ବଲାଙ୍ଗୀର: ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ। ତାହାବି ପୁଣି ଓଡ଼ିଶାରୁ ରାଜଧାନୀ ଦିଲ୍ଲୀକୁ। ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରି ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେବାକୁ ହୋଇଥିଲା ଯୋଜନା। ହେଲେ ଧରାପଡ଼ିଗଲା ସତ। ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଏଭଳି ଏକ ରାକେଟର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ। ଘଟଣା ଘଟିଛି ଟିଟିଲାଗଡ଼ ସଇଁନ୍ତଳା ଓ ତୁଷୁରା ଥାନା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ଏକ କପଡ଼ା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ମିଶନ 3Dରେ ଅବକାରୀ ବିଭାଗ ବଲାଙ୍ଗିର ଜିଲ୍ଲାର ଦୁଇଟି ସ୍ଥାନରେ ରେଡ୍ କରିଥିଲା। ରେଡରେ ଗାଡ଼ିରେ ଥିବା କପଡ଼ା ଭିତରୁ ୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ମୂଲ୍ୟ ୧ କୋଟି ୫୦ ଲକ୍ଷରୁ ଅଧିକ ହେବ। ଏହା ସହ ଘଟଣାରେ ୮ ଜଣଙ୍କୁ ଧରିଛି ଅବକାରୀ ବିଭାଗ। ଗିରଫଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି। କନ୍ଧମାଳ ବାଲିଗୁଡ଼ାରୁ ଦିଲ୍ଲୀକୁ ଚାଲାଣ ହେଉଥିଲା ଏହି ଗଞ୍ଜେଇ।

Also Read: ଗୋ ମାଫିଆ ଘରେ ରେଡ୍, ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଜଣାପଡ଼ିଛି ବୁଲି ବୁଲି ଲୋକଙ୍କ ପୁରୁଣା କପଡ଼ା ସଂଗ୍ରହ କରୁଥିବା କିଛି ବାହାର ରାଜ୍ୟର ମହିଳା ଓ ପୁରୁଷ ଏଭଳି ଭାବରେ ଗଞ୍ଜେଇ ଚାଲାଣ କରୁଥିଲେ। ତେବେ ଏଥିରେ ଆଉ କେଉଁମାନଙ୍କର ଲିଙ୍କ୍ ରହିଛି ଏବଂ ଏହାର ଚେର କେଉଁଯାଏ ଲମ୍ବିଛି ତାହା ଜାଣିବାକୁ ଚେଷ୍ଟା ଚଳାଇଛି ଅବକାରୀ ବିଭାଗ।

ସୂଚନାଥାଉକି, ବର୍ତ୍ତମାନ ଓଡ଼ିଶାରେ 3D ଫର୍ମୁଲାରେ ନିଶା କାରବାର କରୁଥିବା ମଫିଆଙ୍କ ଠାରୁ ସେବନକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଧରିବା ପାଇଁ ଯୋଜନା କରିଛି ପୋଲିସ।