ଭୁବନେଶ୍ଵର: ମହାପ୍ରଭୁଙ୍କ ଗୋଟେ ଇଞ୍ଚ ଜମି ମୋ ନାଁରେ ଥିଲେ ମୁଁ ରାଜନୈତିକ ଜୀବନରୁ ଅବସର ନେଇଯିବି। ଯଦି ପ୍ରମାଣ ଦେଇ ନପାରିବେ ତାହାହେଲେ କ୍ଷମା ମାଗନ୍ତୁ। ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କୁ ଏହି ଆହ୍ଵାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

କିଛିଦିନ ତଳେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ପ୍ରେସ୍ ମିଟ୍ ଜରିଆରେ କହିଥିଲେ ଆଇନ ମନ୍ତ୍ରୀ କିମ୍ବା ତାଙ୍କ ପରିବାର ନାଁରେ ଜଗନ୍ନାଥ ଜମି ନାହିଁ ବୋଲି ଶପଥ କରି କୁହନ୍ତୁ। ପଞ୍ଚାନନ କାନୁନଗୋଙ୍କ ଏହି ସଙ୍ଗୀନ ଅଭିଯୋଗ ଉପରେ ମଙ୍ଗଳବାର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ପଞ୍ଚାନନଙ୍କ ଭଳି ଜଣେ ବରିଷ୍ଠ ନେତା ମୋ ବିରୋଧରେ ମିଥ୍ୟା ଆରୋପ ଲଗାଇଛନ୍ତି। ବିନା, ତଥ୍ୟ ପ୍ରମାଣରେ କାହା ବିରୋଧରେ ଅଭିଯୋଗ ଅଣାଯାଏ ନାହିଁ। ତାଙ୍କ ଠାରୁ ଏଭଳି ଆଶା କରାଯାଉନାହିଁ।

Also Read: ୨ ବର୍ଷରେ ପଦ ହରାଇଲେ ୬୧ ସରପଞ୍ଚ, ୯ ସମିତି ଅଧ୍ୟକ୍ଷ: ଦୁର୍ନୀତି ଓ ଅନାସ୍ଥା ନେଇ ବିଧାନସଭାରେ ତଥ୍ୟ ରଖିଲେ ସରକାର

ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ମୁଁ ଜଣେ ପରମ ଭକ୍ତ। ମହାପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି ଏହି ବିଭାଗ ମାଧ୍ୟମରେ ତାଙ୍କ ସେବା କରିବା ପାଇଁ। କିନ୍ତୁ ମିଥ୍ୟା ଅଭିଯୋଗ ଆଣି ମୋତେ ବଦନାମ କରିବା ପାଇଁ ଯୋଜନା କରାଯାଉଛି। ପଞ୍ଚାନନଙ୍କ ପରି ବରିଷ୍ଠ ନେତାଙ୍କୁ ଏହା ଆଦୌ ଶୋଭା ପାଉନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।