ନ୍ୟୁୟର୍କ, ୧୮ /୦୩:ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକା ପଡିଯାଇଛନ୍ତି । କେବଳ ଇସ୍ରାଏଲ ଛଡା ଅନ୍ୟ କୌଣସି ଦେଶ ତାଙ୍କର ସାଥ୍ ଦେଉନାହାନ୍ତି । ଏପରିକି ନାଟୋ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ସହଯୋଗ କରିବାକୁ ମନା କରିଦେଇଛନ୍ତି । ବ୍ରିଟେନ,ଜର୍ମାନୀ,ଇଟାଲୀ,ଫ୍ରାନ୍ସ,ଗ୍ରୀସ୍ ଓ ଅଷ୍ଟ୍ରେଲିଆ ପରେ ଏବେ ୟୁରୋପୀୟ ୟୁନିଅନ ମଧ୍ୟ ଟ୍ରମ୍ପଙ୍କ ହାତ ଛାଡିଛି ।

ମନା କଲା ୟୁରୋପୀୟ ସଙ୍ଘ

ଇୟୁ କହିଛି ଯୁଦ୍ଧରେ ସାମିଲ ହେବ ନାହିଁ କିମ୍ବା ହୋର୍ମୁଜ ପ୍ରଣାଳୀକୁ କୌଣସି ଜାହାଜ କିମ୍ବା ସୈନିକ ପଠାଇବନାହିଁ । ବ୍ରସେଲ୍ସ ଠାରେ ୟୁରୋପୀୟ ନେତାମାନେ ଏକାଠି ହୋଇଥିଲେ । ତୈଳଦର ବୃଦ୍ଧି ଓ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଆଲୋଚନା ପରେ ସେମାନେ ସ୍ପଷ୍ଟ କରିଦେଇଛନ୍ତି ଯେ ଉପସାଗରୀୟ ଅଞ୍ଚଳରେ ଯେଉଁ ଯୁଦ୍ଧ ଲାଗିଛି ତାହା ଆମେରିକା ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଛି । ଇରାନ ହୋର୍ମୁଜ ପ୍ରଣାଳୀ ବନ୍ଦ କରିବା ଯୁଦ୍ଧ ରଣନୀତିର ଏକ ଅଂଶବିଶେଷ । ତେଣୁ ହୋର୍ମୁଜରେ ଜାହାଜ ଚଳାଚଳକୁ ସୁରକ୍ଷିତ ରଖିବା ଲାଗି ସେଠାକୁ ଯୁଦ୍ଧଜାହାଜ କିମ୍ବା ସୈନିକଙ୍କୁ ପଠାଯିବା ଅର୍ଥ ଯୁଦ୍ଧରେ ସାମିଲ ହେବା ସହ ସମାନ ହେବ ।

​​​​​​​Also Read...#IPL_2026 ଅନ୍ ଷ୍ଟପେବଲ୍ ରୋହିତ : ଅଭ୍ୟାସ ବେଳେ ଖାଲି ଛକା ବର୍ଷା, ଛାନିଆ ହୋଇଗଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି

ଟ୍ରମ୍ପଙ୍କ ଜବାବ

ଅନ୍ୟପକ୍ଷରେ ଟ୍ରମ୍ପ କହିଛନ୍ତି ନାଟୋ କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର ସହଯୋଗ ଦରକାର ନାହିଁ । ଆମେରିକା ଏକା ଲଢ଼ିବ । ସୋସିଆଲ ମିଡିଆରେ ଟ୍ରମ୍ପ କହିଛନ୍ତି ନାଟୋ ସଦସ୍ୟଙ୍କୁ ସୁରକ୍ଷା ଦେବାକୁ ଆମେରିକା ପ୍ରତିବର୍ଷ କୋଟି କୋଟି ଡଲାର ଖର୍ଚ୍ଚ କରୁଛି । କିନ୍ତୁ ସେମାନଙ୍କ ଠାରୁ କିଛି ଆମକୁ ମିଳୁନି । ଆମେରିକାର ଦରକାର ସମୟରେ ସେମାନେ ସହଯୋଗ କରୁନାହାନ୍ତି ।