ନୂଆଦିଲ୍ଲୀ: ଆମେରିକା, ମେକ୍ସିକୋ ଓ କାନାଡାରେ ଫିଫା ବିଶ୍ୱକପ ୨୦୨୬ର ଆୟୋଜନ ହେବ । ଜୁନ ୧୧ରୁ ଜୁଲାଇ ୧୯ ଯାଏଁ ଚାଲିବ ଫୁଟ୍‌ବଲର ଏହି ମହାସମର । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଏବେ ଆଶ୍ଚର୍ଯ୍ୟଜନକ ବିଷୟ ସାମନାକୁ ଆସିଛି, ଯାହା ଭାରତୀୟ ଫୁଟବଲ୍ ପ୍ରେମୀଙ୍କ ପାଇଁ ବଡ଼ ଝଟକା ସଦୃଶ୍ୟ ଅଟେ । ଭାରତରେ ଫୁଟ୍‌ବଲ୍ ପ୍ରେମୀ ବିଶ୍ୱକପର ସିଧାପ୍ରସାରଣ ଦେଖିପାରିବେ ନାହିଁ । କେବଳ ଭାରତ ନୁହେଁ, ଚୀନରେ ମଧ୍ୟରେ ଏପରି ସ୍ଥିତି ଉପୁଜିଛି । ଏବେ ସୁଦ୍ଧା କୌଣସି ଭାରତୀୟ ବ୍ରଡକାଷ୍ଟର ଏହି ଟୁର୍ଣ୍ଣାମେଣ୍ଟର ପ୍ରସାରଣ ଅଧିକାର କଣିବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି ।

ଭାରତୀୟ ଫୁଟବଲ୍ ପ୍ରଶଂସକ ଚଳିତ ବର୍ଷ ନିରାଶ ହୋଇପାରନ୍ତି । ରୟଟର୍ସ ଅନୁସାରେ, ଭାରତରେ ରିଲାଏନ୍ସ-ଡିଜନି ଜଏଣ୍ଟ ଭେଞ୍ଚର ୨୦ ନିୟୁତ ଡଲାରର ପ୍ରସ୍ତାବ ଦେଇଥିଲେ । କିନ୍ତୁ ଫିଫା ପକ୍ଷରୁ ଅଧିକ ଟଙ୍କା ଦାବି କରାଯାଇଥିଲା । ଏହି କାରଣରୁ ଗତ ସପ୍ତାହରେ ହିଁ ଏହି ଡିଲ୍ ରଦ୍ଦ ହୋଇଯାଇଥିଲା ।

ଭାରତରେ ଏହାର ପ୍ରସାରଣ ପାଇଁ ଫିଫା ସହ ସହମତି ହୋଇପାରି ନାହିଁ । ଅନ୍ୟପଟେ ଏହାକୁ ନେଇ ଚୀନ ଏବଂ ଫିଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ମେ' ଶେଷ ସୁଦ୍ଧା ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରେ । ଏହା ବ୍ୟତୀତ ଅନ୍ୟ ଏସୀୟ ଦେଶରେ ବି ଫିଫା ବିଶ୍ୱକପ୍ ପ୍ରସାରଣକୁ ନେଇ କୌଣସି ଡିଲ୍ ଚୂଡ଼ାନ୍ତ ହୋଇପାରୁନି । ଏପରିକି ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଲା । ସେ ନିଜ ଦେଶବାସୀଙ୍କୁ ଭରସା ଦେଇ କହିଛନ୍ତି ଯେ ସେମାନେ ଟୁର୍ଣ୍ଣାମେଣ୍ଟର ନିଶ୍ଚିତ ମଜା ନେବେ ।

କତାରରେ ଆୟୋଜିତ ଫିଫା ବିଶ୍ୱକପର ପୂର୍ବତନ ସଂସ୍କରଣରେ ଭାରତୀୟ ଆପ୍ ଜିଓ ସିନେମାରେ ରେକର୍ଡ ୧୧୦ ମିଲିୟନ ଦର୍ଶକ ଏହାକୁ ଦେଖିଥିଲେ । ଜିଓ ସିନେମା ଗତଥର ଫିଫା ବିଶ୍ୱକପକୁ ମାଗଣାରେ ପ୍ରସାରଣ କରିଥିଲା । ପ୍ରଥମ ଥର ପାଇଁ ସେହି ବର୍ଷ ଫିଫା ବିଶ୍ୱକପର ଡିଜିଟାଲ୍ ଭ୍ୟୁୟରଶିପ ଟିଭିର ଟିଆରପିକୁ ପଛରେ ପକାଇଥିଲା ।

Also Read: IPL 2026: ପଞ୍ଜାବ ମୁହଁରୁ ବିଜୟ ଛଡ଼ାଇ ଆଣିଲା ଦିଲ୍ଲୀ, ଶ୍ରେୟସଙ୍କ ଟିମର ଲଗାତାର ଚତୁର୍ଥ ପରାଜୟ