ଭୁବନେଶ୍ୱର ୨୧।୦୪: ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା । କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ତତଲା ପବନର ଜ୍ୱାଳା ଅଣନିଶ୍ୱାସୀ କରିବ । ଝାରସୁଗୁଡ଼ାରୁ ବଲାଙ୍ଗୀର ଯାଏ ସମସ୍ତ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ । ଗରମ ପବନ (ଲୁ) ପ୍ରବାହିତ ହେବାର ଆଶଙ୍କା ଅଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ ଦେଇ ସତର୍କ କରାଇଛନ୍ତି ।

ମଙ୍ଗଳବାର ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ଆକଳନ କରିଛି । ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ତାତି ୪୨ଡିଗ୍ରୀ ପାଖାପାଖି ରହିବ । ୨୪ ତାରିଖ ଯାଏ ଏଭଳି ସ୍ଥିତି ରହିବ । ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ତେବେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାତି କମ୍ ରହିବ। ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଏବଂ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ । ଏହି ସବୁ ଜିଲ୍ଲାରେ ତାପମାତ୍ରା ୩୬ ଡିଗ୍ରୀରୁ ୩୯ ଡିଗ୍ରୀ ଭିତରେ ରହିଲେ ମଧ୍ୟ କାଳବୈଶାଖୀ ଯୋଗୁ ବର୍ଷା ହୋଇପାରେ । ମଙ୍ଗଳବାର ବଜ୍ରପାତ ସହ ହାଲୁକା ବର୍ଷା ଆଶଙ୍କା ଅଛି । ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀରୁ ୪୩.୫ ଡିଗ୍ରୀ ଭିତରେ ରହିବ । ଆକାଶ ନିର୍ମଳ ରହିବା ସହ ପ୍ରଖର ସୂର୍ଯ୍ୟକିରଣର ପ୍ରଭାବ ରହିବ। ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୮ ଡିଗ୍ରୀରୁ ୩୯ ଡିଗ୍ରୀ ମଧ୍ୟରେ ରହିବ । କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିପାରେ । କିନ୍ତୁ ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟବାଷ୍ପ ଯୋଗୁ ଆର୍ଦ୍ରତା ଅଧିକ ରହିବା ସହ ଅସହ୍ୟ ଗୁଳୁଗୁଳି ଅନୁଭବ ହେବ । ୨୧ ତାରିଖ ପରେ କାଳବୈଶାଖୀର ପ୍ରଭାବ ବଢ଼ିବା ଯୋଗୁ ବର୍ଷା ହେବ ଓ ତାତି କମିବ ।

Also Read:-Horoscope Today : ଏପ୍ରିଲ ୨୧ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ପ୍ରବଳ ଖରା ଓ ତାତି ପାଇଁ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଉଛି । ସୋମବାର ପୁରୀ, କଟକ ଓ ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୩ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି । ଜଗତ୍ସିଂହପୁର ଜିଲ୍ଲାରେ ସକାଳ ସାଢ଼େ ୬ଟାରୁ ୯ଟା ଯାଏ ସ୍କୁଲ ଖୋଲା ରହିବ ବୋଲି ସ୍ଥାନୀୟ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସୋମବାର ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୪୨.୪, ତାଳଚେରରେ ୪୨, ଅନୁଗୁଳରେ ୪୧.୭ ଡିଗ୍ରୀ ରେକର୍ଡ ହୋଇଥିଲା । ୧୪ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଏହାଠାରୁ ଅଧିକ ରହିଥିଲା । ପ୍ରବଳ ଖରା ଓ ବାଷ୍ପୀଭବନ ହାର ଅଧିକ ରହୁଛି । ଏଣୁ ଚାଷୀମାନେ ନିଜ ଫସଲରେ ବାରମ୍ବାର ହାଲୁକା ଜଳସେଚନ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ମୁଗ, ବିରି ଓ ପନିପରିବା କ୍ଷେତରେ ମାଟିକୁ ସବୁବେଳେ ଓଦା ରଖନ୍ତୁ । ସକାଳ ବା ସନ୍ଧ୍ୟା ସମୟରେ ଜଳସେଚନ କରନ୍ତୁ । ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷାର ଆଶଙ୍କା ଥିବାରୁ ଅମଳ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏବେ ତାତି ୪୦ ଡିଗ୍ରୀ ଉପରେ ରହୁଛି । ଏଥିପାଇଁ କୌଣସି ପ୍ରକାରର ରାସାୟନିକ ସାର ବା କୀଟନାଶକ ପ୍ରୟୋଗ ନ କରିବାକୁ କୁହାଯାଇଛି । ଏହି ସମୟରେ ସାର ପ୍ରୟୋଗ କଲେ ଫସଲ ପୋଡ଼ି ଯିବାର ଭୟ ରହିଛି । କଦଳୀ ଓ ଅମୃତଭଣ୍ଡା ଗଛର ମୂଳରେ ନଡ଼ା ବା ଶୁଖିଲା ପତ୍ର ଦେଇ‘ମଲ୍ଚିଂ' କଲେ ମାଟିର ଆର୍ଦ୍ରତା ବଜାୟ ରହିବ । ଗୋରୁଗାଇ ଓ କୁକୁଡ଼ାକୁ ଅଂଶୁଘାତରୁ ରକ୍ଷା କରିବାକୁ ଖରା ସମୟରେ ବାହାରକୁ ଛାଡ଼ନ୍ତୁ ନାହିଁ । ପଶୁ ରହୁଥିବା ସ୍ଥାନରେ ବାୟୁ ଚଳାଚଳ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।