ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଅଗ୍ନିକାଣ୍ଡ। ଏଥିରେ କିଛି ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ତେବେ ସେବାୟତଙ୍କ ଉଦ୍ୟମ ଯୋଗୁ ଏକ ବଡ଼ ଅଘଟଣରୁ ରକ୍ଷା ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ମା’ ଭଦ୍ରକାଳୀଙ୍କ ଆଳତି ପରେ ଅଗ୍ନିକାଣ୍ଡ ଘଟିଥିଲା।ଆଳତି ପରେ ମା’ଙ୍କ ଭଣ୍ଡାର ଘର ଭିତରୁ ଧୂଆଁ ବାହାରୁଥିବାରୁ ଦେଖିଥିଲେ ସେବାୟତମାନେ। ଆଉ ସଙ୍ଗେ ସଙ୍ଗେ ଭଣ୍ଡାର ଘର ଖୋଲି ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ମା’ଙ୍କର କିଛି ଲୁଗା ସହ ପୂଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ପରେ ଭଦ୍ରକ ଉପଜିଲ୍ଲାପାଳ ପହଞ୍ଚି ସ୍ଥିତି ପରଖିଛନ୍ତି। ତେବେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଥିବା ବେଳେ, ଏହି ଅଗ୍ନିକାଣ୍ଡକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।