ମୁମ୍ଵାଇ ୧୪।୧୧; ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର ନିଜର ଦମଦାର ଅଭିନୟ ପାଇଁ ଖୁବ୍ ପରିଚିତ । ମହେଶ ଦିବଙ୍ଗତ ଅଭିନେତା ନାନା ପାଟେକରଙ୍କର ମଧ୍ୟ ଜଣେ ବହୁତ ଭଲ ବନ୍ଧୁ ଥିଲେ । ଏବେ ନାନାଙ୍କ ଦେହାନ୍ତ ପରେ ଏହି ଲୋକପ୍ରିୟ ଅଭିନେତା ତାଙ୍କୁ ମନେପକାଇଛନ୍ତି । ଏହା ସହିତ ତନୁଶ୍ରୀ ଦତ୍ତା ବିବାଦ ଉପରେ ମଧ୍ୟ ସେ ଅନେକ ବର୍ଷ ପରେ ନିଜର ମତ ରଖିଛନ୍ତି । ନାନାଙ୍କ ଦେହାନ୍ତ ପୂର୍ବରୁ ତାଙ୍କ ସହ ଶେଷ ଥର ପାଇଁ ଦେଖା କରିପାରି ନଥିବାରୁ ମହେଶ ଦୁଃଖ ପ୍ରକାଶ କରିଛନ୍ତି । ମହେଶଙ୍କ କହିବା ଅନୁଯାୟୀ, ଏହି ପୁରୁଣା ବିବାଦକୁ ବିନା କୌଣସି କାରଣରେ ପୁଣିଥରେ ଚର୍ଚ୍ଚାକୁ ଅଣାଯାଇ ଥିଲା ।

ନ୍ୟୁଜ୍-୧୮ ସହ ଆଲୋଚନା ସମୟରେ ମହେଶ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସେଟରେ ହୋଇଥିବା ବିବାଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ,ଫିଲ୍ମର ସୁଟିଂ ସମୟରେ ସେଟରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ସେ ଜାଣି ଥିଲେ ଏବଂ ସେହି ଦିନ କ’ଣ ଘଟିଥିଲା ତାହା ତାଙ୍କୁ ଭଲ ଭାବେ ଜଣା ଅଛି । ମହେଶଙ୍କ ମତରେ, ଏହି ବିବାଦକୁ ଅଯଥାରେ ପୁଣି ଥରେ ଉଠାଯାଇ ଥିଲା ।

ମହେଶ ମଞ୍ଜରେକର କହିଛନ୍ତି, କିଛି ଲୋକ ଏମିତି ଥାଆନ୍ତି ଯେ ଯଦି ସମସ୍ତେ ତାଙ୍କୁ ସମର୍ଥନ କରନ୍ତି ଏବଂ କେବଳ ଜଣେ ବ୍ୟକ୍ତି ତାଙ୍କୁ ସମର୍ଥନ ନ କରନ୍ତି, ତେବେ ସେମାନଙ୍କୁ ଏହା ପସନ୍ଦ ଆସେ ନାହିଁ । ଏହା ଠିକ୍ ଅଛି । କିନ୍ତୁ ଏହାପରେ ସେମାନେ କୌଣସି ଏକ ପୁରୁଣା ମାମଲାକୁ ପୁଣିଥରେ ସାମ୍ନାକୁ ନେଇ ଆସନ୍ତି । ସେହି ଦିନ କ’ଣ ଘଟିଥିଲା ତାହା ମୁଁ ଜାଣିଛି । ସେଟରେ ଉପସ୍ଥିତ ଥିବା ସମସ୍ତ ଲୋକ ମୋର ପରିଚିତ ଥିଲେ ଏବଂ ସେଠାରେ କିଏ କିଏ ଉପସ୍ଥିତ ଥିଲେ ତାହା ମଧ୍ୟ ମୁଁ ଜାଣିଛି । ଏହି ବିବାଦକୁ ବିନା କୌଣସି କାରଣରେ ପୁଣିଥରେ ଉଠା ଯାଇଥିଲା ।

ମହେଶ ଆହୁରି ମଧ୍ୟ ଜଣାଇଛନ୍ତି ଯେ , ସେ ଫିଲ୍ମର ସେଟରେ ଉପସ୍ଥିତ ଥିବା କିଛି ଲୋକଙ୍କ ସହ ଏହି ବିଷୟରେ କଥା ହୋଇଥିଲେ । ସେଠାରେ ସେମିତି କିଛି ବି ଘଟି ନଥିଲା ବୋଲି ସେହି ଲୋକମାନେ ତାଙ୍କୁ କହି ଥିଲେ । ଏହି ବିବାଦ କାରଣରୁ ନାନା ପାଟେକରଙ୍କୁ ହୋଇଥିବା ଅସୁବିଧାକୁ ନେଇ ମହେଶ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସେଟରେ ଉପସ୍ଥିତ ଥିବା ଯେଉଁ ଲୋକମାନଙ୍କୁ ମୁଁ ଜାଣି ଥିଲି, ସେମାନେ ସମସ୍ତେ ମୋତେ କହି ଥିଲେ ଯେ ସେମିତି କିଛି ଘଟି ନଥିଲା । ଆଦୌ କିଛି ବି ଘଟି ନଥିଲା । ନାନାଙ୍କୁ ବିନା କାରଣରେ ବହୁତ କିଛି ସହିବାକୁ ପଡ଼ିଲା । ଏଭଳି କଥାକୁ ଅଣଦେଖା କରିଦେବା ଉଚିତ । କିନ୍ତୁ ସୋସିଆଲ ମିଡିଆ କାରଣରୁ ପ୍ରତ୍ୟେକଙ୍କର ନିଜସ୍ୱ ମତ ରହୁଛି ଏବଂ ଏହାର କୌଣସି ସମାଧାନ ନାହିଁ ।

୨୦୧୮ ମସିହାରେ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ବିରୋଧରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସେଟରେ ଯୌନ ନିର୍ଯାତନା ଏବଂ ଖରାପ ବ୍ୟବହାର କରିଥିବା ଅଭିଯୋଗ ଆଣି ଥିଲେ । ଉକ୍ତ ଫିଲ୍ମଟି ୨୦୦୮ ମସିହାରେ ରିଲିଜ ହୋଇ ଥିଲା । ତନୁଶ୍ରୀଙ୍କ ଅଭିଯୋଗ ଥିଲା ଯେ, ମାର୍ଚ୍ଚ ୨୦୦୮ରେ ଏକ ଗୀତର ସୁଟିଂ ସମୟରେ ନାନା ତାଙ୍କୁ ଖରାପ ଭାବେ ସ୍ପର୍ଶ କରି ଥିଲେ । ସେ ଏହା ମଧ୍ୟ ଦାବି କରିଥିଲେ ଯେ, ଯେତେବେଳେ ସେ ସୁଟିଂ ଛାଡ଼ି ଯିବାକୁ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କ କାର ଉପରେ ଭିଡ଼ ଆକ୍ରମଣ କରି ଥିଲା । ତେବେ ନାନା ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ ।