ଲେହ: ଜମ୍ମୁ-କାଶ୍ମୀର ରୁ ପୃଥକ ହୋଇ କେନ୍ଦ୍ର ଶାସିତ ପ୍ରଦେଶ ହେବାର ପାଖାପାଖି ୭ ବର୍ଷ ପରେ ଲଦ୍ଦାଖ ନାଗରିକଙ୍କ ଏକ ପୁରୁଣା ତଥା ବଡ଼ ଦାବି ପୂରଣ ହୋଇଛି। ଏବେ ଲଦ୍ଦାଖ ଲୋକଙ୍କ ଆଧାରକାର୍ଡରେ ରାଜ୍ୟ ନାମ ଥିବା ସ୍ଥାନରେ ଜମ୍ମୁ-କାଶ୍ମୀର ବଦଳେ ଲଦ୍ଦାଖ ଦେଖାଯିବ। ଏହି ପରିବର୍ତ୍ତନ ପ୍ରଶାସନିକ ଓ ଭାବନାତ୍ମକ ଉଭୟ ଦୃଷ୍ଟିରୁ ଲଦ୍ଦାଖ ନିମନ୍ତେ ଏକ ଐତିହାସିକ ଉପଲବ୍ଧି ମନେ କରାଯାଉଛି। ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମୀର ପୁନର୍ଗଠନ କାଳରେ ଲଦ୍ଦାଖକୁ ଏକ ଅଲଗା କେନ୍ଦ୍ର ଶାସିତ ପ୍ରଦେଶ କରାଯାଇଥିଲା। ସେବେଠାରୁ ରାଜ୍ୟର ଲୋକେ ସରକାରୀ କାଗଜପତ୍ରରେ ନିଜର ପରିଚୟ ପାଇଁ ସଂଘର୍ଷ କରି ଆସୁଥିଲେ।

୭ ବର୍ଷର ଦୀର୍ଘ ଅପେକ୍ଷା ସମାପ୍ତ
ଏହି ପ୍ରସଙ୍ଗର ସମାଧାନ ଲାଗି ଲଦ୍ଦାଖ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିଛନ୍ତି। ସେ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସନକୁ ଏହି ସମସ୍ୟାର ସମାଧାନ ଲାଗି କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଲଦ୍ଦାଖ ପ୍ରଶାସନ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ଙ୍କ ନିକଟରେ ଏହି ପ୍ରସଙ୍ଗକୁ ଉଠାଇଥିଲେ। ଏହାର ପରିଣାମ ସ୍ୱରୂପ ଏହି ସଂଶୋଧନକୁ ସଫଳତା ପୂର୍ବକ ଲାଗୁ କରାଯାଇଛି।

ଅସୁବିଧାରେ ପଡୁଥିଲେ ଲୋକେ
ଅଧିକାରୀଙ୍କ ଅନୁସାରେ ଆଧାର ରେକର୍ଡରେ ତ୍ରୁଟିପୂର୍ଣ୍ଣ ସୂଚନା ଯୋଗୁ ଲଦ୍ଦାଖବାସୀଙ୍କୁ ବିଭିନ୍ନ ପ୍ରକାରର ବ୍ୟବହାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ବିଭିନ୍ନ ସରକାରୀ ଓ ଘରୋଇ ସେବାର ଲାଭ ନେବା ସମୟରେ ଲୋକେ ନିଜ ଠିକଣାର ପ୍ରମାଣ ରୂପେ ଆଧାର କାର୍ଡ ଦେଉଥିଲେ। ତେବେ ଏଥିରେ ଲଦ୍ଦାଖ ବଦଳେ ଜମ୍ମୁ-କାଶ୍ମୀର ଲେଖା ରହୁଥିବାରୁ ଡକ୍ୟୁମେଣ୍ଟ ଅଗ୍ରାହ୍ୟ ହୋଇ ଯାଉଥିଲା ଅଥବା ଏଥିରେ ବିଭିନ୍ନ ବିସଙ୍ଗତି ମିଳୁଥିଲା।

ବିନା ସମସ୍ୟାରେ ହେଲା ସମାଧାନ
ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଏକ ସରଳ ତଥା ପ୍ରଭାବୀ ଉପାୟ ଅବଲମ୍ବନ କରିଥିଲା। ସାଧାରଣତଃ ଆଧାରରେ କୌଣସି ସଂଶୋଧନ ପାଇଁ ଲୋକଙ୍କୁ ଆଧାର କେନ୍ଦ୍ର ଯିବାକୁ ପଡୁଥିଲା। ଏଥିରେ ଲଦ୍ଦାଖ ଭଳି କଠିନ ଭୌଗଳିକ କ୍ଷେତ୍ରରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଲଦ୍ଦାଖ ପ୍ରଶାସନ ଡାକ ବିଭାଗ ସହ ସମନ୍ୱୟ ସ୍ଥାପନା କରିଥିଲା ଓ ଲଦ୍ଦାଖ ନିମନ୍ତେ ଏକ ସ୍ୱତନ୍ତ୍ର ପିନକୋଡର ଏକ ସୂଚୀ ପ୍ରସ୍ତୁତ କରିଥିଲା। ଏହି ସତ୍ୟାପିତ ପିନକୋଡକୁ ୟୁଆଇଡିଏଆଇଙ୍କ ସହ ସେୟାର କରାଯାଇଥିଲା। ଏହାପରେ ୟୁଆଇଡିଏଆଇ ଏକ କେନ୍ଦ୍ରୀୟ ପ୍ରଣାଳୀ ମାଧ୍ୟମରେ ଏହି ସବୁ ପିନକୋର୍ଡ ଥିବା କ୍ଷେତ୍ରର ଆଧାର ରେକର୍ଡରେ ରାଜ୍ୟର ନାମ ସ୍ୱତଃ ଅପଡେଟ କରିଦେଇଛି। ଏହି ପ୍ରକ୍ରିୟା ଲକ୍ଷଲକ୍ଷ ଲୋକଙ୍କୁ ଧାଡି ବାନ୍ଧି ଛିଡା ହେବାରୁ ରକ୍ଷା କରିଛି।

ଲଦ୍ଦାଖବାସୀ କିପରି ପ୍ରାପ୍ତ କରିବେ ନୂଆ ଆଧାର?
ଏବେ ଲଦ୍ଦାଖବାସୀ ବହୁତ ସହଜରେ ନିଜର ନୂଆ ପରିଚୟଥିବା ଆଧାର କାର୍ଡ ପ୍ରାପ୍ତ କରିପାରିବେ। ଲୋକେ ୟୁଆଇଡିଏଆଇ ଅଧିକାରୀକ ପୋର୍ଟାଲକୁ ଯାଇ ନିଜର ଅପଡେଟ୍ ଇ-ଆଧାର ଡାଉନଲୋଡ କରିପାରିବେ। ଯେଉଁମାନେ ପ୍ଲାଷ୍ଟିକ୍ ଆଧାର ଚାହୁଁଛନ୍ତି ସେମାନେ ମାମୁଲି ଶୁଳ୍କ ଦେଇ ଅନଲାଇନ ଅର୍ଡର କରିପାରିବେ, ଯାହାକୁ ସେମାନଙ୍କ ଘର ଠିକଣାରେ ପହଞ୍ଚାଇ ଦିଆଯିବ।

ଏହି ପରିବର୍ତ୍ତନ ସହିତ ଲଦ୍ଦାଖ ଏକ ପୂର୍ଣ୍ଣ କେନ୍ଦ୍ର ଶାସିତ ପ୍ରଦେଶ ରୂପେ ନିଜର ପ୍ରଶାସନିକ ଓ ଡିଜିଟାଲ ସ୍ୱାୟତ୍ତତା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ଲଦ୍ଦାଖର ପ୍ରତ୍ୟେକ ନାଗରିକଙ୍କ ନିକଟରେ ଏପରି ପରିଚୟପତ୍ର ରହିବ ଯାହା ବାସ୍ତବରେ ସେମାନଙ୍କ ଭୂମି ଓ ସେମାନଙ୍କ ନୂଆ ପରିଚୟର ପ୍ରତିନିଧିତ୍ୱ କରିବ।

Also Read..ଜାମ୍ମୁ-କାଶ୍ମୀର ଡୋଡ଼ାରେ ଭୂକମ୍ପ ଝଟ୍କା; ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୬ ରେକର୍ଡ, କ୍ଷୟକ୍ଷତିର ନାହିଁ ସୂଚନା