ନୂଆଦିଲ୍ଲୀ: ଭାରତରେ ସ୍ୱାସ୍ଥ୍ୟକର ଖାଦ୍ୟ ନେଇ ଏଇ କିଛିଦିନ ହେବ ବେଶ୍ ଜାଗ୍ରତ ହୋଇଛନ୍ତି ସରକାର। ଏଥିପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଗୋଟିଏ ପରେ ଗୋଟିଏ କମ୍ପାନୀ ଉପରେ ଚଢା଼ଉ କରୁଛି ଓ ପ୍ରଡକ୍ଟ ବ୍ୟାନ୍ କରୁଛି। ଏବେ ଏଫ୍ଏସଏସ୍ଏଆଇର ଶିକାର ହୋଇଛନ୍ତି ଏଭେରେଷ୍ଟ ଫୁଡ୍ ପ୍ରଡକ୍ଟ ଓ ଲାଲଜୀ ଗୋଧୁ। କମ୍ପାନୀର ହେଙ୍ଗୁ ବିକ୍ରି ଉପରେ ବ୍ୟାନ ଲଗାଇଛି ଖାଦ୍ୟ ସୁରକ୍ଷା ସଂସ୍ଥା।

ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ୍ ଏବଂ ଲାଲଜୀ ଗୋଧୁଙ୍କ ଦ୍ୱାରା ଉତ୍ପାଦିତ ହେଙ୍ଗୁ ବିକ୍ରି ଉପରେ ଅସ୍ଥାୟୀ ରୋକ ଲଗାଇଛି FSSAI । ଲାବୋରେଟୋରୀ ପରୀକ୍ଷାରେ ଉଭୟ କମ୍ପାନୀର ହେଙ୍ଗୁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁନଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି।

ଏଫ୍ଏସଏସ୍ଏଆଇ ଉଭୟ କମ୍ପାନୀକୁ ନିୟମ ଉଲ୍ଲଂଘନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ କହିଛି। ଏଥିସହ ନିର୍ଦ୍ଧାରିତ ଖାଦ୍ୟ ସୁରକ୍ଷା ମାନଦଣ୍ଡ ପାଳନ ପାଇଁ କିଭଳି ପଦକ୍ଷେପ ନିଆଯିବ, ସେନେଇ ଆକ୍ସନ ପ୍ଲାନ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବଜାରରେ ପୂର୍ବରୁ ଥିବା ଖରାପମାନର ଉତ୍ପାଦକୁ ସ୍ୱଇଚ୍ଛାରେ ପ୍ରତ୍ୟାହାର କରିବାକୁ ମଧ୍ୟ କମ୍ପାନୀଗୁଡ଼ିକୁ ପରାମର୍ଶ ଦିଆଯାଇଛି।କମ୍ପାନୀଗୁଡ଼ିକ ନିୟମ ଅନୁସାରେ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଏହି ରୋକ ବଳବତ୍ତର ରହିବ।

ହେଙ୍ଗୁରେ ଗୁରୁତର ଅନିୟମିତତା

ଜଣେ ଗ୍ରାହକଙ୍କ ଅଭିଯୋଗ ପରେ ଏଫ୍ଏସଏସ୍ଏଆଇ ପ୍ରମୁଖ ହେଙ୍ଗୁ ବ୍ରାଣ୍ଡଗୁଡ଼ିକ ବିରୋଧରେ ଯାଞ୍ଚ ଆରମ୍ଭ କରିଥିଲା। ମୁମ୍ବାଇରେ ଉଭୟ କମ୍ପାନୀର ଉତ୍ପାଦନ ୟୁନିଟ୍ ଏବଂ ଗୁଜରାଟର ଉମରଗାଓଁସ୍ଥିତ ଏଭରେଷ୍ଟର ୟୁନିଟ୍ରୁ ନମୁନା ସଂଗ୍ରହ କରାଯାଇଥିଲା। ପରୀକ୍ଷାରେ ଏହି ନମୁନାଗୁଡ଼ିକ ନିର୍ଦ୍ଧାରିତ ମାନ ପୂରଣ କରୁନଥିବା ଜଣାପଡ଼ିଛି।

ନିୟମ ଅନୁସାରେ, କମ୍ପାଉଣ୍ଡେଡ୍ ହେଙ୍ଗୁରେ ଅତି କମରେ ୫ ପ୍ରତିଶତ ଆଲକୋହଲ୍-ସଲ୍ୟୁବଲ୍ ଏକ୍ସଟ୍ରାକ୍ଟ ରହିବା ଆବଶ୍ୟକ। କିନ୍ତୁ ଯାଞ୍ଚ ହୋଇଥିବା ନମୁନାରେ ଏହାର ପରିମାଣ ମାତ୍ର ୦ରୁ ୩ ପ୍ରତିଶତ ମଧ୍ୟରେ ଥିବା ଜଣାପଡ଼ିଛି। ଏଫ୍ଏସଏସ୍ଆଇ ଅନୁସାରେ, ଏହାର ଅର୍ଥ ହେଉଛି ନିର୍ମାତାମାନେ ଆବଶ୍ୟକତାଠାରୁ ପ୍ରାୟ ୩୦ରୁ ୪୦ ପ୍ରତିଶତ କମ୍ କଞ୍ଚା ହେଙ୍ଗୁ ବ୍ୟବହାର କରିଥାଇପାରନ୍ତି।

ଲାଲଜୀ ଗୋଧୁଙ୍କ କଞ୍ଚା ହେଙ୍ଗୁରେ ଅଧିକ ଷ୍ଟାର୍ଚ୍ଚ

ଲାଲଜୀ ଗୋଧୁଙ୍କ ଉତ୍ପାଦନ ୟୁନିଟ୍ରୁ ସଂଗ୍ରହ କରାଯାଇଥିବା ୬ ପ୍ରକାରର କଞ୍ଚା ହେଙ୍ଗୁର ମଧ୍ୟ ପରୀକ୍ଷା କରାଯାଇଥିଲା। ଏହି ନମୁନାଗୁଡ଼ିକରେ ୧୫ରୁ ୩୨ ପ୍ରତିଶତ ଷ୍ଟାର୍ଚ୍ଚ ମିଳିଥିଲା। ଯେଉଁଠାରେ ନିୟମ ଅନୁସାରେ ଷ୍ଟାର୍ଚ୍ଚର ସର୍ବାଧିକ ଅନୁମୋଦିତ ପରିମାଣ ମାତ୍ର ୧ ପ୍ରତିଶତ।

ସେହିପରି ଏଭରେଷ୍ଟର ଆଉ ୩ଟି ମସଲାରେ ତ୍ରୁଟି ମିଳିଛି। ହେଙ୍ଗୁ ବ୍ୟତୀତ ଏଭରେଷ୍ଟର ଏଗ୍ କରି ମସଲା, ଚିକେନ୍ ମସଲା ଏବଂ ଗରମ ମସଲାରେ ମଧ୍ୟ ନିୟମ ପାଳନ ହୋଇନଥିବା ଏଫ୍ଏସଏସଏଆଇ ଚିହ୍ନଟ କରିଛି। ତେବେ ଏହି ତିନୋଟି ଉତ୍ପାଦର ବିକ୍ରି ଉପରେ ବର୍ତ୍ତମାନ କୌଣସି ନିଷେଧ ଲଗାଯାଇନାହିଁ।

Also Read- କର୍ଣ୍ଣାଟକରେ ନିଲମ୍ବନ ହେଲା ଆମାଜନ, ସ୍ୱିଗୀ ଓ ବିଗ ବାସ୍କେଟ୍ ଫୁଡ ଲାଇସେନ୍ସ, ଜାଣନ୍ତୁ କାହିଁକି?

ପ୍ୟାକେଟ୍ ଖାଦ୍ୟରେ ଆସିପାରେ ରେଡ୍ ୱାର୍ଣ୍ଣିଂ

ଏହି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏଫ୍ଏସଏସଏଆଇ ସୁପ୍ରିମକୋର୍ଟକୁ ଏକ ନୂଆ ପ୍ରସ୍ତାବ ଦେଇଛି। ପ୍ୟାକେଟ୍ରେ ଥିବା ଖାଦ୍ୟରେ ଅତ୍ୟଧିକ ଚିନି, ଲୁଣ କିମ୍ବା ସାଚୁରେଟେଡ୍ ଫ୍ୟାଟ୍ ରହିଥିଲେ, ତାହା ଉପରେ ସାମ୍ନା ପଟେ ଏକ ଉଜ୍ଜ୍ୱଳ ଲାଲ ଷଢ଼କୋଣୀୟ ଚେତାବନୀ ଲେବଲ୍ ଲଗାଇବାକୁ ଏଫ୍ଏସଏସଏଆଇ ପ୍ରସ୍ତାବ ଦେଇଛି।

ଫ୍ରଣ୍ଟ-ଅଫ୍-ପ୍ୟାକ୍ ଚେତାବନୀ ଲେବଲ୍ ନିୟମ ଆଣିବାରେ ବିଳମ୍ବ ନେଇ ସୁପ୍ରିମକୋର୍ଟର ଜଷ୍ଟିସ୍ ଜେ.ବି. ପାର୍ଦିୱାଲାଙ୍କ ନେତୃତ୍ୱାଧୀନ ବେଞ୍ଚ ଏଫ୍ଏସଏସଏଆଇ ଏବଂ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବାର କିଛି ଦିନ ପରେ ଏହି ପ୍ରସ୍ତାବ ଦିଆଯାଇଛି।

ଏପରି ଚେତାବନୀ ଲେବଲ୍ ଲାଗୁ ହେଲେ ଗ୍ରାହକମାନେ କୌଣସି ଖାଦ୍ୟରେ ଅଧିକ ଚିନି, ଲୁଣ କିମ୍ବା ସାଚୁରେଟେଡ୍ ଫ୍ୟାଟ୍ ରହିଛି କି ନାହିଁ, ସହଜରେ ଜାଣିପାରିବେ ଏବଂ ଖାଦ୍ୟ କିଣିବା ସମୟରେ ଅଧିକ ସଚେତନ ନିଷ୍ପତ୍ତି ନେଇପାରିବେ।