ନୂଆଦିଲ୍ଲୀ: ଭାରତରେ ବୈଦ୍ୟୁତିକ ଯାନ (EV) ସଂଖ୍ୟା ବୃଦ୍ଧି ପାଉଛି । ହେଲେ ଇଭିଗୁଡ଼ିକୁ ଚାର୍ଜ କରିବା ଲାଗି ଭାରତରେ କେତୋଟି ଚାର୍ଜିଂ ଷ୍ଟେସନ ସ୍ଥାପନ ହୋଇଛି । ଆଗକୁ ଆଉ କେତେ ଏଭଳି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ ରହିଛି, ଏନେଇ ଗାଡ଼ି ଚାଳକଙ୍କ ମନରେ ପ୍ରଶ୍ନ । ଏହା ପଛର ମୁଖ୍ୟ କାରଣ ହେଉଛି, ଇଭି ଗାଡ଼ି ପରିବେଶ ଉପଯୋଗୀ ଏବଂ ଖର୍ଚ୍ଚ କମ କରିବାର ଭଲ ବିକଳ୍ପ । କିନ୍ତୁ ପେଟ୍ରୋଲ ଡିଜେଲ୍‌ ପମ୍ପ ଭଳି ଇଭି ଚାର୍ଜିଂ ଷ୍ଟେସନର ଉପଲବ୍ଧତାକୁ ନେଇ ବେଶୀ ଆଶଙ୍କା ।

ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ଦେଶରେ ବର୍ତ୍ତମାନ ସୁଦ୍ଧା ୫୨,୭୧୮ଟି ପବ୍ଲିକ୍ ଇଭି ଚାର୍ଜିଂ ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇସାରିଛି। ଏହା ମଧ୍ୟରେ କାରଗୁଡ଼ିକ ପାଇଁ ୧୬,୫୬୧ଟି ଫାଷ୍ଟ ଚାର୍ଜିଂ ଷ୍ଟେସନ୍ ସାମିଲ । କେନ୍ଦ୍ର ଭାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମା ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ପ୍ରକାଶ କରିଛନ୍ତି। ସାଧାରଣ ନାଗରିକଙ୍କ ମନରୁ ଚାର୍ଜ ସରିଯିବାର ଭୟ ଦୂର କରିବା ଏବଂ ଗାଡ଼ି ଚାଳନାକୁ ସହଜ କରିବା ପାଇଁ ସହରଗୁଡ଼ିକ ସହ ଜାତୀୟ ରାଜପଥଗୁଡ଼ିକରେ ବ୍ୟାପକ ଭାବେ ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି।

ପବ୍ଲିକ୍ ଚାର୍ଜିଂ ଷ୍ଟେସନ୍ ନିର୍ମାଣ ପାଇଁ ୯୧୨.୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନା ଅଧୀନରେ ୧୬.୭୨ ଲକ୍ଷରୁ ଅଧିକ ଇଭି ବିକ୍ରିକୁ ପ୍ରୋତ୍ସାହନ ଦିଆଯିବା ସହ ୫,୧୯୭ଟି ଇଲେକ୍ଟ୍ରିକ୍ ବସ୍ ନିୟୋଜିତ କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇଥିବା ୧୦,୯୦୦ କୋଟି ଟଙ୍କାର ଏହି ଯୋଜନାରେ କେବଳ ଚାର୍ଜିଂ ଷ୍ଟେସନ୍ ପାଇଁ ୨,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ମାଧ୍ୟମରେ ପ୍ରାୟ ୨୮.୩୦ ଲକ୍ଷ ଇଭି (ଦୁଇଚକିଆ, ତିନିଚକିଆ, ଆମ୍ବୁଲାନ୍ସ, ଟ୍ରକ୍ ଓ ବସ୍)କୁ ପାଇଦା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ସେ ଆହୁରି ଲେଖିଛନ୍ତି, ବେସରକାରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ EV ଚାର୍ଜିଂ ଷ୍ଟେସନ୍ ସ୍ଥାପନକୁ ଲାଇସେନ୍ସ-ମୁକ୍ତ କରାଯାଇଛି, ଯାହାଦ୍ୱାରା ଯେକୌଣସି ସଂସ୍ଥା ସହଜରେ ଏହାକୁ ଆରମ୍ଭ କରିପାରିବେ।  ବ୍ୟାଟେରୀ ସ୍ୱାପିଂ (Battery Swapping) ଏବଂ ସମସ୍ତ ପ୍ରକାର ଗାଡ଼ି ପାଇଁ ଉପଯୁକ୍ତ ହେବା ଭଳି ଏକୀକୃତ ନିୟମ ପ୍ରସ୍ତୁତ କରାଯାଇଛି।  

PM E-DRIVE ଯୋଜନାରେ ଇଲେକ୍ଟ୍ରିକ୍ କାର୍ ସାମିଲ ନଥିବା ପ୍ରଶ୍ନର ଉତ୍ତରରେ ସରକାର ସ୍ପଷ୍ଟ କରିଛନ୍ତି ଯେ, କାରଗୁଡ଼ିକୁ PLI Auto ଯୋଜନା ଅଧୀନରେ ସହାୟତା ଦିଆଯାଉଛି। ଏହି ଯୋଜନାରେ ଗାଡ଼ି ନିର୍ମାତା କମ୍ପାନୀଙ୍କୁ ସେମାନଙ୍କର ବିକ୍ରି ଆଧାରରେ ୧୩% ରୁ ୧୮% ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।