ନୂଆଦିଲ୍ଲୀ: ଖାଦ୍ୟ ପଦାର୍ଥ ପ୍ୟାକେଟ୍ ରେ ଶତ ପ୍ରତିଶତ ଶୁଦ୍ଧ ଓ ପ୍ରାକୃତିକ ଲେଖାଥିଲେ ଏହାକୁ ଉତ୍ପାଦର କ୍ୱାଲିଟି ଗ୍ୟାରେଣ୍ଟି ଭାବନ୍ତୁ ନାହିଁ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଏପରି ଦାବିକୁ ଭ୍ରମାତ୍ମକ ମନେ କରି ଦ୍ରୁତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ନିୟାମକ କଡ଼ାକଡ଼ି ହେବା ପରେ ୬ଟି କମ୍ପାନୀ ସେମାନଙ୍କ ଖାଦ୍ୟ ଉତ୍ପାଦର ପ୍ୟାକେଜିଂ, ଲେବଲ, ୱେବସାଇଟ୍ ଓ ପ୍ରଚାର ସାମଗ୍ରୀରୁ ‘ଶହେ ପ୍ରତିଶତ’ ଦାବି ହଟାଇ ଦେଇଛନ୍ତି। ପ୍ରାଧିକରଣଙ୍କ କହିବା କଥା ହେଉଛି ଏପରି ଦାବିଦ୍ୱାରା ଗ୍ରାହକଙ୍କ ମନରେ ଉତ୍ପାଦର ବିଶୁଦ୍ଧତା, ମାନ ଓ ଶ୍ରେଷ୍ଠତାକୁ ନେଇ ଭ୍ରମ ସୃଷ୍ଟି ହୁଏ। ଅନେକ ମାମଲାରେ ଖାଉଟି ଠକେଇର ମଧ୍ୟ ଶିକାର ହେଉଛନ୍ତି।

ଏବେ ଏହି କାର୍ଯ୍ୟାନୁଷ୍ଠାନର ସଂକେତ ହେଉଛି ଏଫଏସଏସଏଆଇ ଏପରି ଦାବି ପ୍ରତି ନିଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ବଢେଇବାକୁ ଯାଉଛନ୍ତି। ଏଣୁ ଉପଭୋକ୍ତାଙ୍କୁ ଆଗ୍ରହ କରାଯାଇଛି ଯେ ଖାଦ୍ୟ ପ୍ୟାକେଟ ଉପରେ ଭ୍ରମରେ ପକାଇବା ଭଳି ଲେବୁଲ ଅଥବା ବିଜ୍ଞାପନର ଅଭିଯୋଗ ଫୁଡ ସେଫ୍ଟି କନେକ୍ଟ ଆପ ଓ ଫୋସ୍କୋସ ପୋର୍ଟାଲରେ କରିପାରିବେ। ଅଭିଯୋଗ ସହିତ ଖାଦ୍ୟ ପ୍ୟାକେଟର ଛବି, ଲାଇସେନ୍ସ ଅଥବା ପଞ୍ଜିକରଣ ସଂଖ୍ୟା ଓ ଅନଲାଇନରେ ବିକ୍ରି ହେଉଥିଲେ ସମ୍ବଦ୍ଧିତ ଲିଂକ ମଧ୍ୟ ସେୟାର କରାଯାଇ ପାରିବେ। କାରଣ ଖାଦ୍ୟ ସୁରକ୍ଷା ଆଇନରେ ‘ଶତ ପ୍ରତିଶତ’ ଶବ୍ଦ ଖାସ କ୍ୱାଲିଟିର ଅଧିକାରୀକ ପରିଚୟ ରୂପେ ପରିଭାଷିତ କରାଯାଇ ନାହିଁ।

ଏଫଏସଏସଏଆଇ ଗତ ୨୦୨୫ ମେ ମାସରେ ଖାଦ୍ୟ ବ୍ୟବସାୟୀଙ୍କୁ ଲେବୁଲ, ପ୍ୟାକେଜିଂ ଓ ପ୍ରଚାର ସାମଗ୍ରୀରେ ଏପରି ଦାବିରୁ ବର୍ତ୍ତିବାକୁ ପରାମର୍ଶ ଦେଇଥିଲେ। କହିଥିଲେ ଏପରି ଦାବି ଉଚିତ ଓ ସ୍ପଷ୍ଟ ହୋଇଥିବା ଆବଶ୍ୟକ। ପ୍ରାଧିକରଣଙ୍କ ଅନୁସାରେ ବୋନ ବିସ୍କୁଟସ୍ ତାଙ୍କ ବୋନ କ୍ୟୁମିନ ଫ୍ଲେଭର ଜିରା ବାଇଟ୍ ବିସ୍କୁଟ ବିଜ୍ଞାପନରୁ ଏପରି ଦାବି ହଟାଇ ଦେଇଛନ୍ତି। ସେହିପରି ଇମାମି ଝଣ୍ଡୁ ହନି ଓ ଏପିସ୍ ଇଣ୍ଡିଆ ତାଙ୍କ ମହୂ ଉତ୍ପାଦରୁ ‘ଶତପ୍ରତିଶତ ଶୁଦ୍ଧ’ ଦାବି ହଟାଇ ଦେଇଛନ୍ତି। ଆମୱେ ଇଣ୍ଡିଆ କୋକନଟ ଅଏଲରୁ ଏପରି ଦାବି ହଟାଇଥିବାର ପୁଷ୍ଟି କରିଛନ୍ତି। ଏବେ ପୁରୁଣା ପ୍ୟାକେଟ ବିକ୍ରିକୁ ବ୍ୟବସ୍ଥାରୁ ହଟାଇ ନୂଆ ପ୍ୟାକେଟ୍ ଲାଗୁ କରୁଛନ୍ତି। କେରଳର ଜୁଜା ଫୁଡସ୍ ତାଙ୍କ ବେବି ଫୁଡ ଉତ୍ପାଦ ଯେପରିକି ରାଗି, ବାନାନା ପାଉଡର, ସ୍ୱିଟ ପଟାଟୋ ପାଉଡର ପ୍ୟାକେଟରୁ ଶତ ପ୍ରତିଶତ ଦାବି ହଟାଇ ଦେଇଛନ୍ତି।