ଭୁବନେଶ୍ୱର, ୨/୦୯ :ଦକ୍ଷିଣରେ ସମସ୍ତ ନଦୀରଜଳସ୍ତର ଖସିଛି। ହେଲେ ଉଛୁଳିଛି ମହାନଦୀ। ନଦୀ ଅବବାହିକା ତଳି ଅଞ୍ଚଳକୁ ବନ୍ୟା ପାଣି ମାଡ଼ିବା ଆଶଙ୍କା ରହିଛି। ବିଶେଷ କରି କଟକ,କେନ୍ଦ୍ରାପଡ଼ା,ଜଗତସିଂହପୁର ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳକୁ ଏଭଳି ଭୟ ବେଶି ଘାରିଛି। ଇତିମଧ୍ୟରେ ନରାଜରେ ଜଳସ୍ତର ସତର୍କ ସଙ୍କେତ ଡେଇଁ ସାରିଥିବାବେଳେ ବିପଦ ସଙ୍କେତ ପାଖରେ ପହଞ୍ଚି ସାରିଥିଲା। ଏଠାରେ ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ହୋଇଥିବାବେଳେ ରାତି ୯ଟାବେଳେ ଜଳସ୍ତର ୨୬.୪୦ ଥିଲା ।

କଟକ ଜିଲ୍ଲାର ବାଙ୍କୀ,ତିଗିରିଆ,ଆଠଗଡ଼ର ତଳିଆ ଅଞ୍ଚଳରେ ନଦୀ ପାଣି ପଶିଯାଇଛି। ବିଭିନ୍ନ ରାସ୍ତା ବୁଡ଼ିଯାଇଛି। ବାଙ୍କୀସ୍ଥିତ ମା'ଭଟ୍ଟାରିକାଙ୍କ ପୀଠରେ ବନ୍ୟା ପାଣି ପ୍ରବେଶ କରିଛି। ବାଙ୍କୀ-ଆଠଗଡ଼ ହୁଳହୁଳା ପୋଲରେ ପାଣି ଚାଲିଛି। ଜଳ ସମ୍ପଦ ବିଭାଗ ସୂଚନା ଅନୁସାରେ ସୋମବାର ରାତି ୯ଟାବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର୬୨୯.୭୩ ଫୁଟ ଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୫୩ ହଜାର ୬୫୭ଘନଫୁଟ ପାଣି ପ୍ରବେଶ କରୁଥିଲା। ୩୦ଟି ଗେଟ ଦେଇ ୫ ଲକ୍ଷ ୨୮ ହଜାର ୨୪୭ ଘନଫୁଟ ପାଣି ଛଡ଼ାଯାଉଥିଲା।

ତେଲ ନଦୀରୁ ରାତି ୯ଟାରେ ଖଇରମାଳରେ ୬ ଲକ୍ଷ ୫୪ ହଜାର ଘନଫୁଟ ପାଣି ଚାଲିଥିଲା। ବରମୁଳରେ ପ୍ରବାହିତ ହେଉଥିଲା ୬.୪୬ ଲକ୍ଷ ପାଣି। ମୁଣ୍ଡୁଳିରେ ୭ ଲକ୍ଷ ୭୭ ହଜାର ୮୯୩ ଘନଫୁଟ ପାଣି ଚାଲିଥିଲା। ଅନୁମାନ କରାଯାଉଛି,ମଙ୍ଗଳବାର ଅପରାହ୍ନରୁ ସନ୍ଧ୍ୟା ଭିତରେ ଏଠାରେ ୮ ଲକ୍ଷରୁ ସାଢ଼େ ୮ ଲକ୍ଷ ପାଣି ଚାଲିଥିବ। ଏଭଳି ସ୍ଥିତିରେ ବନ୍ୟାର ବଡ଼ ବିପଦ ଆଶଙ୍କା କମ୍ ରହିଛି। କିନ୍ତୁ,ନଦୀ କୂଳ ତଳି ଅଞ୍ଚଳ ପାଇଁ ଏବେ ବି ଚିନ୍ତାଜନକ ସ୍ଥିତି ରହିଛି।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି,ରାଜ୍ୟରେ ଏବେ ବିଶେଷ ବର୍ଷା ନାହିଁ । ଛତିଶଗଡ଼ରେ ବି ବର୍ଷା ପ୍ରକୋପ କମିଛି। ବର୍ଷା କମିଥିବାରୁ ବିପଦ ବଢ଼ିନପାରେ। ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି,ଲଗାଣ ବର୍ଷା ଓ ବନ୍ୟାଜନିତ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଗଭୀର ଅବପାତଜନିତ ଲଗାଣ ବର୍ଷାରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କେତେକଅଞ୍ଚଳଏବଂ ବାଲେଶ୍ଵର,ଯାଜପୁର,ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳ ପ୍ରଭାବିତ ହୋଇଛି । ବୁଢ଼ାବଳଙ୍ଗ,ବୈତରଣୀ,ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଲେଶ୍ଵର,ଯାଜପୁର,ଭଦ୍ରକ ଓ ମୟୂରଭଞ୍ଜର କେତେକ ଅଅଞ୍ଚଳ ପ୍ରଭାବିତ ହୋଇଛି।

Also Read :- Horoscope Today : ସେପ୍ଟେମ୍ବର ୨୯ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

କୋରାପୁଟର ୨ଟି ବ୍ଳକର ୨୦ଟି ଠଟି ପଞ୍ଚାୟତ ଓ ଓ ୪୧ଟି ଗ୍ରାମର ୬୩୯୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨୬୮୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ନବରଙ୍ଗପୁରର ୩ଟି ବ୍ଲକର ୧୩ଟି ପଞ୍ଚାୟତ ଓ ୩୧ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୧୬,୮୯୧ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୨୩୯୩ଙ୍କୁ ସ୍ଥାନାନ୍ତର କରାଯାଇଛି।