ନୂଆଦିଲ୍ଲୀ ୦୬। ୧୧; ସକାଳୁ ସକାଳୁ ଦୁଇ ରାଜ୍ୟରେ ଭୂକମ୍ପ ଝଟକା । ଥରିଲା ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା । ଶୁକ୍ରବାର ସକାଳେ ଦୁଇଟି ଭିନ୍ନ ରାଜ୍ୟରେ ଅନୁଭୂତ ହୋଇଛି ଭୂକମ୍ପ । ହିମାଚଳ ପ୍ରଦେଶର ଚମ୍ବାରେ ୩.୨ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିବା ବେଳେ ତେଲେଙ୍ଗାନାର ନାରାୟଣପେଟରେ ଭୂକମ୍ପର ତୀବ୍ରତା ରହିଥିଲା ୨.୫ । ତେବେ ଆଶ୍ୱସ୍ତିର କଥା, ଏହି ଦୁଇଟି ଭୂକମ୍ପରେ କୌଣସି ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ଖବର ମିଳିନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପ୍ରଥମେ ତେଲେଙ୍ଗାନାର ନାରାୟଣପେଟରେ ସକାଳ ୬ଟା ୧୬ ମିନିଟ୍ ୪୬ ସେକେଣ୍ଡରେ ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ରେକର୍ଡ କରାଯାଇଛି । ଭୂପୃଷ୍ଠରୁ ପ୍ରାୟ ୫ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ଅଳ୍ପ ସମୟ ବ୍ୟବଧାନରେ ଥରିଲା ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା । ଦୁଇଟି ଯାକ ଭୂକମ୍ପର ତୀବ୍ରତା କମ୍ ଥିବାରୁ ବଡ଼ଧରଣର କ୍ଷୟକ୍ଷତିରୁ ମିଳିଛି ଆଶ୍ୱସ୍ତି ।

ସେହିପରି ହିମାଚଳ ପ୍ରଦେଶର ଚମ୍ବାରେ ସକାଳ ୬ଟା ୫୯ ମିନିଟ୍ ୪୬ ସେକେଣ୍ଡରେ ଭୂକମ୍ପ ରେକର୍ଡ ହୋଇଥିଲା । ଏହାର ତୀବ୍ରତା ୩.୨ ମାପ କରାଯାଇଛି । ଭୂପୃଷ୍ଠରୁ ୧୫ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି । ତେବେ ଦୁଇଟି ଭୂକମ୍ପର ତୀବ୍ରତା କମ୍ ଥିବାରୁ ଏଯାଏଁ କୌଣସି ମୃତାହତ କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇଥିବାର ଖବର ସାମ୍ନାକୁ ଆସିନାହିଁ । ଉଭୟ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ଥିବା ଜଣାପଡ଼ିଛି ।