ଛତ୍ରପୁର ୨୨।୯: ଗଞ୍ଜାମରେ ଗଭୀର ଅବପାତ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି l ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ l ଉପାନ୍ତ ଅଞ୍ଚଳରେ ଚାଲି ଚାଲି ତଦାରଖ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ l ଧନଜୀବନ ସୁରକ୍ଷା ସହ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ନିୟମିତ ବୈଠକ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି । ଜିଲ୍ଲାପାଳ ଚିକିଟି ବ୍ଲକର ଅଲାଡ଼ିପୁର ଓ ରମାୟାପାଟଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ସମେତ ପାତ୍ରପୁର ବ୍ଲକର ଆଙ୍କୁଲୀ ତାଡ଼କା ସାହିସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର ସ୍ଥିତି ଯାଞ୍ଚ କରିଛନ୍ତି ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ଆଲୋକ, ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମୁଦ୍ର ନିକଟସ୍ଥ ରମାୟାପାଟଣା ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ସହ ପ୍ରଶାସନ ପକ୍ଷରୁ ଜାରି ସୁରକ୍ଷା ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଓ ଚିକିତ୍ସା ସୁବିଧା ଯୋଗାଇବା ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ।