ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ବିଲକିସବାନୋ ମାମଲର ୨ ଦୋଷୀଙ୍କ ଆଜୀବନ ଜେଲଦଣ୍ଡାଦେଶ ନିଲମ୍ବନ କରିଛନ୍ତି, ଏହା ସହ ସେମାନଙ୍କୁ ଜାମିନ ମଧ୍ୟ ମଞ୍ଜୁର କରିଛନ୍ତି। କୋର୍ଟ କହିଛନ୍ତି ଯେ ଏମାନେ ୧୭ ବର୍ଷରୁ ଅଧିକ କାଳ ଜେଲରେ ବିତାଇସାରିଲେଣି ଓ ସେମାନଙ୍କ ଆବେଦନରେ ଏପରି ତଥ୍ୟ ଓ ଆଇନଗତ ପ୍ରସଙ୍ଗ ଅଛି ଯାହା ବିଚାରଯୋଗ୍ୟ। ଏହା ସହିତ କୋର୍ଟ ଏଥିପ୍ରତି ମଧ୍ୟ ଧ୍ୟାନ ଦେଇଛନ୍ତି ଯେ ଆବେଦନକାରୀଙ୍କ ମଧ୍ୟରୁ ଅନ୍ୟତମ ଯୋଶୀ ଗୁରୁତର ରୂପେ ବିକଳାଙ୍ଗ। ଜଷ୍ଟିସ୍ ଏମ.ଏସ୍.ସୁନ୍ଦରେସ ଓ ଜଷ୍ଟିସ୍ ପ୍ରସନ୍ନା ବି. ବରାଳେଙ୍କ ପୀଠ ଏହି ମାମଲାରେ ଅକ୍ଟୋବର ୨୮ ତାରିଖ ଦିନ ଆଦେଶ ଶୁଣାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାର ୨ ଜଣ ଦୋଷୀ ବିପିନ ଚନ୍ଦ ଯୋଶୀ ଓ ପ୍ରଦୀପ ମୋରଧିୟା ସେହି ୧୧ ଜଣଙ୍କ ମଧ୍ୟରେ ସାମିଲ ଯେଉଁମାନଙ୍କ ସମୟପୂର୍ବ ମୁକ୍ତିକୁ ସୁପ୍ରିମକୋର୍ଟ ୮ ଜାନୁୟାରୀ ୨୦୨୪ରେ ବାତିଲ କରିଦେଇଥିଲେ। ସେମାନେ ବମ୍ବେ ହାଇକୋର୍ଟର ମେ ୨୦୧୭ରର ସେହି ରାୟକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଓ ଜେଲଦଣ୍ଡାଦେଶକୁ ବଳବତ୍ତର ରଖା ଯାଇଥିଲା। ୨୦୦୨ ଗୁଜରାଟ ଦଙ୍ଗା କାଳରେ ଯେତେବେଳେ ବାନୋଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା ସେତେବେଳେ ସେ ୫ ମାସର ଗର୍ଭବତୀ ଥିଲେ। ସେହିପରି ତାଙ୍କର ୩ ବର୍ଷର ଝିଅ ସମେତ ପରିବାରର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା।

ଏହି ମାମଲାରେ ଦୋଷୀ ଅନ୍ୟମାନେ ହେଲେ ଗୋବିନ୍ଦ ନାଈ, ରମେଶ ଚନ୍ଦାନା, ମିତେଶ ଭଟ୍ଟ, ବକାଭାଇ ବୋହନିୟା, ଜଶବନ୍ତ ନାଈ, ରାଧେଶ୍ୟାମ ଶାହ, ରାଜୁଭାଇ ସୋନି ଓ ଶୈଳେଶ ଭଟ୍ଟ। କୋର୍ଟ ପୂର୍ବରୁ ଗୁଜରାଟ ସରକାରଙ୍କ ମୁକ୍ତି ଆଦେଶକୁ ମହାରାଷ୍ଚ୍ର ସେମାନଙ୍କ ଶୀଘ୍ର ମୁକ୍ତି ଲାଗି ନିଷ୍ପତ୍ତି ନେବାର ଅଧିକାର ରଖୁଛି ବୋଲି କହି ରଦ୍ଦ କରିଦେଇଥିଲେ।