ଭୁବନେଶ୍ୱର: ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ, ଶାରୀରିକ ସମ୍ପର୍କ ଓ ପରେ ପ୍ରତାରଣା। ରାଜଧାନୀରେ ଏଭଳି ସଙ୍ଗୀନ ଅଭିଯୋଗ ଆଣି ପାହାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ। ଅଭିଯୋଗ ଅନୁଯାୟୀ, ସର୍ବେଶ୍ୱର ମଲ୍ଲିକ ନାମକ ଜଣେ ଯୁବକ ପ୍ରଥମେ ଯୁବତୀଙ୍କୁ ଏକ ଆପାର୍ଟମେଣ୍ଟକୁ ନେଇ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ।

ପରେ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭୁବନେଶ୍ୱରର ଏକ ମନ୍ଦିରରେ ବିବାହ କରିଥିବା ଅଭିଯୋଗ ହୋଇଛି। ବିବାହ ପରେ ଯୁବତୀଙ୍କ ଦଲିଲପତ୍ର ବ୍ୟବହାର କରି ଏକାଧିକ ଋଣ ଉଠାଇଥିବା ଅଭିଯୋଗ ମଧ୍ୟ ହୋଇଛି।

ତେବେ ପରବର୍ତ୍ତୀ ସମୟରେ ଯୁବତୀ ଜାଣିବାକୁ ପାଇଥିଲେ ଯେ, ସର୍ବେଶ୍ୱର ପୂର୍ବରୁ ବିବାହିତ। ଏନେଇ ପ୍ରଶ୍ନ କରିବାରୁ ତାଙ୍କୁ ମାଡ଼ ମାରି ଧମକ ଦେଇଥିବା ଲିଖିତ ଅଭିଯୋଗ କରାଯାଇଛି । ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପାହାଳ ଥାନା ପୋଲିସ ମାମଲା ରୁଜୁ କରିଛି। ବିବାହର ନାଁରେ ପ୍ରତାରଣା, ଶାରୀରିକ ଶୋଷଣ ଓ ଆର୍ଥିକ ଠକେଇର ଏହି ସଙ୍ଗୀନ ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ।