ପୁରୀ ୧୫।୪: ବାହାର ରତ୍ନଭଣ୍ଡାରରରୁ ଗାଏବ ହୋଇଥିବା ତିନୋଟି ରତ୍ନ ଅଳଙ୍କାର ଘଟଣାର ତଦନ୍ତ ପାଇଁ ସିଂହଦ୍ୱାର ଥାନାରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା । ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଘଟଣାର ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତି ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ବାହାର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ଗାଏବ ହେଲା କେମିତି । ଯେତେବେଳେ ବାହାର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା ସେହି ସମୟରେ କାହିଁକି ଗଣତି କରାଯାଇନଥିଲା‌ ? ତେବେ ରତ୍ନ ଅଳଙ୍କାର ଗାଏବ ହେବା ଘଟଣାକୁ ନେଇ ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବେଶ୍ ଆଘାତ ଦେଇଛି । ରତ୍ନ ଅଳଙ୍କାର ଗାଏବ ହୋଇନାହିଁ ଏହାକୁ ଚୋରି କରାଯାଇଥିବା ଆମର ସନ୍ଦେହ ହେଉଛି ବୋଲି ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।

​​​​​​​Also Read:- Series of Accident in Angul: ୧୬ ଚକିଆ ଟ୍ରକ୍‌କୁ ପିଟିଲା ପିକଅପ୍, ପଛରୁ ଧକ୍କା ଦେଲା ଟ୍ରେଲର ; ଗୁରୁତର ମେଡିକାଲରେ ଭର୍ତ୍ତି

ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ବାହାର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ଗାଏବ ହୋଇଥିବା କଥା ନିଜେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । କିନ୍ତୁ ଏହା ଚର୍ଚ୍ଚାର ପରିସରକୁ ଆସିବା ପରେ ଏହି ଘଟଣାକୁ ଚପାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରୁଛି । ଏଣୁ ସରକାର ସମସ୍ତ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।‌ ନଚେତ୍ ଆଗାମୀ ଦିନରେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଏତଲା ଦିଆଯିବ । ରାଜରାସ୍ତାରେ ଏହି ଘଟଣାକୁ ନେଇ ମଧ୍ୟ ପ୍ରତିବାଦ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।