ନୂଆଦିଲ୍ଲୀ-; ରାମାୟଣ ଚଳଚିତ୍ର ରିଲିଜ ପୂର୍ବରୁ ସାଇ ପଲ୍ଲବୀଙ୍କୁ ପ୍ରଶଂସା କରିଛନ୍ତି ରଣବୀର l ସିନେମାରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁର, ଆଉ ମାତା ସୀତାଙ୍କ ଚରିତ୍ରରେ ସାଇ ପଲ୍ଲବୀ। ନିତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ରାମାୟଣକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳୁଛି। ଏହି ଚଳଚ୍ଚିତ୍ରରେ ଦୁଇ ଅଭିନେତାଙ୍କୁ ଏକାଠି ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଥିବାବେଳେ, ଏବେ ସାଇ ପଲ୍ଲବୀଙ୍କ ପାଇଁ ରଣବୀରଙ୍କ ଏକ ବିଶେଷ ବାର୍ତ୍ତା ଚର୍ଚ୍ଚାକୁ ଆସିଛି।

ତେଲୁଗୁ ଟକ୍ ଶୋ’ ''ଜୟମ୍ମୁ ନିଶ୍ଚୟମ୍ମୁ ରା''ର ଦ୍ୱିତୀୟ ସଂସ୍କରଣର ପ୍ରଥମ ଅତିଥି ଭାବେ ନଜର ଆସିବେ ସାଇ ପଲ୍ଲବୀ। ଜଗପତି ବାବୁଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପ୍ରସାରଣ ପୂର୍ବରୁ ନିର୍ମାତାଙ୍କ ପକ୍ଷରୁ ଏକ ପ୍ରଚାର ଭିଡିଓ ଜାରି କରାଯାଇଛି। ଏଥିରେ ରଣବୀର କପୁର ସାଇଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି।ଭିଡିଓରେ ରଣବୀର କହିଛନ୍ତି, “ସାଇ, ଆପଣଙ୍କ ମଧ୍ୟରେ ଯେଉଁ ଗୁଣଟି ମୋତେ ସବୁଠାରୁ ଅଧିକ ପ୍ରଭାବିତ କରେ, ତାହା ହେଉଛି ଆପଣଙ୍କ ସଚ୍ଚୋଟତା। ଆପଣଙ୍କ ଭଳି ଜଣେ ଅଭିନେତ୍ରୀଙ୍କ ସହ ଗୋଟିଏ ଫ୍ରେମ୍ରେ କାମ କରିବାର ସୁଯୋଗ ପ୍ରତ୍ୟେକ ସହ-କଳାକାର ପାଇବା ଉଚିତ। ଆଉ ସୀତାଙ୍କ ଚରିତ୍ର କଥା ଆସିଲେ, ମୁଁ ସତ କହୁଛି, ଆପଣଙ୍କ ବ୍ୟତୀତ ଅନ୍ୟ କାହାକୁ ସେହି ଭୂମିକାରେ କଳ୍ପନା କରିପାରୁନାହିଁ। ଦର୍ଶକ ଆପଣଙ୍କୁ ଏକ ନୂଆ ରୂପରେ ଦେଖିବେ। ଏହାକୁ ନେଇ ମୁଁ ବହୁତ ଉତ୍ସାହିତ।”

also read- ରିଲିଜ ହୋଇଛି ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍ ୨’ , ସିନେମା ଦେଖି ପ୍ରଶଂସା କଲେ ଧନୁଷ

ରଣବୀରଙ୍କ ଏହି କଥାରୁ ସାଇ ପଲ୍ଲବୀଙ୍କ ପ୍ରତି ତାଙ୍କର ପ୍ରଶଂସା ଓ ଆସ୍ଥା ସ୍ପଷ୍ଟ ହୋଇଛି। ବିଶେଷକରି, ସୀତାଙ୍କ ଚରିତ୍ର ପାଇଁ ସାଇଙ୍କୁ ଉପଯୁକ୍ତ ମନେ କରୁଥିବା ରଣବୀରଙ୍କ ମନ୍ତବ୍ୟ ଦର୍ଶକଙ୍କ ଆଗ୍ରହକୁ ଆହୁରି ବଢ଼ାଇଛି।କେବଳ ସାଇଙ୍କୁ ପ୍ରଶଂସା କରି ରଣବୀର ଅଟକି ନାହାନ୍ତି। ସେ ନିଜ ତେଲୁଗୁ ଭାଷାଭାଷୀ ଫ୍ୟାନ୍ସଙ୍କୁ ମଧ୍ୟ ତେଲୁଗୁ ଭାଷାରେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଆପଣମାନଙ୍କ ଭଲପାଇବା ପାଇଁ ମୋର ଅନେକ ଧନ୍ୟବାଦ।”ରଣବୀରଙ୍କ ଏହି ଭାବପୂର୍ଣ୍ଣ ବାର୍ତ୍ତା ଶୁଣି ସାଇ ପଲ୍ଲବୀ ମଧ୍ୟ ଖୁସି ହୋଇଯାଇଥିଲେ।ଏବେ ରାମାୟଣରେ ରଣବୀର ଓ ସାଇ ପଲ୍ଲବୀଙ୍କ ଯୋଡ଼ି କିଭଳି ଦର୍ଶକଙ୍କ ମନ ଜିଣୁଛି, ତାହା ଦେଖିବାକୁ ସିନେପ୍ରେମୀଙ୍କ ଅପେକ୍ଷା। ତେବେ ଚଳଚ୍ଚିତ୍ର ମୁକ୍ତି ପୂର୍ବରୁ ରଣବୀରଙ୍କ ଏହି ପ୍ରଶଂସା ସାଇଙ୍କ ସୀତା ଚରିତ୍ରକୁ ନେଇ ଉତ୍ସୁକତାକୁ ଆହୁରି ବଢ଼ାଇଦେଇଛି।