କୋଲକାତା: ପଶ୍ଚିମବଙ୍ଗର ରାଜନୀତିରେ ବଡ଼ ହଲଚଲ। ରାଜ୍ୟର ପୂର୍ବତନ ଉପବାଚସ୍ପତି ତଥା ଟିଏମସିର ବରିଷ୍ଠ ନେତା ଆଶିଷ ବାନାର୍ଜୀ ଆତ୍ମହତ୍ୟା କରିଛନ୍ତି। ବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ ତାଙ୍କ ପାର୍ଟି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁସାରେ, ରାମପୁରହାଟ ପୌରାଞ୍ଚଳର ୱାର୍ଡ ନମ୍ବର ୫ ଅନ୍ତର୍ଗତ ହତାତଲାପଡ଼ାରେ ଥିବା ତାଙ୍କ ଘର ନିକଟ ପାର୍ଟି ଅଫିସରେ ଆଶିଷ ବାନାର୍ଜୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଘଟଣା ପ୍ରଘଟ ହେବା ପରେ ବହୁ ସଂଖ୍ୟାରେ ଟିଏମସି କର୍ମୀ ଓ ସ୍ଥାନୀୟ ଲୋକ ତାଙ୍କ କାର୍ଯ୍ୟାଳୟ ବାହାରେ ଏକାଠି ହୋଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ଜବତ କରିବା ସହ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଏବଂ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଅନ୍ୟପକ୍ଷରେ, ଆଶିଷ ବାନାର୍ଜୀଙ୍କ ପାର୍ଟି କାର୍ଯ୍ୟାଳୟରୁ ‘ସୁଇସାଇଡ୍ ନୋଟ୍’ ମିଳିଛି। ତେବେ ଏହି ନୋଟ୍ରେ କ’ଣ ଲେଖାଯାଇଛି ଏବଂ ଏହା ପ୍ରକୃତରେ ଆଶିଷ ବାନାର୍ଜୀଙ୍କ ଲେଖା କି ନୁହେଁ, ସେନେଇ ତଦନ୍ତ ପରେ ସ୍ପଷ୍ଟତା ମିଳିବ।

ଆଶିଷ ବାନାର୍ଜୀ ପଶ୍ଚିମବଙ୍ଗ ରାଜନୀତିର ଜଣେ ପରିଚିତ ଚେହେରା ଥିଲେ। ସେ ରାମପୁରହାଟ ବିଧାନସଭା ଆସନରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ସେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସ୍କୁଲ ଶିକ୍ଷା, କୃଷି ଓ ଆୟୁଷ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ଅଧୀନରେ ରହିଥିଲା। ପରେ ସେ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତି ପଦରେ ମଧ୍ୟ କାର୍ଯ୍ୟ କରିଥିଲେ।

also read- ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାକୁ ଅତି ପ୍ରବଳ ବର୍ଷା, ରେଡ୍ ଆଲର୍ଟ ଜାରି କଲା IMD

ଚଳିତ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ଆଶିଷ ବାନାର୍ଜୀ ରାମପୁରହାଟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ବିଜେପି ପ୍ରାର୍ଥୀ ଧ୍ରୁବ ସାହାଙ୍କ ସହ କଡ଼ା ମୁକାବିଲାରେ ସେ ପରାଜିତ ହୋଇଥିଲେ। ନିର୍ବାଚନ ପରାଜୟ ପରେ ମଧ୍ୟ ସେ ନିଜ ଅଞ୍ଚଳରେ ସକ୍ରିୟ ଥିଲେ ଏବଂ ଦଳୀୟ କର୍ମୀଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ରାମପୁରହାଟରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସମର୍ଥକ ଓ ଦଳୀୟ କର୍ମୀମାନେ ଶୋକ ପ୍ରକାଶ କରିଛନ୍ତି।