ମୁମ୍ବାଇ: ରିଲ ରେ ପ୍ରେମ , ରିଅଲ୍ ଲାଇଫ ରେ  ଗଭୀର ବନ୍ଧୁତା! ଫିଲ୍ମ ‘ସାୟାରା’ରେ ନିଜ ଅଭିନୟ ଓ ରୋମାଣ୍ଟିକ୍ କେମେଷ୍ଟ୍ରିରେ ଦର୍ଶକଙ୍କ ହୃଦୟ ଜିତିଥିବା ଆହାନ ପାଣ୍ଡେ ଓ ଅନୀତ ପଡ୍ଡା ପୁଣି ଥରେ ଚର୍ଚ୍ଚାରେ। ଉଭୟଙ୍କ ଯୋଡ଼ିକୁ ପରଦାରେ ଦେଖିବା ପାଇଁ ପ୍ରଶଂସକ ଅପେକ୍ଷା କରିଥିବା ବେଳେ ଏବେ ନିଜ ସହ-ଅଭିନେତା ତଥା ଘନିଷ୍ଠ ବନ୍ଧୁ ଆହାନଙ୍କୁ ନେଇ ମନ ଖୋଲା କଥା କହିଛନ୍ତି ଅନୀତ।ସେ ଆହାନଙ୍କ ଅଭିନୟଠାରୁ ଆରମ୍ଭ କରି ତାଙ୍କ ମଜାଳିଆ ସ୍ୱଭାବ ପର୍ଯ୍ୟନ୍ତ, ସବୁକିଛିକୁ ନେଇ ଖୋଲାଖୋଲି ପ୍ରଶଂସା କରିଛନ୍ତି । ଏହା ସହ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ସହ ପୁଣି ଥରେ କାମ କରିବାକୁ ନେଇ ମଧ୍ୟ ଉତ୍ସାହ ପ୍ରକାଶ କରିଛନ୍ତି।

‘ସାୟାରା’ର ସଫଳତା ପରେ ଆହାନ ପାଣ୍ଡେ ଓ ଅନୀତ ପଡ୍ଡାଙ୍କ ଲୋକପ୍ରିୟତା ବେଶ୍ ବଢ଼ିଛି। ଏହି ଯୋଡ଼ି ପୁଣି ଥରେ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ସହ ଏକ ନୂଆ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଏହି ଖବର ମଧ୍ୟରେ ‘ଭେରାଇଟି ଇଣ୍ଡିଆ’କୁ ସାକ୍ଷାତକାର ଦେଇ ଆହାନଙ୍କ ପ୍ରତି ନିଜର ଭଲ ପାଇବା ଓ ସମ୍ମାନ ବ୍ୟକ୍ତ କରିଛନ୍ତି ଅନୀତ।

ଅନୀତଙ୍କ କହିବା ଅନୁଯାୟୀ, ଆହାନ ଜଣେ ଅତ୍ୟନ୍ତ ସହଯୋଗୀ ଅଭିନେତା। ଭାବପ୍ରବଣ ଦୃଶ୍ୟରେ ଯଦି ଆହାନଙ୍କୁ କାନ୍ଦିବାକୁ ପଡ଼େ, ତେବେ କ୍ୟାମେରା ଅନୀତଙ୍କ ଉପରେ ଥିଲେ ମଧ୍ୟ ସେ ପ୍ରତ୍ୟେକ ଥର ସେହି ଭାବନାକୁ ଜୀବନ୍ତ କରି ଦେଖାଉଥିଲେ। ଫଳରେ ଅନୀତ ମଧ୍ୟ ନିଜ ଦୃଶ୍ୟକୁ ଅଧିକ ଭଲ ଭାବେ ଅଭିନୟ କରିପାରୁଥିଲେ।

ଅନୀତ କହିଛନ୍ତି, ଆହାନ କେବଳ ନିଜ ଅଭିନୟ ଉପରେ ଧ୍ୟାନ ଦିଅନ୍ତି ନାହିଁ, ବରଂ ସାମ୍ନାରେ ଥିବା ଅଭିନେତାଙ୍କୁ ମଧ୍ୟ ଭଲ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରନ୍ତି। ତାଙ୍କ ଭଳି ଜଣେ ସହଯୋଗୀ ଅଭିନେତା ପାଇବା ଏକ ବଡ଼ କଥା ବୋଲି ସେ କହିଛନ୍ତି।

ଆହାନଙ୍କ ଅଭିନୟକୁ ପ୍ରଶଂସା କରିବା ସହ ତାଙ୍କ ମଜାଳିଆ ସ୍ୱଭାବ ବିଷୟରେ ମଧ୍ୟ କହିଛନ୍ତି ଅନୀତ। ତାଙ୍କ ମତରେ, ଆହାନ ହେଉଛନ୍ତି ଦୁନିଆର ସବୁଠୁ ମଜାଳିଆ ଲୋକଙ୍କ ମଧ୍ୟରୁ ଜଣେ। ତାଙ୍କ ସହ ରହିଲେ ଯେତିକି ହସିବାକୁ ମିଳେ, ଅନ୍ୟ କାହା ସହ ରହିଲେ ସେତିକି ହସିବାକୁ ମିଳିନାହିଁ ବୋଲି ଅନୀତ କହିଛନ୍ତି।ଏଥିରୁ ଉଭୟଙ୍କ ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତାର ଝଲକ ମିଳୁଛି। ପରଦାରେ ପ୍ରେମୀଯୁଗଳ ଭାବେ ଦର୍ଶକଙ୍କ ମନ ଜିତିଥିବା ଏହି ଦୁଇ ଅଭିନେତା ବାସ୍ତବ ଜୀବନରେ ମଧ୍ୟ ପରସ୍ପରର ଭଲ ବନ୍ଧୁ ହୋଇପାରିଛନ୍ତି ।

ଏହା ସହ ମୋହିତ ସୁରୀଙ୍କ ସହ କାମ କରିବାର ଅଭିଜ୍ଞତା ମଧ୍ୟ ତାଙ୍କ ପାଇଁ ଭିନ୍ନ। ପୂର୍ବରୁ ଏକାଠି କାମ କରିଥିବାରୁ ସମସ୍ତେ ପରସ୍ପରର ଭାବନା ଓ କଳାତ୍ମକ ଦୃଷ୍ଟିକୋଣକୁ ଭଲ ଭାବେ ବୁଝିପାରୁଛନ୍ତି। ଏହି ବୁଝାମଣା ଆଗାମୀ ଫିଲ୍ମକୁ ଆହୁରି ଭଲ କରିବାରେ ସହାୟକ ହେବ ବୋଲି ଅନୀତ ଆଶା ରଖିଛନ୍ତି। ତାଙ୍କ କହିବା ଅନୁସାରେ, ଏଥର କେବଳ ସୁଟିଂକୁ ଉପଭୋଗ କରିବେ ନାହିଁ, ବରଂ ପରସ୍ପରର ଭାବନା ଓ ଫିଲ୍ମକୁ ନେଇ ରହିଥିବା ଦୃଷ୍ଟିକୋଣକୁ ମଧ୍ୟ ଅଧିକ ଭଲ ଭାବେ ବୁଝିପାରିବେ। ତେଣୁ ଆଗାମୀ ପ୍ରୋଜେକ୍ଟକୁ ନେଇ ସେ ବେଶ୍ ଉତ୍ସାହିତ।

ଅନୀତ ପଡ୍ଡାଙ୍କ ଜନ୍ମଦିନ ଅବସରରେ ଆହାନ ପାଣ୍ଡେ ମଧ୍ୟ ତାଙ୍କୁ ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ। ଇନ୍ଷ୍ଟାଗ୍ରାମରେ ଅନୀତଙ୍କ କିଛି ଅପ୍ରକାଶିତ ଫଟୋ ଓ ଭିଡିଓ ସେୟାର କରି ତାଙ୍କ ପ୍ରତି ଥିବା ଭଲପାଇବାକୁ ଶବ୍ଦରେ ପ୍ରକାଶ କରିଥିଲେ ଆହାନ। ସେ ଲେଖିଥିଲେ, “ଅନୀତ, ତୁମେ ଏହି ବ୍ରହ୍ମାଣ୍ଡର ଏକ ଉପହାର। ତୁମେ ଯାହାକୁ ଛୁଇଁଦିଅ, ତାହା ତାରାଧୂଳିରେ ପରିଣତ ହୋଇଯାଏ। ମୁଁ ଆଶା କରୁଛି, ତୁମେ ଯେପରି ଏହି ବ୍ରହ୍ମାଣ୍ଡ ପ୍ରତି କୋମଳ ଓ ଦୟାଳୁ, ବ୍ରହ୍ମାଣ୍ଡ ମଧ୍ୟ ସବୁବେଳେ ତୁମ ପ୍ରତି ସେହିପରି ରହୁ। ତୁମେ ଯେଉଁଠି ଯାଅ, ସେଠାରେ କେତେ ଆଲୋକ ଛାଡ଼ିଯାଅ, ତାହା କେବେ ଭୁଲିବ ନାହିଁ। ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।” ଆହାନଙ୍କ ଏହି ହୃଦୟସ୍ପର୍ଶୀ ବାର୍ତ୍ତା ଉଭୟଙ୍କ ବନ୍ଧୁତାକୁ ନେଇ ପ୍ରଶଂସକଙ୍କ ଆଗ୍ରହ ଆହୁରି ବଢ଼ାଇଛି।

ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାୟାରା’ରେ ଆହାନ ପାଣ୍ଡେ କୃଷ କପୁର ନାମକ ଜଣେ ସଂଘର୍ଷରତ ସଙ୍ଗୀତଜ୍ଞଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ଅନୀତ ପଡ୍ଡା ବାଣୀ ବାତ୍ରା ନାମକ ଜଣେ ଯୁବ ଲେଖିକାଙ୍କ ଚରିତ୍ରରେ ନଜର ଆସିଥିଲେ। ଫିଲ୍ମରେ ବାଣୀଙ୍କୁ ଅଳ୍ପ ବୟସରେ ଆଲ୍ଜାଇମର୍ ରୋଗରେ ପୀଡ଼ିତ ହେବାର ଦୁଃଖଦ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ପ୍ରେମ, ବିଚ୍ଛେଦ, ସ୍ମୃତି ଓ ହୃଦୟବିଦାରକ ପରିସ୍ଥିତିକୁ ନେଇ ଗଢ଼ିଉଠିଥିବା ଏହି କାହାଣୀ ଦର୍ଶକଙ୍କ ମନକୁ ଛୁଇଁଥିଲା।

also read- ‘ଜେଲର୍ ୨’ରେ ରଜନୀକାନ୍ତଙ୍କ ସହ ବିଦ୍ୟା ବାଲନ୍‌ଙ୍କ ଦମ୍‌ଦାର ଏଣ୍ଟ୍ରି, ଖଳନାୟିକା ଚରିତ୍ରରେ ନଜର ଆସିବେ ବିଦ୍ୟା

ଫିଲ୍ମର ସଫଳତା ପରେ ଆହାନ ଓ ଅନୀତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ତେବେ ଏହି ଗୁଜବକୁ ନେଇ ଉଭୟଙ୍କ ମଧ୍ୟରୁ କେହି ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ଏବେ ଆହାନ, ଅନୀତ ଓ ମୋହିତ ସୁରୀ ପୁଣି ଥରେ ଏକ ନୂଆ ଚଳଚ୍ଚିତ୍ର ପାଇଁ ଏକାଠି ହେବାକୁ ଯାଉଛନ୍ତି। ଏହି ଫିଲ୍ମଟି ଏକ ଭିନ୍ନଧରଣର ପ୍ରେମ କାହାଣୀ ହେବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଫିଲ୍ମର ନାମ ଓ ଅନ୍ୟାନ୍ୟ ବିବରଣୀ ଏଯାଏଁ ସାମ୍ନାକୁ ଆସିନାହିଁ।