ଭୁବନେଶ୍ୱର ୨୯/୦୧: ପୁଣି କଳିକେଶଙ୍କ ରାଜ୍ୟ ନେତୃତ୍ୱକୁ ନେଇ ଚର୍ଚ୍ଚା । ବିଧାୟକ ଦିବ୍ୟ ଶଙ୍କରଙ୍କ ପରେ ସେହି ମଞ୍ଚରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଉଠାଇଲେ ରାଜ୍ୟ ନେତୃତ୍ୱ କଥା । କେବଳ କଥା ଉଠାଇନାହାଁନ୍ତି ତ କଳିକେଶଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ଦେବେଶ ଆଚାର୍ଯ୍ୟ । କହିଛନ୍ତି ଦଳକୁ ସଂଗଠିତ କରିବାକୁ ତାଙ୍କ ଭଳିଆ ନେତା ଆଗକୁ ଆସିବା କଥା ।

କଳିକେଶ ବାବୁଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି । ସଂସଦକୁ ଯାଇଛନ୍ତି, ୨ ଥର ବିଧାୟକ ହେବାର ଅଭିଜ୍ଞତା ରହିଛି । ରାଜେନ୍ଦ୍ର ନାରାୟଣ ସିଂହଦେଓ ପୂର୍ବତନ ମୁଖ୍ୟମନ୍ତ୍ରୀ, ଅନଙ୍ଗଉଦୟ ବରିଷ୍ଠ ନେତା । ତେଣୁ କଳିକେଶଙ୍କୁ ନେଇ ଆମର ଅନେକ ଆଶା ଆକାଂକ୍ଷା ରହିଛି । ତେବେ ଦେବେଶଙ୍କ ଆଚାର୍ଯ୍ୟଙ୍କ କହିବାର ଦିନକ ପୂର୍ବରୁ କଳିକେଶଙ୍କୁ ନେଇ ଏପରି ବୟାନ ଦେଇଥିଲେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।

ସୂଚନା ଥାଉକି, ବଲାଙ୍ଗୀରରେ ଚାଲିଛି ସର୍ବଭାରତୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓ ମେମୋରିଆଲ ଫୁଟଵଲ ଟୁର୍ଣ୍ଣାମେଣ୍ଟ । ଏଥିରେ ପ୍ରତିଦିନ ଅତିଥି ଭାବରେ ଆସୁଛନ୍ତି ବିଜେଡି ବିଧାୟକ ପୂର୍ବତନ ବିଧାୟକ ନେତା । ଏହି ମଞ୍ଚରେ ଏବେ ଫୁଟଵଲକୁ ନେଇ ଯେତିକି ଚର୍ଚ୍ଚା ବଲାଙ୍ଗୀର ବିଧାୟକଙ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ।

କାରଣ ବିଧାୟକ କଳିକେଶ ନାରାୟଣ ସିଂଦେଓକୁ ରାଜ୍ୟ ନେତୃତ୍ୱର ମଙ୍ଗ ଧରିବା ପାଇଁ କରୁଛନ୍ତି ଦାବି । ତେବେ ଗତକାଲି ମଧ୍ୟ ଦିବ୍ୟଙ୍କ ପରେ କଳିକେଶଙ୍କ ରାଜ୍ୟ ନେତୃତ୍ୱ କଥା ଉଠାଇଲେ ଦେବେଶ ଆଚାର୍ଯ୍ୟ । କହିଲେ ଖେଳ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ତାଙ୍କ ନେତୃତ୍ୱ ନେବାର ଅଭିଜ୍ଞତା ଅଛି । ଆମେ ନିଶ୍ଚିତ ପଶ୍ଚିମ ଓଡିଶା ବାସୀ ତାହାକୁ ଆଗାମୀ ଦିନରେ ତାହା ଦେଖିବା ।