ମୁମ୍ବାଇ: ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (BKC) ସ୍ଥିତ କାର୍ଯ୍ୟକ୍ରମ ସ୍ଥଳରୁ ଜଣେ ନକଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) ଅଫିସର ଏବଂ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ମୁମ୍ବାଇ ପୁଲିସ ଅଟକ ରଖିଛି। ୨୪ ବର୍ଷୀୟ ରୋହନ ପାରେଖ ନିଜକୁ PMO ଅଧିକାରୀ ଭାବରେ ପରିଚୟ ଦେଇଥିଲେ। ତଦନ୍ତ ପରେ ତାଙ୍କ ପାଖରୁ ମିଳିଥିବା ପରିଚୟ ପତ୍ରଟି ନକଲି ବୋଲି ଜଣାପଡ଼ିଥିଲା।

ତାଙ୍କ ସହ ଥିବା ଅଙ୍ଗରକ୍ଷୀଙ୍କ ନିକଟରୁ ଗୋଟିଏ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି। ସୁରକ୍ଷା ପ୍ରୋଟୋକଲ୍ ଡ୍ରିଲ୍ ସମୟରେ ସନ୍ଦେହଜନକ ଭାବରେ ବୁଲୁଥିବା ଦେଖି ପୁଲିସ ସେମାନଙ୍କୁ ଅଟକ ରଖିଥିଲା।

BKC ପୋଲିସ ଷ୍ଟେସନରେ ମାମଲା ରୁଜୁ ହେବା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାର ଗ୍ରହଣ କରିଛି। ଏହି ସୁରକ୍ଷା ଉଲ୍ଲଂଘନ ପଛର ପ୍ରକୃତ ଉଦ୍ଦେଶ୍ୟ କ'ଣ ଥିଲା, ସେ ନେଇ ପୁଲିସ ଅଟକ ଦୁଇ ଜଣଙ୍କୁ ପଚରାଉଚୁରା କରୁଛି।  

ଏହି ଘଟଣା ସୁରକ୍ଷା ଯାଞ୍ଚ ସମୟରେ ଘଟିଥିଲା ଏବଂ ଏହାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହ କୌଣସି ସିଧାସଳଖ ସମ୍ପର୍କ ନାହିଁ ବୋଲି ପୁଲିସ ସୂଚନା ଦେଇଛି।
ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଚାରି ଦିନିଆ Global Fintech Fest (GFF) 2026 ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।