ନୂଆଦିଲ୍ଲୀ: ସୁପ୍ରିମକୋର୍ଟର କୋର୍ଟ ରୁମ୍ ୱାନ୍ ଅର୍ଥାତ୍ ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଦାଲତରେ ହଙ୍ଗାମା ଦେଖିବାକୁ ମିଳିଛି । ସିଜେଆଇଙ୍କ ସମ୍ମୁଖରେ ହାଜର ଜଣେ ଓକିଲ ରାଗିଯାଇ ତାଙ୍କୁ ବେଇମାନ ବୋଲି କହିଥିଲେ । ସିଜେଆଇ ଓକିଲଙ୍କୁ ଅପେକ୍ଷା କରିବାକୁ କହିବା ପରେ ଏହି ଘଟଣା ଘଟିଥିଲା । ସିଜେଆଇ କହିଥିଲେ, "ଆମେ ଦେଖିବୁ", କିନ୍ତୁ ଓକିଲ ଅପେକ୍ଷା କରିବାକୁ ମନା କରିଦେଲେ । ଏତିକିରେ ରାଗିଯାଇ ଓକିଲ ଜଣକ କହିଥିଲେ, "ଆପଣ ଏହି ଚୌକିରେ ବସିବା ପାଇଁ ଯୋଗ୍ୟ ନୁହନ୍ତି, ଆପଣଙ୍କର ପାଖରେ ସଚ୍ଚୋଟତା ନାହିଁ ।" ଏହା ପରେ କୋର୍ଟ କାର୍ଯ୍ୟକୁ ବନ୍ଦ କରିଦିଆଗଲା । କୋର୍ଟର ଏସ୍କର୍ଟ ଗାର୍ଡ ଓକିଲଙ୍କୁ ସେଠାରୁ ଜୋରଜବରଦସ୍ତ ବାହାର କରିଥିଲେ ।

ଏହା ପୂର୍ବରୁ, ଓକିଲ ଜଣକ ତାଙ୍କ ମାମଲା ଜରୁରି କହି ସିଜେଆଇଙ୍କୁ ମାମଲାର ତୁରନ୍ତ ଶୁଣିବାକୁ ଅନୁରୋଧ କରିଥିଲେ । ଏପରି କହିବା ପାଇଁ ପ୍ରଥମେ ସେ କ୍ଷମା ପ୍ରାର୍ଥନା କରିଥିଲେ । ଯେତେବେଳେ ଏହି ନାଟକୀୟ ଘଟଣା ଘଟିଥିଲା, ସେତେବେଳେ ଖଣ୍ଡପୀଠରେ ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି.ମୋହନା ଥିଲେ ।

ଲାଇଭ୍ ଲ' ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଓକିଲ ତାଙ୍କ ମାମଲାର ଜରୁରି ଶୁଣାଣି ପାଇଁ ନିବେଦନ କରିବା ସମୟରେ ଖଣ୍ଡପୀଠକୁ କହିଥିଲେ ଯେ ନଭେମ୍ବର ୨ରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ମାମଲା ରଖାଯାଇଥିଲା । କିନ୍ତୁ ୧୫ ଦିନ ପରେ ମଧ୍ୟ ତାଙ୍କୁ କୌଣସି ଉତ୍ତର ମିଳିନଥିଲା । ସେ କହିଥିଲେ, "ଏହି ମାମଲା ନଭେମ୍ବର ୨ ତାରିଖରେ ବିଚାରପତି ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିଲା । ୧୫ ଦିନ ପରେ ମଧ୍ୟ ମୁଁ କୌଣସି ଉତ୍ତର ପାଇନାହିଁ । ସେଥିପାଇଁ ମୋତେ ଏହି କୋର୍ଟକୁ ଆସିବାକୁ ପଡ଼ିଲା ।" ତେବେ ନିଜ ଦାବି ରଖିବା ସମୟରେ, ସେ ପ୍ରାରମ୍ଭରେ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ ନକରି ଅପରାହ୍ନ ୨ଟାରେ ମାମଲା ଉଠାଇବା ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । କହିଥିଲେ ଯେ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ସେ ଏପରି କରୁଛନ୍ତି ।

ଏହି ସମୟରେ, ଜଷ୍ଟିସ୍ ଭି.ମୋହନା ଓକିଲଙ୍କୁ କହିଥିଲେ, "ତୁମେ ଏପରି ଯୁକ୍ତି କରିପାରିବ ନାହିଁ ।" ଓକିଲ ଜିଦ୍ ଧରି କହିଲେ, "ନା, ମୁଁ ଏକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଆସିଛି । ମୁଁ ପ୍ରଥମେ କ୍ଷମା ମାଗିବାକୁ ଚାହୁଁଛି । ଦୟାକରି ଏହି କାଗଜପତ୍ରଗୁଡ଼ିକୁ ଦେଖନ୍ତୁ ।" ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓକିଲଙ୍କୁ ଅପେକ୍ଷା କରିବାକୁ କହି କହିଲେ, "ଆମେ ଦେଖିବୁ, ଟିକେ ଅପେକ୍ଷା କରନ୍ତୁ ।" ଏଥିରେ, ଓକିଲ ରାଗିଯାଇ ସିଜେଆଇଙ୍କ ଉପରରେ ବ୍ୟକ୍ତିଗତ ମନ୍ତବ୍ୟ ଦେବାକୁ ଲାଗିଲେ । ସେ କହିଲେ, "ନା, ମୁଁ ଅପେକ୍ଷା କରିବିନି । ଆପଣ ଏହି ଚୌକିରେ ବସିପାରିବେ ନାହିଁ; ଆପଣ ଏହାର ଯୋଗ୍ୟ ନୁହନ୍ତି । ଆପଣଙ୍କ ପାଖରେ ଏଥିପାଇଁ ଆବଶ୍ୟକ ସଚ୍ଚୋଟତା ନାହିଁ !"

ଓକିଲ ଜଣଙ୍କ ଏହା ମଧ୍ୟ କହିଥିଲେ ଯେ ସେ ପ୍ରଧାନ ବିଚାରପତିଙ୍କ ସହ ଖଣ୍ଡପୀଠରେ ବସିଥିବା ଜଷ୍ଟିସ୍ ବାଗଚି ଏବଂ ଜଷ୍ଟିସ୍ ମୋହନାକୁ ସମ୍ମାନ କରନ୍ତି । କିନ୍ତୁ ସେ ପ୍ରଧାନ ବିଚାରପତିଙ୍କୁ ଏହି ପଦବୀ ପାଇଁ ଯୋଗ୍ୟ ମନେ କରନ୍ତି ନାହିଁ । ହଙ୍ଗାମା ପରେ, କାର୍ଯ୍ୟର ଅଡିଓ ଏବଂ ଭିଡିଓ ବନ୍ଦ କରିଦିଆଯାଇଥିଲା । କୋର୍ଟରୁମରେ ଉପସ୍ଥିତ ଓକିଲଙ୍କ ଅନୁଯାୟୀ, ଓକିଲଙ୍କୁ ପରେ ବଳପୂର୍ବକ ବାହାର କରିଦିଆଯାଇଥିଲା । କୋର୍ଟରୁମର ଅନ୍ୟ ଓକିଲମାନେ ଓକିଲଙ୍କ ଆଚରଣ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି ।