ନୂଆଦିଲ୍ଲୀ ୦୮।୦୭; ଏଫବିଆଇର ବଡ ଆକ୍ସନ । ଅନ୍ତର୍ଜାତୀୟ ଅପରାଧ ନେଟୱାର୍କ ବିରୋଧରେ ଏହାର ସବୁଠାରୁ ବଡ଼ ଅପରେସନ୍ ଆରମ୍ଭ କରିଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବିରୋଧରେ ଆମେରିକା-କାନାଡା ଏବଂ ୟୁରୋପରେ ଅପରେସନ ହାର୍ଡବଲ୍ ଅନ୍ତର୍ଗତ ୫୦ରୁ ଅଧିକ ସ୍ଥାନରେ ଚଢାଉ କରି ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆମେରିକୀୟ ଏଜେନ୍ସିଗୁଡ଼ିକ ‘ଭାରତ-ଭିତ୍ତିକ ସଂଗଠିତ ଅପରାଧ ଗୋଷ୍ଠୀ’ସହିତ ସମ୍ପର୍କ ରଖିଥିବା ଅଭିଯୋଗରେ ୨୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ବିରୋଧରେ ହତ୍ୟା, ଦାଦାବଟି ଆଦାୟ ଏବଂ ନିଶା କାରବାର ଭଳି ଅଭିଯୋଗ ରହିଛି। ଏଥିରେ ୨୦୨୩ ମସିହାରେ କାନାଡାର ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଷଡ଼ଯନ୍ତ୍ର ଅନ୍ତର୍ଭୁକ୍ତ।

ଆମେରିକୀୟ ନ୍ୟାୟ ବିଭାଗ ଅନୁଯାୟୀ, ନିଜ୍ଜରଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚନା କରିଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ଗୋଲ୍ଡି ବରାର ମଧ୍ୟ ସାମିଲ ଅଛନ୍ତି। ତିନୋଟି ଫେଡେରାଲ୍ ଅଭିଯୋଗରେ ମୋଟ ୩୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ହିଂସାତ୍ମକ ଅପରାଧ, ଆଦାୟ ଷଡ଼ଯନ୍ତ୍ର ଏବଂ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ଅଭିଯୋଗ ରହିଛି। ଆଇନଜୀବୀ ବିଲ୍ ଏସ୍ପଲି କହିଛନ୍ତି, ଫେଡେରାଲ୍ ଏଜେନ୍ସିଗୁଡ଼ିକ ଅନୁସାରେ ଅପରେସନ୍ ହାର୍ଡବଲ୍ ମୋଟ ତିନୋଟି ଅନ୍ତର୍ଜାତୀୟ ସିଣ୍ଡିକେଟ୍କୁ ଟାର୍ଗେଟ କରିଥିଲା। ବିଷ୍ନୋଇ ଏବଂ ବ୍ରାର ନିଜ୍ଜରଙ୍କ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ନିଜ୍ଜରଙ୍କୁ ୧୮ ଜୁନ୍ ୨୦୨୩ରେ ବ୍ରିଟିଶ୍ କଲମ୍ବିଆର ସରେରେ ଗୁଳି କରି ହତ୍ୟା କରାଯାଇଥିଲା।

ଅଭିଯୋଗପତ୍ରରେ କୁହାଯାଇଛି, ବିଷ୍ନୋଇ ଗ୍ୟାଙ୍ଗ ନିୟମିତ ଭାବରେ ପ୍ରମୁଖ ଧାର୍ମିକ, ସାମାଜିକ ଏବଂ ରାଜନୈତିକ ନେତାମାନଙ୍କୁ ଟାର୍ଗେଟ କରୁଛି। ସେମାନେ ଭୟ ସୃଷ୍ଟି କରିବା ଏବଂ ଟଙ୍କା ଆଦାୟ କରିବା ପାଇଁ ଏଭଳି ହାଇ-ପ୍ରୋଫାଇଲ୍ ଅପରାଧ କରୁଛନ୍ତି। ଏହି ଗ୍ୟାଙ୍ଗ୍ ପ୍ରମୁଖ ଗାୟକ ଏବଂ ଅଭିନେତାଙ୍କ ଘର ଉପରେ ଗୁଳି ଚଳାଇ କାନାଡାରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। କାନାଡା ସରକାର ଗତ ବର୍ଷ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଥିଲେ।