ବେଙ୍ଗାଲୁରୁ: କର୍ଣ୍ଣାଟକ ଖାଦ୍ୟସୁକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ ଆମାଜନ, ସ୍ୱିଗି, ଇନଷ୍ଟାମାର୍ଟ ଓ ବିଗ୍ ବାସ୍କେଟ ଭଳି ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମଙ୍କ ଫୁଡ ଲାଇସେନ୍ସ ଅସ୍ଥାୟୀ ରୂପେ ନିଲମ୍ବନ କରିଛନ୍ତି। ମଣିଷ ଖାଇବା ଲାଗି ବିଷାକ୍ତ ‘ଦୁଦୁରା’ ଫଳ ଓ ମଞ୍ଜି ଅନଲାଇନରେ ବିକ୍ରି ଲାଗି ଲିଷ୍ଟିଂ କରାଯିବା ପରେ ସରକାର ଅନଲାଇନ ପ୍ଲାଟଫର୍ମଙ୍କ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ କରିଛନ୍ତି। ବିଭାଗଙ୍କ ଆଦେଶ ଅନୁସାରେ ଦୁଦୁରା ଅତ୍ୟନ୍ତ ବିଷାକ୍ତ ଓ ଏହାକୁ ଖାଇଲେ ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ଉପୁଜିପାରେ। ଯାଞ୍ଚ ବେଳେ ସଂସ୍ଥାମାନେ ଦୁଦୁରା ଫଳ ଓ ମଞ୍ଜି ପ୍ୟାକେଟ କରି ଅନଲାଇନରେ ବିକ୍ରି କରୁଥିବା ପୁଷ୍ଟି ହୋଇଛି।

ଏହି ଦୁଦୁରା ମଞ୍ଜି ଓ ଫଳ ଏଫଏସଏସଏଆଇ ଫୁଡ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ନମ୍ବର ସହିତ ଲିଷ୍ଟ କରାଯାଇଥିଲା। ଅଥରିଟି ସ୍ପଷ୍ଟ କରିଛନ୍ତି ଯେ ବିଷାକ୍ତ ହୋଇଥିବା କାରଣରୁ ଏପରି ଉତ୍ପାଦକୁ ଖାଇବା ଜିନିଷ ଭାବେ ଷ୍ଟୋର, ଡିଷ୍ଟ୍ରିବ୍ୟୁସନ ଅଥବା ବିକ୍ରି କରାଯାଇ ପାରିବନି। ବିଭାଗଙ୍କ ପଚରା ଉଚରା କାଳରେ ଏହି ସବୁ କମ୍ପାନୀଙ୍କ ପ୍ରତିନିଧି ହାଜର ହୋଇଥିଲେ। ମାମଲାରେ ଆମାଜନ କୌଣସି ଜବାବ ଦେଇ ନଥିବା ବେଳେ ସ୍ୱିଗି ଇନଷ୍ଟାମାର୍ଟ ଡକ୍ୟୁମେଣ୍ଟ ଦାଖଲ କରିବାକୁ ଅତିରିକ୍ତ ସମୟ ମାଗିଥିଲେ। ତେବେ ବିଗ୍ ବାସ୍କେଟ୍ ଦୁଦୁରା ବିକ୍ରି ବନ୍ଦ କରିଦେଇଥିବା ଅଥରଟିଙ୍କୁ କହିଛନ୍ତି।

ସେହିପରି ଭବିଷ୍ୟତରେ ଏହା ଉପରେ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଲେବୁଲ ଲଗାଇବା କଥା ମଧ୍ୟ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏହି ସ୍ପଷ୍ଟିକରଣ ଅଥରିଟିଙ୍କୁ ସନ୍ତୋଷଜନକ ଲାଗି ନାହିଁ। ଏଣୁ ସଂସ୍ଥାମାନଙ୍କ ବିରୋଧରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କରାଯାଇଛି। ଅଥରିଟି ଏହି ସବୁ ଅନଲାଇନ ପ୍ଲାଟଫର୍ମଙ୍କୁ ଦୁଦୁରା ସମ୍ପର୍କିତ ଅନଲାଇନ ଲିଷ୍ଟିଂ ଓ ବିଜ୍ଞାପନ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ସବୁ ପ୍ଲାଟଫର୍ମକୁ ଦୁଦୁରା ଯୋଗାଣ କରୁଥିବା ସେଲର୍ସ ଓ ସପ୍ଲାୟର୍ସଙ୍କ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ତତ୍କାଳ ପ୍ରଭାବ ନିଲମ୍ବନ କରିଛନ୍ତି। ଏହା ସହିତ କର୍ଣ୍ଣାଟକ ଖାଦ୍ୟସୁରକ୍ଷା ଅଥରିଟି ଚେତାବନୀ ଦେଇଛନ୍ତି ଯେ ଏହି ଆଦେଶର ଉଲ୍ଲଂଘନ ଖାଦ୍ୟସୁରକ୍ଷା ଓ ମାନକ ଅଧିନିୟମ ୨୦୦୬ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ।