ମୁମ୍ବାଇ,୧|୦୬:ଆମେରିକା, ମେକ୍ସିକୋ ଓ କାନାଡ଼ାରେ ବିଶ୍ୱକପ୍ ଆୟୋଜିତ ହେଉଛି। ପ୍ରତ୍ୟେକ ଦେଶରେ ଟାଇମ ଜୋନ ଭିନ୍ନ ରହିଛି। ତେଣୁ ମ୍ୟାଚ ଗୁଡ଼ିକ ଭିନ୍ନ ଭିନ୍ନ ସମୟରେ ଆରମ୍ଭ ହେଉଛି। କିନ୍ତୁ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ୪୦ ସେକେଣ୍ଡରୁ ୬ ମିନିଟ ପର୍ଯ୍ୟନ୍ତ ମ୍ୟାଚ ଗୁଡ଼ିକ ବିଳମ୍ବ ହେବାର ନଜିର ରହିଛି।

ବିଶେଷ କରି ଟେଲିଭିଜନରେ ମ୍ୟାଚ ଦେଖୁଥିବା ଦର୍ଶକମାନେ ଏହାକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି। ଉଦଘାଟନୀ ମ୍ୟାଚ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଏହି ମ୍ୟାଚ ୬ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ୮ଟି ମ୍ୟାଚରେ ଏଭଳି ସମସ୍ୟା ଦେଖା ଦେଇଛି। ଦକ୍ଷିଣ କୋରିଆ-ଚେକ୍ ଗଣରାଜ୍ୟ ମ୍ୟାଚ ୫୧ ସେକେଣ୍ଡ, କାନାଡ଼ା-ବସନିଆ ଓ ହେର୍ଜେଗୋଭିନା ମ୍ୟାଚ ୨ ମିନିଟ ୨୨ ସେକେଣ୍ଡ, ଆମେରିକା-ପାରାଗୁଏ ମ୍ୟାଚ ୨ ମିନିଟ ୧୯ ସେକେଣ୍ଡ, କତାର-ସ୍ୱିଜରଲାଣ୍ଡ ମ୍ୟାଚ ୪ ମିନିଟ ୫୩ ସେକେଣ୍ଡ ବିଳମ୍ବରେ ଆରମ୍ଭ ହୋଇଥିଲା ।

ସେହିପରି ବ୍ରାଜିଲ - ମରକ୍କୋ ମ୍ୟାଚ ୪ ମିନିଟ ୨୭ ସେକେଣ୍ଡ, ହାଇତି- ସ୍କଟଲାଣ୍ଡ ମ୍ୟାଚ ୨ ମିନିଟ ୪୨ ସେକେଣ୍ଡ ଏବଂ ଅଷ୍ଟ୍ରେଲିଆ-ତୁର୍କୀ ମ୍ୟାଚ ୪୦ ସେକେଣ୍ଡ ବିଳମ୍ବରେ ଆରମ୍ଭ ହୋଇଥିବା ଜଣାପଡିଥିଲା । ଫିଫା ଏଥର ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ସମୟରେ ପ୍ରତ୍ୟେକ ଦଳର ୨୬ ଜଣ ଖେଳାଳି ଓ କୋଚିଂ ଷ୍ଟାଫ୍ ସାମିଲ ହେବାର ନିୟମ କରିଛି। କିନ୍ତୁ ଏହି ସମୟରେ ଖେଳାଳିମାନେ ପଡ଼ିଆରେ ପ୍ରବେଶ କରିବା ଏବଂ ପଡ଼ିଆ ଛାଡ଼ିବାରେ ବିଳମ୍ବ କରୁଛନ୍ତି। ଏହି ସମସ୍ୟା ହିଁ ପରବର୍ତ୍ତୀ ସମସ୍ତ ପ୍ରକ୍ରିୟାଙ୍କୁ ବିଳମ୍ବ କରି ଦେଉଛି। ଖେଳାଳିମାନେ ବାରମ୍ବର ଫିଫା ନିୟମକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହେଉଛି ।