ଛତ୍ରପୁର: ସରକାରୀ ଭତ୍ତା ପାଇବା ପାଇଁ ଏଣିକି ଗଞ୍ଜାମ ଜିଲ୍ଲାର ପ୍ରାୟ ୧ ଲକ୍ଷ ୪୯ ହଜାର ୨୯୭ ଜଣ ହିତାଧିକାରୀଙ୍କୁ ଦୁଇଟି ସ୍ଥାନକୁ ଯିବାକୁ ପଡ଼ିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅଂଶଧନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ଟଙ୍କା ପାଇବା ପ୍ରକ୍ରିୟା ଏଣିକି ଆଉ ଏକାଠି ହୋଇପାରିବ ନାହିଁ।

ଗଞ୍ଜାମ ଜିଲ୍ଲାରେ ମୋଟ ୫ ଲକ୍ଷ ୨୧ ହଜାର ୭୪୭ ଜଣ ହିତାଧିକାରୀ ବିଭିନ୍ନ ପେନସନ ଯୋଜନାରୁ ସହାୟତା ପାଉଛନ୍ତି। ଏଥିରେ ଜାତୀୟ ସାମାଜିକ ସହାୟତା ପେନସନ ଯୋଜନା (NSAP) ଏବଂ ମଧୁବାବୁ ପେନସନ ଯୋଜନା (MBPY) ସାମିଲ ଅଛି। ପୂର୍ବରୁ ମଧୁବାବୁ ଯୋଜନାର ଟଙ୍କା ପଞ୍ଚାୟତ ବା ପୌର ପରିଷଦରୁ ମିଳୁଥିବାବେଳେ ଜାତୀୟ ସାମାଜିକ ସହାୟତା ଯୋଜନାର ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଆସୁଥିଲା।

Also Read: ମାଲକାନଗିରିରେ ହେବ ଶିଳ୍ପ ପ୍ରତିଷ୍ଠା, ଯୁବକଙ୍କ ପାଇଁ ଖୋଲିବ ରୋଜଗାରର ରାସ୍ତା

ତେବେ ନୂତନ ବ୍ୟବସ୍ଥା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଅଂଶଧନ ବ୍ୟାଙ୍କ ଜରିଆରେ ଏବଂ ରାଜ୍ୟ ସରକାରଙ୍କ ଅଂଶଧନ ନଗଦ ଭାବେ ପଞ୍ଚାୟତ ବା ୱାର୍ଡ କାର୍ଯ୍ୟାଳୟରେ ଦିଆଯିବ। ଫଳରେ ହିତାଧିକାରୀଙ୍କୁ ଉଭୟ ବ୍ୟାଙ୍କ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ିବ।

କିପରି ମିଳିବ ଭତ୍ତା ?

୬୦ରୁ ୭୯ ବର୍ଷ ବୟସ୍କ ବାର୍ଦ୍ଧକ୍ୟ ଏହି ବର୍ଗର ହିତାଧିକାରୀଙ୍କୁ ମୋଟ ୧,୦୦୦ ଟଙ୍କା ମିଳୁଥିବାବେଳେ ସେଥିରୁ ୨୦୦ ଟଙ୍କା କେନ୍ଦ୍ର ସରକାର ବ୍ୟାଙ୍କ ଜରିଆରେ ଏବଂ ୮୦୦ ଟଙ୍କା ରାଜ୍ୟ ସରକାର ପଞ୍ଚାୟତ ବା ୱାର୍ଡ କାର୍ଯ୍ୟାଳୟରେ ନଗଦ ପ୍ରଦାନ କରିବେ। ୮୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧବୃଦ୍ଧା ଏମାନଙ୍କ ପାଇଁ କେନ୍ଦ୍ର ସରକାର ବ୍ୟାଙ୍କ ମାଧ୍ୟମରେ ୫୦୦ ଟଙ୍କା ଏବଂ ରାଜ୍ୟ ସରକାର ନଗଦ ୩,୦୦୦ ଟଙ୍କା ପ୍ରଦାନ କରିବେ। ବିଧବା ଭତ୍ତା ଭାବେ ମୋଟ ୧,୦୦୦ ଟଙ୍କା ଭତ୍ତାରୁ କେନ୍ଦ୍ର ସରକାର ୩୦୦ ଟଙ୍କା ବ୍ୟାଙ୍କରେ ଜମା କରିବେ ଏବଂ ବାକି ୭୦୦ ଟଙ୍କା ରାଜ୍ୟ ସରକାର ନଗଦ ଆକାରରେ ଦେବେ।

Also Read: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପଦକ୍ଷେପ : ବାତ୍ୟା ଆଶ୍ରୟସ୍ଥଳୀ ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ପ୍ରସ୍ତୁତ

ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ

ଏହି ନୂତନ ନିୟମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ହିତାଧିକାରୀ ଏହି ଜଟିଳ ପ୍ରକ୍ରିୟା ସମ୍ପର୍କରେ ଅବଗତ ନଥିବାବେଳେ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିମାନେ ଦୁଇଟି ଜାଗାକୁ ଦୌଡ଼ିବା ନେଇ ସେମାନଙ୍କ ପରିବାରବର୍ଗ ଚିନ୍ତା ପ୍ରକାଶ କରିଛନ୍ତି। ଏହାଦ୍ୱାରା ଅଯଥା ପରିବହନ ଖର୍ଚ୍ଚ ବଢ଼ିବା ସାଙ୍ଗକୁ ବୃଦ୍ଧବୃଦ୍ଧାମାନେ ନାନା ଅସୁବିଧାର ସମ୍ମୁଖୀନ ହେବେ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।