣାଣି କରି ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।  

ବିଚାରପତି ରାଜୀବ ଗୁପ୍ତା ଏବଂ ବିଚାରପତି ଦେବେନ୍ଦ୍ର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ବିସ୍ତୃତ ଜବାବ ଦାଖଲ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ୭ ଦିନ ସମୟ ଦେଇଛନ୍ତି। ସେହିପରି ୭୮ ବର୍ଷୀୟ ଆଜମ ଖାନଙ୍କୁ ଏହାର ପ୍ରତିଜବାବ ରଖିବା ପାଇଁ ୧୦ ଦିନ ସମୟ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୦ ତାରିଖରେ ହେବ ବୋଲି ସ୍ଥିର କରିଛନ୍ତି କୋର୍ଟ । 

ଶୁଣାଣି ସମୟରେ ଉଭୟ ଆଜମ ଖାନ ଏବଂ ଇଡି ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଉଭୟ ପକ୍ଷଙ୍କ ସତ୍ୟପାଠରେ କରାଯାଇଥିବା ଦାବି ଉପରେ ଜବାବ ରଖିବା ପାଇଁ ଖଣ୍ଡପୀଠ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର ଦିନ କୋର୍ଟ ଇଡିକୁ ଏକ ସତ୍ୟପାଠ ମାଧ୍ୟମରେ ସ୍ପଷ୍ଟ କରିବାକୁ କହିଥିଲେ ଯେ, ଆଜମ ଖାନଙ୍କୁ ହେପାଜତକୁ ନେବା ସମୟରେ ତାଙ୍କୁ ଗିରଫଦାରୀର କାରଣ ସମ୍ପର୍କିତ ଦସ୍ତାବିଜ ପ୍ରଦାନ କରାଯାଇଥିଲା କି ନାହିଁ। ଆଜମ ଖାନଙ୍କ ଓକିଲ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ବାଢ଼ିଥିଲେ ଯେ, ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଆକ୍ରୋଶ ରଖି ଆଜମ ଖାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗିରଫ ପୂର୍ବରୁ ବାଧ୍ୟତାମୂଳକ ନିୟମ ପାଳନ କରାଯାଇନାହିଁ। 

ଅନ୍ୟପକ୍ଷରେ ଇଡି ପକ୍ଷରୁ ହାଜର ହୋଇଥିବା ଏସ୍.ବି. ରାଜୁ ଦାବି କରିଥିଲେ ଯେ, ସଂସ୍ଥା ସମସ୍ତ ନିର୍ଦ୍ଧାରିତ ନିୟମ ପାଳନ କରିଛି । ଆଜମ ଖାନ ତଦନ୍ତରେ ସହଯୋଗ କରିନଥିଲେ। ନିଜ ଦାବି ସପକ୍ଷରେ ସେ ଖଣ୍ଡପୀଠଙ୍କ ନିକଟରେ ଏକ ଭିଡିଓ ମଧ୍ୟ ଉପସ୍ଥାପନ କରିଥିଲେ। ଗତ ଅକ୍ଟୋବର ୩୧ ତାରିଖରେ ଇଡି ରାମପୁର ଜିଲ୍ଲା ଜେଲରୁ ଆଜମ ଖାନଙ୍କୁ ଗିରଫ କରିଥିଲା। ଏହାପରେ ୧୦ ଥର ବିଧାୟକ ଥିବା ଆଜମ ଖାନ ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ଦେଇଥିବା ବେଳେ, ମାମଲାରେ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ରେ ଧାର୍ଯ୍ୟ କରିଛନ୍ତି ।