ଗାଜିଆବାଦ,୧୮|୦୬:ବୁଦ୍ଧି ଏମିତି ବଡ ବଡ ଚୋର ବି ହାର୍ ମାନିଯିବେ । ଚୋରି କରିବାର ମାଷ୍ଟର୍ ପ୍ଲାନ୍ । ନିଜେ କାମ କରୁଥିବା ଅଳଙ୍କାର ଦୋକାନରେ ବୁଲାଇଲେ କଳାକନା । ବାହାଘର, ଏନଗେଜମେଣ୍ଟ ଏବଂ ଭାବି ସ୍ତ୍ରୀ ନାଁ କହି ସବୁ ଲୁଟିନେଲେ । ଭାବି ସ୍ତ୍ରୀ ଏବଂ ଭାବି ଶ୍ୱଶୁର ବି କମ୍ ନୁହେଁ । ସେମାନେ ମଧ୍ୟ ସାଥ୍ ଦେଲେ । ଏପରି ଏକ ଘଟଣାର ପର୍ଦ୍ଦାଫାସ କରିଛି ଉତ୍ତର ପ୍ରଦେଶ ପୋଲିସ ।

ଏମିତି ପୂରା ଘଟଣା

ରିପୋର୍ଟ ଅନୁସାରେ, ନୀତିନ ବର୍ମା ନାମକ ଜଣେ ୨୩ ବର୍ଷୀୟ ଯୁବକ ୟୁପିର ରାଜନଗର ଜିଲ୍ଲାରେ ଥିବା ଏକ ବଡ ଅଳଙ୍କାର ଦୋକାନରେ କାମ କରନ୍ତି । ସେ ଗତ ଦେଢମାସ ତଳେ ଏଠାରେ ଯୋଗ ଦେଇଥିଲେ । ତେବେ ଜୁନ ୧୨ ତାରିଖରେ ସେ ଅଫିସର ସମସ୍ତ ସହକର୍ମୀଙ୍କୁ ପାର୍ଟି ଦେବେ ବୋଲି କହିଥିଲେ । ବିବାହ ପୂର୍ବରୁ ବ୍ୟାଚଲର ପାର୍ଟି ଶୁଣି ସହକର୍ମୀ ମଧ୍ୟ ଉତ୍ସାହିତ ହୋଇ ପଡିଥିଲେ । ଏହି ଭୋଜିରେ ସେ ନିଜ ଏନଗେଜମେଣ୍ଟ କଥା ମଧ୍ୟ କହିଥାନ୍ତେ । କିନ୍ତୁ ତାଙ୍କ ମନରେ ଥିଲା ଭିନ୍ନ ଚିନ୍ତା ।

ଯୋଜନା ଅନୁସାରେ, ଜୁନ ୧୨ ତାରିଖରେ ପାର୍ଟି ହୋଇଥିଲା । ଏଥିରେ ଅଫିସର ସମସ୍ତ ସହକର୍ମୀ ସାମିଲ ହୋଇଥିଲେ । ତେବେ ନୀତିନ ଚାଲାକି କରି ସମସ୍ତଙ୍କୁ ମଦ ପିଆଇଥିଲେ । ଏପରିକି ଅଳଙ୍କାର ଦୋକାନର କ୍ୟାସିଅର ଗୌତମ ରାଜଙ୍କୁ ପ୍ରଚୁର ମଦ ପିଇବାକୁ ଦେଇଥିଲେ । ନିଶାସକ୍ତ ହେଲା ପରେ ନୀତିନ ଗୌତମଙ୍କୁ ଘରେ ଛାଡିଦେବେ ବୋଲି କହିଥିଲେ । ଏହି ସମୟରେ କାଇଦା କରି ନୀତିନ ଅଳଙ୍କାର ଦୋକାନର ଚାବି ନେଇ ଆସିଥିଲେ ।

ପାର୍ଟି ସରିବା ପରେ ନୀତିନ ନିଜର ଜଣେ ସହଯୋଗୀଙ୍କୁ ନେଇ ଗହଣା ଦୋକାନକୁ ଯାଇଥିଲେ । ମାତ୍ର ୨୫ ମିନିଟ୍ ମଧ୍ୟରେ ସେ ପ୍ରାୟ ୪ କୋଟି ଟଙ୍କାର ମୂଲ୍ୟବାନ ଗହଣା ଲୁଟ୍ କରିନେଇଥିଲେ । ଏଥିରେ ସହଯୋଗ କରିଥିଲେ ନୀତିନଙ୍କ ଭାବି ପତ୍ନୀ କାଜଲ ଏବଂ ଶ୍ୱଶୁର ସଞ୍ଜୟ ବର୍ମା । ସେମାନେ ଦୂରରେ ଏକ କାରରେ ଥିଲେ । ଯେଉଁ କାରରେ ଲୁଟ୍ ହୋଇଥିବା ଗହଣା ନୀତିନ ରଖିଥିଲେ ।

ଧରିଦେଲା ପୋଲିସ

ପୋଲିସର କହିବାନୁସାରେ, ନୀତିନଙ୍କ ପାଖରେ ଗହଣା ଦୋକାନର ସୁରକ୍ଷା ବ୍ୟବସ୍ଥା ବାବଦରେ ସମସ୍ତ ତଥ୍ୟ ଥିଲା । କେଉଁଠି ସିସିଟିଭି କ୍ୟାମେରା ଲାଗିଛି, କେଉଁଠି ଆଲାର୍ମ ଅଛି ସେ ସବୁ କଥା ଜାଣିଥିଲେ । ରାତିରେ କେବଳ ଜଣେ ହିଁ ସିକ୍ୟୁରିଟି ଗାର୍ଡି ଥିବା କଥା ବି ସେ ଜାଣିଥିଲେ । କିନ୍ତୁ ବାହାରେ ଲାଗିଥିବା ସିସିଟିଭିରେ ନୀତିନ ବିନା ଅନୁମତିରେ ଦୋକାନରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ଯାହା ସନ୍ଦେହ ବଢାଇଥିଲା । ଅଧିକ ତଦନ୍ତ ପରେ ନୀତିନ ହିଁ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ପୋଲିସ ଆହୁରି କହିଛି ଯେ, ଚୋରି କରିବା ପରେ ଗହଣାକୁ କମ୍ ଦାମରେ ନୀତିନ ଏବଂ ସଞ୍ଜୟ ବିକ୍ରି କରିବାକୁ ପ୍ରୟାସ କରିଥିଲେ । କିଛି ବିକ୍ରି ମଧ୍ୟ କରିଦେଇଥିଲେ । କିନ୍ତୁ ୨ କେଜି ସୁନା ଉଦ୍ଧାର ହୋଇଛି । ଯାହାର ମୂଲ୍ୟ ୩ କୋଟି ଟଙ୍କା ହେବ । ଏହାସହ ସାଢେ ୬ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । ଅନ୍ୟ ଅଳଙ୍କାରକୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଥିବା ଏସିବି ସୂର୍ଯ୍ୟବଳୀ ମୌର୍ଯ୍ୟ କହିଛନ୍ତି ।