ବଲିଆ: ମହିଳାଙ୍କ ବ୍ଲାକମେଲ୍ ସହି ନପାରି ଜୀବନ ହାରିଦେଲେ ଯୁବ ପୋଲିସ ଅଧିକାରୀ । ରେଲୱେ ଟ୍ରାକରୁ ପୋଲିସ ଅଧିକାରୀଙ୍କ ମୃତଦେହ ମିଳିଛି । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଜଣେ ୨୮ ବର୍ଷୀୟ ପୋଲିସ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଣେ ମହିଳାଙ୍କ ବ୍ଲାକମେଲ୍ ଓ ବିବାହ ପାଇଁ ଚାପ ଯୋଗୁଁ ସେ ମାନସିକ ଚାପରେ ଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ବଲିଆ ଆରକ୍ଷୀ ଅଧିକ୍ଷକ ଇରାଜ ରାଜାଙ୍କ ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୭ଟାରୁ ୮ଟା ମଧ୍ୟରେ ପୋଲିସକୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କରେ ଖବର ମିଳିଥିଲା । ରେଲୱେ ଟ୍ରାକରେ ଶୋଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ଲୋକୋ ପାଇଲଟଙ୍କ ଦ୍ୱାରା ଦାଖଲ ଏମଆରଓ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଥିଲା । ମିଳିଥିବା ସୂଚନା ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେଠାରେ ଏକ ବୁଲେଟ୍ ଗାଡ଼ି ମଧ୍ୟ ମିଳିଥିଲା ।

 

ପୋଲିସ ତଦନ୍ତରେ ମୃତ ବ୍ୟକ୍ତିଙ୍କ ପରିଚୟ ସନ୍ଦୀପ କୁମାର ରୂପେ ଜଣାପଡ଼ିଥିଲା । ସେ ବଲିଆ ଜିଲ୍ଲାର ଚିତବଡ଼ାଗାଓଁ ଥାନାରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ । ଗତ ୧୧ ମାସ ଧରି ସେ ଏହି ଥାନାରେ ନିୟୋଜିତ ଥିଲେ । ସନ୍ଥ କବୀର ନଗର ଜିଲ୍ଲାରେ ତାଙ୍କ ଘର । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପୂର୍ବରୁ ବିବାହିତ ସନ୍ଦୀପ କୁମାରଙ୍କ ସିକନ୍ଦରପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଯୁବତୀ ଜଣକ ତାଙ୍କୁ ବିବାହ ପାଇଁ ଚାପ ପକାଉଥିବା ସହ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି ।

ଏସପିଙ୍କ କହିବା ଅନୁସାରେ, ଦୁଇ ବର୍ଷ ପୂର୍ବେ ସମାନ ଯୁବତୀ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ମଧ୍ୟ ରୁଜୁ କରିଥିଲେ । ହିନ୍ଦୁସ୍ତାନ ଟାଇମ୍ସର ସୂଚନା ଅନୁସାରେ, ଏସପି କହିଛନ୍ତି ଯେ ମୃତକଙ୍କ ସ୍ତ୍ରୀ ରାଗିଣୀଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ଯୁବତୀଙ୍କ ବିରୁଦ୍ଧରେ ଚିତବରହଗାଁ ପୋଲିସ ଷ୍ଟେସନରେ ବିଏନଏସର ଧାରା ୧୦୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ରାଗିଣୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସ୍ୱାମୀ କିଛି ସମୟ ଧରି ଚାପରେ ଥିଲେ । ସନ୍ଦୀପ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ଯବତୀ ଜଣକ ତାଙ୍କୁ ବହୁତ କଷ୍ଟ ଦେଉଛନ୍ତି, ଟଙ୍କା ଦାବି କରୁଛନ୍ତି ଏବଂ ତାଙ୍କୁ ଦେଖା କରିବାକୁ ଅନୁମତି ଦେଉନାହିଁ ।