ମୁମ୍ବାଇ, ୧୮ /୦୩:ଇଣ୍ଡିଆନ ପ୍ରିମିୟର ଲିଗର (ଆଇପିଏଲ) ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବ । ସବୁ ଦଳ ଶିବିର ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ଅଭ୍ୟାସ ଚାଲିଛି,ରଣନୀତି ପ୍ରସ୍ତୁତ ହେଉଛି । ସିଜନରେ ପ୍ରତ୍ୟେକ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ମଝିରେ ଆଉ ୨ ସପ୍ତାହରୁ କମ୍ ସମୟ । କିନ୍ତୁ ଏହାରି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଅଭ୍ୟାସ ଦେଖି ଅନ୍ୟ ଦଳମାନଙ୍କର ଛାତିରେ ଛନକା ପସିଲାଣି । ଏହାର ମୁଖ୍ୟ କାରଣ ସାଜିଛନ୍ତି ହିଟମ୍ୟାନ ରୋହିତ ଶର୍ମା ।

ରୋହିତଙ୍କ ଛକା ବର୍ଷା

ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଶିବିରରେ ଯୋଗ ଦେବା ପରେ ତାଙ୍କ ଅଭ୍ୟାସ ଦେଖି ପ୍ରଶଂସକ ବେଶ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଅଭ୍ୟାସରେ ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି ତାହା ବିପକ୍ଷ ଦଳ ଗୁଡ଼ିକ ପାଇଁ ଚିନ୍ତାରକାରଣ ପାଲଟିଛି । ସର୍ଦୁଲ ଠାକୁର ତାଙ୍କୁ ମଙ୍ଗଳବାର ବୋଲିଂ କରୁଥିଲେ । ମିଡିଲ ଷ୍ଟମ୍ପରେ ଏକ ଲେଙ୍ଗଥ୍ ବଲକୁ ରୋହିତ ଲଙ୍ଗ ଅନ ଉପରେ ବିଶାଳ ଛକା ମାରିଥିଲେ । ବାସ,ଏତିକିରେ ହିଁ ଅନ୍ୟମାନେ ଛାନିଆ ହୋଇଯାଇଥିଲେ ।

ମୁମ୍ବାଇ ପାଇଁ ବଡ ଆସେଟ୍

ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଇ ସାରିଥିବାରୁ ଏଥର ବିଶ୍ୱକପରେ ନଥିଲେ ରୋହିତ । ତେଣୁ ଗତ ଦିନିକିଆ ସିରିଜ ପରେ ବେଶ କିଛି ଦିନ ବିଶ୍ରାମ ପାଇଥିଲେ । ବିଶ୍ୱକପ୍ର ମଜା ନେବା ସହ ମାଳଦ୍ୱୀପ ଠାରୁ ବିଭିନ୍ନ ସ୍ଥାନ ବୁଲା ବୁଲି କରିଥିଲେ । ରୋହିତ ପୂରା ସତେଜ ଓ ଫିଟ୍ ରହିଛନ୍ତି । ମୁମ୍ବାଇକୁ ଜିତାଇଛନ୍ତି ୫ ଟାଇଟଲ ଆଇପିଏଲରେ ରୋହିତ ସର୍ବାଧିକ ୬ ଥର ଟାଇଟଲ ଜିତିଛନ୍ତି । ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଚାମ୍ପିଅନ ହୋଇଛି । ଡେକାନ ଚାର୍ଜର୍ସ ସହ ଥରେ ଟାଇଟଲ ଜିତିଥିଲେ ।

ଆଇପିଏଲର ସଫଳ ଅଧିନାୟକ

ଆଇପିଏଲ ଇତିହାସରେ ରୋହିତ ପ୍ରଭାବଶାଳୀ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ । ମୁମ୍ବାଇ ଇଣ୍ଡିଆନ୍ସ ଶେଷ ଥର ୨୦୨୦ରେ ଚାମ୍ପିଅନ ହୋଇଥିଲା । ଏହାପୂର୍ବରୁ ୨୦୧୯,୨୦୧୭,୨୦୧୫ ଓ ୨୦୧୩ ଟାଇଟଲ ଜିତିଥିଲା । ଇତିମଧ୍ୟରେ ୫ଟି ସଂସ୍କରଣ ଶେଷ ହୋଇଛି । କିନ୍ତୁ ମୁମ୍ବାଇ ଆଉ ଫାଇନାଲକୁ ଉନ୍ନୀତ ହୋଇ ପାରି ନାହିଁ । ପୂର୍ବ ସଂସ୍କରଣ ଓ ୨୦୨୩ରେ ଦଳ ପ୍ଲେ ଅଫ୍ ଖେଳିଥିଲା । ନଚେତ ଅନ୍ୟ ୩ ସଂସ୍କରଣରେ ଲିଗ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଯାହା ପ୍ରଶଂସକଙ୍କୁ ବେଶ ଦୁଃଖ ଦେଇଥିଲା । ରୋହିତ ଏବେ ଅଧିନାୟକ ନାହାନ୍ତି । ଦଳକୁ ୫ ଥର ଚାମ୍ପିଅନ କରାଇଥିଲେ ବି ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ନେତୃତ୍ୱକୁ ଭରସା କରିନଥିଲା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଣି ନେତୃତ୍ୱ ପ୍ରଦାନ କରିଥିଲା । ହେଲେ ଦଳ ଏ ପର୍ଯ୍ୟନ୍ତ ତାଙ୍କ ନେତୃତ୍ୱରେ ଭଲ କରିପାରି ନାହିଁ ।

ରୋହିତ ପୁରା ଫିଟ୍

ମୁମ୍ବାଇ ଇଣ୍ଡିଆନ୍ସର ଅଭ୍ୟାସର ପ୍ରଥମ ଦିବସରେ ସମସ୍ତ ଖେଳାଳି ଏବଂ ସହଯୋଗୀ ଷ୍ଟାଫ୍ମାନେ ବେଶ ଉତ୍ସାହିତ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟ କୋଚ ମାହେଲା ଜୟବର୍ଦ୍ଧନେ । ସେ କହିଛନ୍ତି, ‘ପ୍ରତ୍ୟେକ ଖେଳାଳି ବେଶ ସତେଜ ଓ ଫିଟ୍ ରହିଛନ୍ତି । ରୋହିତଙ୍କ ଫିଟ୍ନେସ୍ ଆମକୁ ଉତ୍ସାହିତ କରିଛି ।'ମୁମ୍ବାଇ ଇଣ୍ଡିଆନ୍ସ ଗତ ୫ଟି ସିଜନରେ ପ୍ରଶଂସକଙ୍କୁ ନିରାଶ କରି ଆସିଛି । ରୋହିତ ଯେଉଁଭଳି ପ୍ରଥମ ଦିନରୁ ଅଭ୍ୟାସ ଆରମ୍ଭ କରିଛନ୍ତି ତାହା ସମସ୍ତଙ୍କୁ ଉତ୍ସାହିତ କରିଛି । ଯଦି ଏଥର ରୋହିତଙ୍କ ବ୍ୟାଟ କଥା କହେ ତେବେ ଇଣ୍ଡିଆନ୍ସ ଷଷ୍ଠ ଟାଇଟଲ ଜିତି ପାରିବ ବୋଲି ପ୍ରଶଂସକ ବିଶ୍ୱାସ ରଖିଛନ୍ତି ।