​ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଇବୋଲା ମହାମରୀ । ମାରାତ୍ମକ ଭୂତାଣୁ ଜନିତ ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏବଂ ଏହାର କୌଣସି ଚିକିତ୍ସା ନଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ସଂକ୍ରମଣ "ନିୟନ୍ତ୍ରଣ ବାହାରକୁ" ଚାଲିଯାଇଛି । ​ବର୍ତ୍ତମାନ ଏହି ରୋଗର ମୃତ୍ୟୁ ହାର ପ୍ରାୟ ୫୦ ପ୍ରତିଶତ ରହିଛି । ପୂର୍ବ ସଂକ୍ରମଣ ସମୟରେ ଏହା ୯୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ସ୍ଥିତିକୁ ଦେଖି ବୈଜ୍ଞାନିକମାନେ ଏକ ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ।

​ଟୀକା ପାଇଁ ପ୍ରତିଯୋଗିତା

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏହି ରୋଗର ବିରଳ ବୁଣ୍ଡିବୁଗୟୋ ଷ୍ଟ୍ରେନ୍ ଯୋଗୁଁ ୨୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକାର କରିଛି ଯେ ସଂକ୍ରମଣର ହାର ବର୍ତ୍ତମାନ ମୁକିବାଲ କରିବା ସ୍ତରଠାରୁ ଅଧିକ ହୋଇଛି । ‘ହୁ’ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧାନମ ଘେବ୍ରେୟସସ୍ କହିଛନ୍ତି, "ଆମେ ମୁକାବିଲା କ୍ଷମତାକୁ ବୃଦ୍ଧି କରୁଛୁ, କିନ୍ତୁ ବର୍ତ୍ତମାନ ମହାମାରୀ ଆମକୁ ପଛରେ ପକାଇ ଦେଇଛି ।"

ବର୍ତ୍ତମାନର ମହାମାରୀ ଜୁନୋଟିକ୍ ଭାଇରାଲ୍ ହେମୋରାଜିକ୍ ଫିଭରର ତୃତୀୟ ସର୍ବବୃହତ ପ୍ରକୋପ । ଏହା ଝାଳ, ରକ୍ତ ମଳ କିମ୍ବା ବାନ୍ତି ମାଧ୍ୟମରେ ପ୍ରବାହିତ ହୁଏ । ବର୍ତ୍ତମାନ ବିଶ୍ୱର ପ୍ରମୁଖ ଔଷଧ ପ୍ରସ୍ତୁତକାରୀ କମ୍ପାନି ଏବଂ ଗବେଷକମାନେ ଏକ ସୁରକ୍ଷିତ ଓ ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। କେତେକ ପ୍ରାଥମିକ ପରୀକ୍ଷଣ ଆଶାଜନକ ଫଳାଫଳ ଦେଇଥିଲେ ମଧ୍ୟ, ସେଗୁଡ଼ିକୁ ବ୍ୟାପକ ସ୍ତରରେ ବ୍ୟବହାର କରିବା ପାଇଁ ଏବେ ବି ଅନୁମତି ମିଳିବା ବାକି ଅଛି ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାଣ୍ଡେମିକ୍ ସାଇନ୍ସ ଇନଷ୍ଟିଚ୍ୟୁଟର ଟୀକା ଇମ୍ୟୁନୋଲୋଜି ମୁଖ୍ୟ ଟେରେସା ଲାମ୍ବେ କହିଛନ୍ତି, "ଆମେ କରୋନାର ଅଭିଜ୍ଞତା ନେଇ ସତର୍କତାର ସହିତ କାମ କରାଯାଉଛି ।" ଲାମ୍ବେ କହିଛନ୍ତି ଯେ, ଅକ୍ସଫୋର୍ଡ ଦଳ ଏହାର ପାର୍ଟନର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଯଥାଶୀଘ୍ର ଟୀକା ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ କାମ କରୁଛି ।“

ଇବୋଲା କ’ଣ ?

​ଇବୋଲା ହେଉଛି ଏକ ଅତ୍ୟନ୍ତ ମାରାତ୍ମକ ରୋଗ, ଯାହା ମଣିଷ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ସଂକ୍ରମିତ କରିଥାଏ । ଏହା ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତିଗ୍ରସ୍ତ କରିବା ସହ ରକ୍ତସ୍ରାବ ଘଟାଇଥାଏ । ଏହା ସଂକ୍ରମିତ ପଶୁ (ଯେପରିକି ବାଦୁଡ଼ି ବା ମାଙ୍କଡ଼) କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରୁ ବାହାରୁଥିବା ତରଳ ପଦାର୍ଥର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ । ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଏବଂ ଗଳା ବସିଯିବା ଏହାର ପ୍ରାରମ୍ଭିକ ଲକ୍ଷଣ । ସେହିପରି ​ଗମ୍ଭୀର ଲକ୍ଷଣରେ ବାନ୍ତି, ଝାଡ଼ା, ଏବଂ ଶରୀରର ଭିତର ଓ ବାହାର ଅଂଶରୁ ଅତ୍ୟଧିକ ରକ୍ତସ୍ରାବ ରହିଛି ।

​​ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ ଯଦି ତୁରନ୍ତ ଏହାକୁ ରୋକା ନଯାଏ, ତେବେ ଏହା ଆଖପାଖର ଅନ୍ୟ ଅଞ୍ଚଳ ଓ ଦେଶଗୁଡ଼ିକୁ ମଧ୍ୟ ବ୍ୟାପିଯାଇପାରେ । ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ମେଡିକାଲ୍ କ୍ୟାମ୍ପ ସ୍ଥାପନ କରାଯାଇଛି ଏବଂ ରୋଗୀମାନଙ୍କୁ ପୃଥକ କରି ରଖାଯାଉଛି।