ଦେବଗଡ ୨୯।୭: ଲଘୁଚାପଜନିତ ଲଗାଣ ବର୍ଷାରେ ସାରା ରାଜ୍ୟରେ ସ୍ଥିତି ବେହାଲ । ଫୁଲୁଛି ବିଭିନ୍ନ ନଦୀ । ଅନେକ ସ୍ଥାନରେ ସୃଷ୍ଟି ହୋଇଛି ଘାଇ । ଏଭଳି ପରିସ୍ଥିତିରେ ଦେବଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବନ୍ୟା ପାଣିରେ ଭାସିଯାଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି ।

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ମାଦଳିଆ ଗ୍ରାମ ନିକଟରେ ଏକ ଅଘଟଣ ଘଟିଛି । ଚାଷ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ବଢ଼ି ପାଣିରେ ଭାସି ଯାଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ହେଲେ ମାଦଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଆପଟ । ସେ ଚାଷ କାର୍ଯ୍ୟ ସାରି ଗ୍ରାମ ନିକଟସ୍ଥ ମତୁଆଳୀ ନାଳ ପାର ହୋଇ ଘରକୁ ଫେରୁଥିବା ସମୟରେ ହଠାତ୍ ବଢ଼ି ପାଣିରେ ଭାସି ଯାଇଥିଲେ ।

Also Read:- ସୁବର୍ଣ୍ଣରେଖାରେ ବଢ଼ୁଛି ଜଳପ୍ରବାହ, ଗାଲୁଡ଼ିହ ବ୍ୟାରେଜର ୫ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ଖବର ପାଇ ବାରକୋଟ ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମତୁଆଳୀ ନାଳରେ ଖୋଜାଖୋଜି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଭାସିଯାଇଥିବା ସ୍ଥାନଠାରୁ କିଛି ଦୂରରେ ଏକ ଗଛରେ ଲାଖି ରହିଥିବା ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ର ଆପଟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ କର୍ମଚାରୀ ମାନେ ପାଣି ମଧ୍ୟକୁ ଯାଇ ମୃତଦେହକୁ ବାହାରକୁ ଆଣିଥିଲେ । ଘଟଣାକୁ ନେଇ ବାରକୋଟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।