ମୁମ୍ବାଇ: ରିଲିଜ ହୋଇଛି ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍ ୨’ l  ସିନେମାପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ଅକ୍ଟୋବର ୧୫ରେ ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାରେ ଏବେ ସାମିଲ ହୋଇଛନ୍ତି ଅଭିନେତା ଧନୁଷ। ଫିଲ୍ମ ଦେଖିବା ପରେ ସେ ଏହାକୁ ଖୁବ୍ ପ୍ରଶଂସା କରିବା ସହ ପ୍ରତ୍ୟେକ ଫ୍ୟାନ୍ସଙ୍କୁ ଏହି ସିନେମା ଦେଖିବାକୁ ପରାମର୍ଶ ଦେଇଛନ୍ତି। ଧନୁଷଙ୍କ ଏହି ପ୍ରତିକ୍ରିୟା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଆଗ୍ରହ ଆହୁରି ବଢ଼ିଛି।

ଧନୁଷ ନିଜ ସାମାଜିକ ଗଣମାଧ୍ୟମ ମଞ୍ଚ ‘ଏକ୍ସ’ରେ ଫିଲ୍ମକୁ ନେଇ ନିଜର ମତ ରଖିଛନ୍ତି। ସେ ଲେଖିଛନ୍ତି, ‘ଜେଲର୍ ୨’ ନିଶ୍ଚିତ ଭାବେ ଦେଖିବା ଉଚିତ। ଏହା ଏକ ବ୍ଲକବଷ୍ଟର ଫିଲ୍ମ ଏବଂ ରାଜନୀକାନ୍ତଙ୍କ ପ୍ରତ୍ୟେକ ପ୍ରଶଂସକଙ୍କ ପାଇଁ ଏକ ମନୋରଞ୍ଜନଭରା ଭୋଜି ବୋଲି ଧନୁଷ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଫିଲ୍ମ ଦେଖିବା ପାଇଁ ଗୁରୁବାର ଦିନ ଧନୁଷ ଚେନ୍ନାଇର ରୋହିଣୀ ପ୍ରେକ୍ଷାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଥିବା ବେଳେ ସେ ଫିଲ୍ମକୁ ନେଇ ନିଜର ଉତ୍ସାହ ପ୍ରକାଶ କରିଥିଲେ। କେବଳ ଧନୁଷ ନୁହନ୍ତି, ଅଭିନେତା ବିଷ୍ଣୁ ବିଶାଲ ମଧ୍ୟ ‘ଜେଲର୍ ୨’କୁ ପ୍ରଶଂସା କରିଛନ୍ତି। ସେ ‘ଏକ୍ସ’ରେ ନିଜର ପ୍ରତିକ୍ରିୟା ଦେଇ ଫିଲ୍ମକୁ ଏକ ଦମ୍ଦାର ଅନୁଭୂତି ବୋଲି କହିଛନ୍ତି।

ବିଷ୍ଣୁଙ୍କ ଅନୁସାରେ, ନିକଟ ଅତୀତରେ କୌଣସି ତାମିଲ୍ ଫିଲ୍ମ ଦେଖି ସେ ଏତେ ଅଧିକ ହୋହଲ୍ଲା କରିନଥିଲେ। ଫିଲ୍ମରେ ରଜନୀକାନ୍ତଙ୍କ ଦମ୍ଦାର ଦୃଶ୍ୟ ଦର୍ଶକଙ୍କୁ ଉତ୍ସାହିତ କରୁଥିବା ବେଳେ ହାସ୍ୟରସ ମଧ୍ୟ ଭରପୂର ରହିଛି ବୋଲି ସେ କହିଛନ୍ତି। ଏହା ସହ ନିର୍ଦ୍ଦେଶକ ନେଲସନ ଦିଲୀପକୁମାର, ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଓ ନିର୍ମାତା ସନ୍ ପିକ୍ଚର୍ସକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ‘ଜେଲର୍ ୨’ ହେଉଛି ୨୦୨୩ରେ ମୁକ୍ତିଲାଭ କରିଥିବା ରଜନୀକାନ୍ତଙ୍କ ସଫଳ ଫିଲ୍ମ ‘ଜେଲର୍’ର ପରବର୍ତ୍ତୀ ଭାଗ। ଏଥିରେ ରଜନୀକାନ୍ତ ପୁଣି ଥରେ ଅବସରପ୍ରାପ୍ତ ଜେଲର୍ ଟାଇଗର ମୁଥୁଭେଲ ପାଣ୍ଡିଆନ୍ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର କାହାଣୀରେ ପରିବାର ପ୍ରତି ବିପଦ ସୃଷ୍ଟି ହେବା ପରେ ଟାଇଗର ପୁଣି ଥରେ ଏକ ବିପଜ୍ଜନକ ଦୁନିଆ ଭିତରକୁ ପ୍ରବେଶ କରୁଛନ୍ତି। ଆକ୍ସନ୍, ହାସ୍ୟରସ ଓ ରଜନୀକାନ୍ତଙ୍କ ଷ୍ଟାଇଲ୍କୁ ନେଇ ଫିଲ୍ମଟି ଗଢ଼ାଯାଇଛି।

‘ଜେଲର୍ ୨’ରେ ରଜନୀକାନ୍ତଙ୍କ ସହ ରମ୍ୟା କୃଷ୍ଣନ, ଯୋଗୀ ବାବୁ, ମିର୍ନା, ଏସ୍ଜେ ସୂର୍ଯ୍ୟ, ବିଦ୍ୟା ବାଲନ, ସୂରଜ ଭେଞ୍ଜାରାମୁଡୁ ଓ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଅଭିନେତା ମଧ୍ୟ ଅଭିନୟ କରିଛନ୍ତି। ଏହା ସହ ମୋହନଲାଲ ଓ ଶିବ ରାଜକୁମାର ମଧ୍ୟ ଫିଲ୍ମରେ ଫେରିଛନ୍ତି। ଶିବ ରାଜକୁମାର ନରସିଂହ ଭୂମିକାରେ ଅଧିକ ସମୟ ପାଇଁ ନଜର ଆସିଛନ୍ତି। ଏହି ଫିଲ୍ମରେ ହ୍ରିତିକ ରୋଶନଙ୍କ ଏକ ବିଶେଷ ଦୃଶ୍ୟ ମଧ୍ୟ ରହିଛି।

ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏହି ଫିଲ୍ମର ସଙ୍ଗୀତ ଦାୟିତ୍ୱରେ ଅନିରୁଦ୍ଧ ରବିଚନ୍ଦର ରହିଥିବା ବେଳେ ବିଜୟ କାର୍ତ୍ତିକ ଛାୟାଗ୍ରହଣ ଏବଂ ଆର୍ ନିର୍ମଳ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି।

also read- ପୁଣି ଏକାଠି ନଜର ଆସିବେ ‘ସାୟାରା’ ଯୋଡ଼ି ! ଜନ୍ମ ଦିନରେ ଆସିଲା ଖୁସି ଖବର

‘ଜେଲର୍ ୨’କୁ ନେଇ ଧନୁଷଙ୍କ ପ୍ରଶଂସା ଆଉ ଏକ କାରଣରୁ ମଧ୍ୟ ଚର୍ଚ୍ଚାରେ ରହିଛି। ଧନୁଷ ପୂର୍ବରୁ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ବିବାହ କରିଥିଲେ। ଉଭୟ ୨୦୨୨ରେ ଅଲଗା ହେବା ନେଇ ଘୋଷଣା କରିଥିଲେ ଏବଂ ୨୦୨୪ରେ ସେମାନଙ୍କ ବିଚ୍ଛେଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା। ତେବେ ବ୍ୟକ୍ତିଗତ ସମ୍ପର୍କକୁ ପଛରେ ପକାଇ ଧନୁଷ ଏବେ ରଜନୀକାନ୍ତଙ୍କ ଫିଲ୍ମକୁ ନେଇ ଖୋଲାଖୋଲି ପ୍ରଶଂସା କରିଛନ୍ତି। ତାଙ୍କର ଏହି ପ୍ରତିକ୍ରିୟା ଫିଲ୍ମକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଆହୁରି ରୋଚକ କରିଛି।ତେବେ ‘ଜେଲର୍ ୨’କୁ ଧନୁଷ ଓ ବିଷ୍ଣୁ ବିଶାଲଙ୍କ ପ୍ରଶଂସା ମିଳିଥିବା ବେଳେ ଫିଲ୍ମଟି ବକ୍ସ ଅଫିସ୍ରେ କେତେ ସଫଳତା ହାସଲ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।