କଣାସ ୧୦।୭: ପୁରୀ ଜିଲ୍ଲା କଣାସରେ ଡଙ୍ଗାରୁ ଖସି ମତ୍ସ୍ୟଜୀବୀ ନିଖୋଜ । ଦୟା ନଦୀ ଜାଗୁଳାଇ ପଦର ଠାରେ ଡ଼ଙ୍ଗାରୁ ପଡି ଯାଇଥିଲେ ମତ୍ସ୍ୟଜୀବୀ । ଚିଲିକାକୁ ମାଛ ଧରିବା ପାଇଁ ଡଙ୍ଗା ନେଇ ଯାଉଥିବା ବେଳେ ନଦୀକୁ ଖସି ପଡିଥିଲେ । ସକାଳ ୮ଟାର ସମୟରେ ଅଘଟଣ ଘଟିଥିଲା । ଦୟା ନଦୀରେ ଅଗ୍ନିଶମ ବିଭାଗ ଓ ଗଡ଼ିଶାଗୋଦା ପୋଲିସ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କଣାସ ଜାଗୁଳାଇ ପଦରରେ ବାପା-ପୁଅ ମାଛ ଧରିବା ସମୟରେ ଦୟା ନଦୀରେ ଡଙ୍ଗାରୁ ଖସି ପୁଅ ନଦୀରେ ନିଖୋଜ । ଦୟା ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଚିଲିକାକୁ ପ୍ରଖୋର ସ୍ରୋତରେ ନିଷ୍କାସିତ ହେଉଛି । ଏହି ସମୟରେ ଜାଗୁଳାଇ ପଦର ଅଞ୍ଚଳରୁ ଆସିଛି ଏଭଳି ଘଟଣା । ପ୍ରତ୍ୟେକ ଦିନ ଭଳି ଆଜି ବି ଜାଗୁଳାଇ ପଦରର ବାପା ଓ ପୁଅ ଉଭୟ ମତ୍ସ୍ୟଜୀବୀ ଡଙ୍ଗା ନେଇ ଦୟା ନଦୀକୁ ମାଛ ଧରିବାକୁ ଯାଇଥିଲେ । ଦୟା ନଦୀରେ ମାଛ ଧରିବେ ଓ ପରେ ଚିଲିକାକୁ ଯିବେ ।

Also Read:- ଧିରେ ଧିରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ, ମାମୁ ଘର ନିଆଳି ମାଧବରୁ ଗଲା ଅଣସର ଭାର

ବାପା ପ୍ରକାଶ ବେହେରା ଓ ପୁଅ ଦିବାନା ବେହେରା ଉଭୟ ଡଙ୍ଗାରେ ରହି ମାଛ ଧରୁଥିବା ସମୟରେ ପୁଅ ଡଙ୍ଗାରୁ ଖସି ପଡିଥିଲେ । ସଙ୍ଗେ ସଙ୍ଗେ ଏ ନେଇ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସକାଳୁ ଏ ଘଟଣା ଘଟିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିପାରିନାହିଁ । ଗାଁରେ ଏ ଖବର ପ୍ରଚାରିତ ହେବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।