ମୋହନା ୧।୧୧: ବାତ୍ୟା ଓ ଲଘୁଚାପ ଆସିଲେ ଭୟଭୀତ ହେଉଛନ୍ତି ଗଜପତି ଜିଲ୍ଲାବାସୀ l ବିଶେଷ କରି ପାହାଡ଼ ପର୍ବତ ଅଞ୍ଚଳରେ ରହୁଥିବା ଲୋକେ ଅଧିକ ଭୟଭୀତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି l

ଗତ ୨୦୧୮ରେ ତିତିଲି ବାତ୍ୟାରେ ଗଙ୍ଗାବlଡ ବାରଘର ଗାଁରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଚାପିହୋଇ ଗାଁର ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ବାତ୍ୟାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଜିଲ୍ଲାରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା l ଏହା ପରଠାରୁ ବାତ୍ୟା କିମ୍ବା ଲଘୁଚାପ ଆସିଲେ ଜିଲ୍ଲାରେ ଭୂସ୍ଖଳନକୁ ନେଇ ଭୟରେ ରହୁଛନ୍ତି ଲୋକେ l

ଗଜପତି ଜିଲ୍ଲାରେ ୧୪୭ଟି ଭୂସ୍ଖଳନ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାର ୬ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ନଜରକୁ ଆସିଛି l ୨୦୨୫ ଅକ୍ଟୋବର ୨ରେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ରାୟଗଡ ବ୍ଲକ ପେକଟ ଗାଁରେ ଭୂସ୍ଖଳନ ହୋଇଥିଲା l ଏଥିରେ ଗୋଟିଏ ଘରର ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିଲା l ଏହାପରେ ୨୦୨୫ ଅକ୍ଟୋବର ୨୮ ହୋଇଥିବା ମୋନ୍ଥା ବାତ୍ୟାରେ ରା.ଉଦୟଗିରି ବ୍ଲକ ଅନଘା ଗାଁ ରାସ୍ତlରେ ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ବଡ଼ ବଡ଼ ପଥର ଖସି ଆସିଥିଲା l ସେତେବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘଟଣାସ୍ଥଳ ପରିଦର୍ଶନ କରିଥିଲେ l

Also Read:- ୩ ଦିନ ସମୁଦ୍ରକୁ ଯିବା ମନା, ମତ୍ସ୍ୟଜୀବୀଙ୍କୁ ଆଲର୍ଟ !

ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ୨୩ରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ରା.ଉଦୟଗିରି ବ୍ଲକ ପାରିବେଟା ଗାଁ ରାସ୍ତlରେ ଭୂସ୍ଖଳନ ଯୋଗୁଁ ବଡ଼ ପଥର ଖସି ରାସ୍ତା ଉପରେ ପଡିଥିଲା l ଅର୍ଣ୍ଣବ ବାତ୍ୟାରେ ତପ୍ତପାଣି ଘାଟିରେ ଭୂସ୍ଖଳନ ହୋଇ ରାସ୍ତା ଅବରୋଧ ହୋଇଥିବା ବେଳେ ରା.ଉଦୟଗିରି ବ୍ଲକ ରାଇବାଡ଼ ରାସ୍ତା, ମୋହନା ବ୍ଲକ ମୋବିଲି ରାସ୍ତlରେ ମଧ୍ୟ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି l ସେହିପରି ଲୁହାଗୁଡ଼ି ବାଲିବାଡ଼ ଗାଁ ରାସ୍ତlରେ ବାରମ୍ବାର ଭୂସ୍ଖଳନ ଯୋଗୁଁ ଭୟଭୀତ ଥିବା କହିଛନ୍ତି ଗ୍ରାମବାସୀ l ଅନ୍ୟ ପକ୍ଷରେ ଭୂସ୍ଖଳନ ଏକ ପ୍ରମୁଖ ସମସ୍ୟା ସୃଷ୍ଟି ହୋଇଛି l ତେଣୁ ଏହାର ପ୍ରତିକାର ପାଇଁ ସରକାର ଗୁରୁତ୍ୱ ଦେବା ସହ ସ୍ୱତନ୍ତ୍ର ପ୍ୟାକେଜ ରଖିବା ଆବଶ୍ୟକ ବୋଲି କହିଛନ୍ତି ବୁଦ୍ଧିଜୀବୀ l