ମାଲକାନଗିରି ୧୫।୧୧: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାରା ଦେଶରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି । ଡିଏନକେ ଖେଳ ପଡିଆରେ ଜନଜାତୀୟ ଦିବସ ଆୟୋଜନ ହୋଇଛି । ମାଲକାନଗିରି ଜିଲ୍ଲାର ପ୍ରାୟ ୩୦ ହଜାର ଆଦିବାସୀ ପାରମ୍ପରିକ ବେଶରେ ଜନଜାତୀୟ ଦିବସରେ ସାମିଲ ହୋଇଛନ୍ତି ।

ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସିଧା ସଳଖ ଡିଏନକେ ଖେଳ ପଡିଆରେ ପହଞ୍ଚି ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଉପସ୍ଥିତ ଥିଲେ । ଆଦିବାସୀ ଲୋକେ ନିଜ ନିଜର ପାରମ୍ପରିକ ବେଶ ଭୁଷାରେ ଜନଜାତୀୟ ଦିବସରେ ସାମିଲ ହୋଇଥିଲେ । ବଣ୍ଡା, ଡିଡାଇ, ଦୁରୁଆ, କୋୟା ଓ ପରଜା ଜନ ଜାତିର ଆଦିବାସୀ ଲୋକେ ପାରମ୍ପରିକ ନୃତ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଆଦିବାସୀଙ୍କ ସହ ଭାବ ବିନିମୟ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ଆଉ ୫ ଲକ୍ଷ ଲୋକଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯାଇଛି । ରାଜ୍ୟରେ ୭୬୬୭ ଗାଁକୁ ଆଦର୍ଶ ଗ୍ରାମ ଭାବେ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟର ୫ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ । ରାଜ୍ୟ ଆଉ ୧୧୧ଟି ନୂତନ ଏକଲବ୍ୟ ବିଦ୍ୟାଳୟ ଖୋଲିବ । MMJM 2.0 ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି ବୋଲି କହିବା ସହ ମାଲକାନଗିରି ଜିଲ୍ଲାର ଉନ୍ନତି ପାଇଁ ଖୁବ୍ଶୀଘ୍ର ଶିଳ୍ପ ପ୍ରତିଷ୍ଠା ହେବ ବୋଲି କହିଛନ୍ତି । ଡାଲମିଆ ସିମେଣ୍ଟ ଦୁଇ ହଜାର କୋଟି ଓ ଅମ୍ବୁଜା ସିମେଣ୍ଟ କମ୍ପାନୀ ମାଲକାନଗିରି ଜିଲ୍ଲାରେ ଦୁଇ ହଜାର ଦୁଇ ଶହ କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Also Read:- ବିଧାୟକଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ, ତିନୋଟି ସେସନରେ ହେବ କାର୍ଯ୍ୟକ୍ରମ

ଜନଜାତୀୟ ଗୌରବ ଦିବସରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ଆମାଲକାନଗିରି ଜିଲ୍ଲାରେ ୫୫ କୋଟି ଟଙ୍କା ବିନିଯୋଗରେ ୨୮ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ସମସ୍ତ ପ୍ରକଳ୍ପ ହେଉଛି ଆଦିବାସୀ ପିଲାଙ୍କ ପାଠ ପଢିବା ପାଇଁ ହଷ୍ଟେଲ । ଜିଲ୍ଲାରେ ଶିକ୍ଷାର ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ୧୦୬ କୋଟି ଟଙ୍କା ବିନିଯୋଗରେ ୩୫ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ମାଲକାନଗରିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ୧୧ଟି ନୂତନ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମୃଦ୍ଧ ଓଡ଼ିଶା ଗଠନ କରିବା ଲାଗି ଗରିବ, କୃଷକ, ମହିଳା ଓ ଯୁବକ ଏହି ଚାରି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାଲକାନଗିରି ଜିଲ୍ଲାର ପ୍ରାୟ ୧୦ ହଜାର ଆଦିବାସୀ ଲୋକେ ଜନଜାତୀୟ ଗୌରବ ଦିବସରେ ସାମିଲ ହୋଇଥିବା ବେଳେ ଅନେକ ଲୋକ ନିଜ ନିଜ ହାତରେ ଦାବି ପତ୍ରଟିଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେବା ଲାଗି ଦୀର୍ଘ ସମୟ ଧରି ଠିଆ ହୋଇଥିଲେ । ଆଉ ଶେଷ ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖରେ ପହଞ୍ଚି ଦାବି ପତ୍ର ଗ୍ରହଣ କରିଥିବାରୁ ଲୋକେ ବେଶ ଖୁସି ହୋଇଛନ୍ତି ।