ଅମରାବତୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାକୁ ଆହୁରି ଶକ୍ତିଶାଳୀ ହେଉଛି ସାମୁଦ୍ରିକ ଝଡ଼। ଗଭୀର ଅବପାତରୁ ଆଜି ଅର୍ଥାତ୍ ସୋମବାର ସାମୁଦ୍ରିକ ଝଡ଼ରେ ପରିଣତ ହେବାକୁ ଯାଉଛି ସିଷ୍ଟମ୍। ଏହାର ନାଁ ରହିବ ‘ଅକଭାନ୍’। ନଭେମ୍ବର ୧୭ରେ ଏହା ଭୀଷଣ ବାତ୍ୟା ଏବଂ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ। ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ଛୁଇଁପାରେ।

ଏହାକୁ ଦୃଷ୍ଟିରେ ରଖି ଆଶଙ୍କାକୁ ନେଇ ଚିନ୍ତାରେ ଆନ୍ଧ୍ରପ୍ରଦେଶ ସରକାର। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ଆଗୁଆ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା, ପବନ ଏବଂ ବନ୍ୟା ଆଶଙ୍କା ଥିବାରୁ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ କହିଛନ୍ତି।

ଏକ ସମୀକ୍ଷା ବୈଠକରେ ନାଇଡୁ ଅଧିକାରୀଙ୍କୁ କହିଛନ୍ତି, ବାତ୍ୟାର ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖିବା ସହ ଲୋକଙ୍କୁ ସତର୍କ ସୂଚନା ଦିଆଯାଉ। ଉପକୂଳ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନରେ ରହୁଥିବା ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉ।

ବାତ୍ୟା ସମୟରେ ବିଦ୍ୟୁତ୍ ଏବଂ ମୋବାଇଲ୍ ସେବା ବ୍ୟାହତ ହେବାର ଆଶଙ୍କା ଥିବାରୁ ବିଦ୍ୟୁତ୍ ବିଭାଗକୁ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଯେଉଁଠି ବିଦ୍ୟୁତ୍ ସରବରାହ ବନ୍ଦ ହେବ, ସେଠାରେ ଯଥାଶୀଘ୍ର ସେବା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ରହିଛି।ସେହିପରି ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବା ଏବଂ ସମୁଦ୍ରର ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ମାଛଧରା ଡଙ୍ଗାକୁ ସମୁଦ୍ରକୁ ନଛାଡ଼ିବାକୁ କୁହାଯାଇଛି। ଏଥିସହ ଗର୍ଭବତୀ ମହିଳା, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦେବାକୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି।

ରିଲିଫ୍ କେନ୍ଦ୍ରଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ସହ ଉଦ୍ଧାର ଓ ରିଲିଫ୍ ଟିମ୍କୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବାତ୍ୟା ସମ୍ପର୍କିତ ସୂଚନା ପାଇଁ ପ୍ରତି ଚାରି ଘଣ୍ଟାରେ ବୁଲେଟିନ୍ ଜାରି କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।