ବେଙ୍ଗାଲୁରୁ: ଝିଅକୁ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ାଇଛି ବୋଲି ସୁଧମୂଳ ହାସଲ କରିବାକୁ ବାପା ଶେଷରେ ଝିଅକୁ ଛୁରି ଭୁସି ମାରିବାକୁ ବି ପଛାଇ ନାହିଁ। ଘଟଣା ଘଟିଛି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ।

ଟଙ୍କାର ଲୋଭ ଏତେ ଘାରି ଯାଇଥିଲା ଯେ ଝିଅର ବାହାଘର ଯେଉଁଠି ଠିକ୍ କରିଥିଲା ସେମାନଙ୍କ ଠାରୁ ବି ୪୦ ଲକ୍ଷ ଟଙ୍କା ଦାବି କରିଥିଲା ବାପା ନାଗେନ୍ଦ୍ର। ସେଠି ବି ସେଇ ଗୋଟିଏ ଦାବି, ଝିଅକୁ ଟଙ୍କା ଖର୍ଚ୍ଚ କରି ପଠା ପଢ଼ାଇଛି, ତେଣୁ ମୋତେ ଟଙ୍କା ଦରକାର। ହେଲେ ଏଥିରେ ଝିଅ ଓ କି ପତ୍ନୀ ରାଜି ନ ହେବାରୁ କଲେଜ ଭିତରେ ପଶି ନିଜର ପ୍ରଫେସର ଝିଅକୁ ଛୁରି ଭୁସି ଜୀବନ ନେବାକୁ ପଛାଇ ନଥିଲା ୬୦ ବର୍ଷୀୟ ନାଗେନ୍ଦ୍ର। ଗୁରୁତର ଆହତ ଝିଅ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଅଭିଯୁକ୍ତ ବାପାଙ୍କୁ ପୋଲିସ ଗିରଫ କରିଛି।

ଆହତ ମହିଳାଙ୍କ ନାଁ ଲକ୍ଷ୍ମୀ ଦୁର୍ଗା। ସେ ବେଙ୍ଗାଲୁରୁର ଏକ ଘରୋଇ କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ। ଜୁଲାଇ ୨୫ ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ତାଙ୍କ ବାପା ନାଗେନ୍ଦ୍ର କଲେଜକୁ ଆସି ଝିଅଙ୍କ ସହ ଦେଖା କରିବାକୁ କହିଥିଲେ। ଏହାପରେ କଲେଜ କର୍ମଚାରୀମାନେ ତାଙ୍କୁ ବିଭାଗୀୟ ମୁଖ୍ୟଙ୍କ (HOD) କକ୍ଷକୁ ନେଇଯାଇଥିଲେ, ଯେଉଁଠାରେ ଲକ୍ଷ୍ମୀ ଦୁର୍ଗା ଉପସ୍ଥିତ ଥିଲେ।

Also Read- ଖାଇବା ବାଢିବାରେ ଡେରି କଲା ଭାଉଜ, କୁରାଢି ଆଣି ଦେହରୁ ମୁଣ୍ଡକୁ ଅଲଗା କରିଦେଲା ଦିଅର !

ପୋଲିସର ସୂଚନା ଅନୁଯାୟୀ, କକ୍ଷ ଭିତରକୁ ପ୍ରବେଶ କରିବା ପରେ ନାଗେନ୍ଦ୍ର ହଠାତ୍ ଛୁରି ବାହାର କରି ଝିଅ ଉପରେ ଆକ୍ରମଣ କରିଥିଲେ। ସେ ଲକ୍ଷ୍ମୀ ଦୁର୍ଗାଙ୍କ ପେଟ, ଛାତି ଓ ବେକରେ ଏକାଧିକ ଥର ଛୁରି ଭୁସି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କଲେଜ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଘଟଣାର ମୂଳ କାରଣ ଥିଲା ପରିବାର ଭିତରେ ଦୀର୍ଘଦିନ ଧରି ଚାଲିଥିବା ବିବାଦ। ପୋଲିସର ସୂଚନା ଅନୁସାରେ ନାଗେନ୍ଦ୍ର ପେଶାରେ ଜଣେ କ୍ୟାବ୍ ଚାଳକ। ସେ କିଛିଦିନ ହେଲା ତାଙ୍କ ଝିଅ ଲକ୍ଷ୍ମୀ ଦୁର୍ଗା ପାଇଁ ବର ଖୋଜୁଥିଲେ। ବିବାହ ପ୍ରସ୍ତାବ ପ୍ରାୟ ଚୂଡ଼ାନ୍ତ ହେବା ପରେ ସେ ବରପକ୍ଷଙ୍କୁ ୪୦ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଝିଅର ପଢ଼ାଶୁଣା ଓ କ୍ୟାରିୟର ପାଇଁ ବହୁ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇ ସେ ପୁଅ ଘରୁ ଏହି ଟଙ୍କା ଚାହୁଁଥିଲେ।

କେବଳ ସେତିକି ନୁହେଁ, ଲକ୍ଷ୍ମୀ ଦୁର୍ଗାଙ୍କ ପ୍ରତିମାସର ଦରମା ମଧ୍ୟ ତାଙ୍କୁ ଦେବାକୁ ନାଗେନ୍ଦ୍ର ଜିଦ୍ ଧରିଥିବା ପୋଲିସ କହିଛି। ତେବେ ଏହି ଦାବିକୁ ଲକ୍ଷ୍ମୀ ଦୁର୍ଗା ଓ ତାଙ୍କ ମା' ବିରୋଧ କରିବାରୁ ପରିବାରରେ ବାରମ୍ବାର ବିବାଦ ସୃଷ୍ଟି ହେଉଥିଲା। ଶେଷରେ ଏହି ବିବାଦ ରକ୍ତାକ୍ତ ରୂପ ନେଇଛି। ଝିଅକୁ ଛୁରି ଭୁସି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବାପା ନାଗେନ୍ଦ୍ର। ଘଟଣା ପରେ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତ ନାଗେନ୍ଦ୍ରଙ୍କୁ ଗିରଫ କରିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।